ଉପକୂଳ ଜାତୀୟ ରାଜପଥ ସାଗରମାଳା ପ୍ରକଳ୍ପର ନକ୍ସା ପରିବର୍ତନ
ନାଉଗାଁ,(ଓ୍ବାଇଏନଏସ): ଉପକୂଳ ଜାତୀୟ ରାଜପଥ ସାଗରମାଳା ପ୍ରକଳ୍ପରନକ୍ସା ପରିବର୍ତନ ପ୍ରତିବାଦରେ ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଲକ ଅନ୍ତର୍ଗତ କାଦମ୍ବିନୀ ମଣ୍ଡପ ପରିସରରେ ଗୁରୁବାର ନାଉଗାଁ ବିକାଶ ପରିଷଦ ପକ୍ଷରୁ ଖବରଦାତା ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ଉକ୍ତ ସମ୍ମିଳନୀରେ ପୂର୍ବ ନିର୍ଦ୍ଧାରିତ ନକ୍ସା ଉପରେ ରାଜପଥ କାର୍ଯ୍ୟ କରା ନ ଗଲେ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରାଯିବ ବୋଲି ଚେତାବନୀ ପ୍ରଦାନ କରାଯାଇଥିଲା। ଭାରତ ସରକାରଙ୍କ ଉପକୂଳ ଜାତୀୟ ରାଜପଥ ଯୋଜନାରେ ରାମେଶ୍ୱର ଠାରୁ ପାରାଦୀପ ପର୍ଯ୍ୟନ୍ତ ରାସ୍ତା ନିର୍ମାଣ କରାଯିବାର ସର୍ଭେ ଶ୍ରୀ ଚୈତନ୍ୟ ଗ୍ରୁପକୁ ଦାୟିତ୍ୱ ପ୍ରଦାନ କରାଯାଇଥିଲା। ଉକ୍ତ ଗ୍ରୁପର ସର୍ଭେ ଅନୁସାରେ ଉକ୍ତ ଜାତୀୟ ରାଜପଥ ପୁରୀ ଜିଲା କାକଟପୁରରୁ ନାଉଗାଁ ବ୍ଳକର ଓଷକଣା,କୋରୁଅ,ଡାବର ପଂଚାୟତ ଦେଇ ବାଲିକୁଦା ବ୍ଳକ ଓ ଏରସମା ବ୍ଳକକୁ ସଂଯୋଗ କରିବା ପାଇଁ ନକ୍ସାରେ ପ୍ରଦର୍ଶିତ କରାଯାଇଥିଲା। ଉକ୍ତ ନକ୍ସାକୁ ପରିବେଶ ଓ ପ୍ରଦୁଷଣ ମନ୍ତ୍ରଣାଳୟର ସମ୍ମତି ପ୍ରଦାନ କରାଯାଇଥିଲା। ଏପରିକି ଯେଉଁ ଅଂଚଳ ଦେଇ ଉକ୍ତ ରାଜପଥ ଯିବାର ସ୍ଥିର କରାଯାଇଥିଲା ସେହି ଅଂଚଳର ଜମିକୁ ଅଧିଗ୍ରହଣ ପାଇଁ ସ୍ଥାନୀୟ ତହସିଲଦାର ଓ ପ୍ରଶାସନିକ ଅଧିକାରୀମାନେ ବାରମ୍ବାର ପରିଦର୍ଶନ କରିଥଲେ। ରାଜପଥ ନିର୍ମାଣ ପାଇଁ ଚାଷୀମାନଙ୍କର ଚାଷ ଜମିକୁ ଚାଷ କାର୍ଯ୍ୟରୁ ମଧ୍ୟ ନିବୃତ ରଖାଯାଇଥିଲା। କିନ୍ତୁ ପୂର୍ବ ନକ୍ସାକୁ ବାଦ୍ ଦେଇ ବର୍ତମାନ ଉକ୍ତ ରାଜପଥକୁ କାକଟପୁରରୁ ନାଉଗାଁ ଦେଇ ଏରସମାକୁ ସଂଯୋଗ କରିବା ପରିବର୍ତେ କାକଟପୁରରୁ ଅସ୍ତରଙ୍ଗ ଦେଇ ଏରସମାକୁ ସଂଯୋଗ କରିବା ପାଇଁ ଯୋଜନା ଚାଲିଛି। ଉକ୍ତ ବାଟ ଦେଇ ରାଜପଥ ନିର୍ମାଣ କରାଗଲେ ନଦୀ ମୁହାଣ ନିକଟରେ ଦୀର୍ଘତମ ସେତୁ ନିର୍ମାଣ ଯୋଗୁ ନଦୀରୁ ଜଳ ନିଷ୍କାସନରେ ବାଧା ସୃଷ୍ଟି ହେବ। ଯାହାଫଳରେ ଉକ୍ତ ବ୍ଳକ ଦେଇ ପ୍ରବାହିତ ଦେବୀ ନଦୀରେ ବର୍ଷା ଦିନେ ଘାଇ ସୃଷ୍ଟି ହେବା ସହ ବନ୍ୟା ହେବାର ସମ୍ଭାବନା ଯଥେଷ୍ଟ ରହିଛି। ସେହିପରି ରାଜପଥ ନିର୍ମାଣ ଫଳରେ ନଦୀ କୂଳରେ ଶହ ଶହ ଏକର ହେନ୍ତାଳ ବଣ ନଷ୍ଟ ହେବାର ସମ୍ଭାବନା ରହିଛି। ସେତୁ ହେବା ଫଳରେ ନଦୀ ମୁହାଣରେ ବାଲିଚର ସୃଷ୍ଟି ହେବ। ଯାହାଫଳରେ ଅଲିଭ୍ ରିଡଲେ କଇଁଚ୍ଛ ମାନଙ୍କର ଅଣ୍ଡା ଦେବାରେ ବାଧା ଉପୁଜିବ। ବଡ ଧରଣର ସେତୁ ହେବା ଫଳରେ ସାମୁଦ୍ରିକ ଜୁଆର ଯିବା ଆସିବାରେ ବାଧା ସୃଷ୍ଟି ହେବ। ଯାହାଫଳରେ ହଜାର ହଜାର ମତ୍ସଜିବୀ ନିଜର ଜୀବିକା ହରାଇବେ। ତେଣୁ ପୂର୍ବ ନକ୍ସା ଅନୁସାରେ ରାଜପଥ ନିର୍ମାଣ କରିବା ପାଇଁ ସମ୍ମିଳନୀରେ ଦାବି କରାଯାଇଥିଲା। ଭାଜପା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଉପେନ୍ଦ୍ରନାଥ ବିଶ୍ୱାଳଙ୍କ ସଭାପତିତ୍ୱରେ ଆୟୋଜିତ ସମ୍ମିଳନୀରେ ପଂଚାୟତ ସମିତି ଅଧ୍ୟକ୍ଷା ତୃଷ୍ଣା ଲେଙ୍କା, ଉପାଧ୍ୟକ୍ଷ ସୁଜିତ ପୁହାଣ,ସୂର୍ଯ୍ୟରଂଜନ ମହାନ୍ତି,ପରିଷଦର ସଭାପତି ସୁବାସ ବିଶ୍ୱାଳ, ସଂପାଦକ ବାବୁଲି ଚରଣ ପରିଡା,ପୂର୍ବତନ ଜିଲା ପରିଷଦ ସଭ୍ୟ ନିରଞ୍ଜନ ବେହୁରା,ଭାଜପାର ପୂର୍ବତନ ନାଉଗାଁ ମଣ୍ଡଳ ସଭାପତି ନିଲୁରାମ ଜେନା, ପରିଷଦର କୋଷାଧ୍ୟକ୍ଷ ବିଷ୍ଣୁଚରଣ ବିଶ୍ୱାଳ, ବାଲିକୁଦା ବ୍ଲକର ଜିଲ୍ଲା ପରିଷଦ ସଭ୍ୟ ଜଟାଧାରୀ ଦାସ, ଶିଶିର ସ୍ୱାଇଁ ସମେତ ନାଉଗାଁ ବ୍ଳକର ବିଭିନ୍ନ ପଂଚାୟତର ପଂଚାୟତ ଜନ ପ୍ରତିନିଧି, ବୁଦ୍ଧିଜୀବୀ ଓ ଦଳୀୟ କର୍ମକର୍ତାମାନେ ଯୋଗ ଦେଇଥିଲେ।


