ଜିଲ୍ଲା ସ୍ତରୀୟ ସାଂସଦ ଖେଳ ମହୋତ୍ସବ ଉଦଘାଟିତ
କେନ୍ଦ୍ରାପଡ଼ା,(ଚିତ୍ତ ରଞ୍ଜନ ଦାଶ):କେନ୍ଦ୍ରାପଡ଼ା ହାଇସ୍କୁଲ ଖେଳ ପଡିଆରେ ଜିଲ୍ଲାସ୍ତରୀୟ ସାଂସଦ ଖେଳ ମହୋତ୍ସବ ଉଦଘାଟିତ ହୋଇଯାଇଛି। ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଅଜାମ୍ବର ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହାର ଶୁଭାରମ୍ଭ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସାଂସଦ ଖେଳ ମହୋତ୍ସବ ସଂଯୋଜକ ତଥା ଜିଲ୍ଲା ବିଜେପି ସଭାପତି ଶଶାଙ୍କ ସେଠୀ, ଜିଲ୍ଲା ଶିକ୍ଷା ଅଧିକାରୀ ପବିତ୍ର ମୋହନ ବାରିକ, ଜିଲ୍ଲା କ୍ରୀଡା ଅଧିକାରୀ ଲୋକନାଥ ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ଥିଲେ। କ୍ରୀଡା ଦ୍ୱାରା ସ୍ୱାସ୍ଥ୍ୟ ଭଲ ରହିବା ସହିତ ଏହାକୁ କ୍ୟାରିୟାର କରିବାକୁ ବକ୍ତାମାନେ ମତ ଦେଇଥିଲେ। ଏହା ସହିତ ଖେଳୁଆଡ଼ ମନୋବୃତ୍ତି ଆପଣାଇ ସଫଳତା ହାସଲ କରିବାକୁ ପରାମର୍ଶ ଦେଇଥିଲେ । କ୍ରୀଡାର ବିକାଶ ନିମନ୍ତେ ଉଭୟ ରାଜ୍ୟ ଏବଂ କେନ୍ଦ୍ର ସରକାର ବିଭିନ୍ନ ସହାୟତା କରୁଛନ୍ତି। ସେଥିପାଇଁ ବର୍ତ୍ତମାନ କ୍ରୀଡା କ୍ଷେତ୍ରରେ ନିଜକୁ ଶ୍ରେଷ୍ଠ କ୍ରୀଡ଼ାବିତ କରିବାରେ ବହୁତ ସୁଯୋଗ ରହିଛି। ଏଥିପାଇଁ ସମସ୍ତେ ଆଗେଇ ଆସିବାକୁ ଆହ୍ୱାନ ଦିଆଯାଇଛି। ଏହି ମହୋତ୍ସବରେ କେନ୍ଦ୍ରାପଡ଼ା ଲୋକସେବା ଅଧୀନ ୭ଟି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ରାଜକନିକା, ଆଳି, ପଟ୍ଟାମୁଣ୍ଡାଇ, ରାଜନଗର, ମହାକାଳପଡ଼ା, ମାର୍ଶାଘାଇ, ଗରଦପୁର, ଡେରାବିଶ, କେନ୍ଦ୍ରାପଡ଼ା, ମାହାଙ୍ଗା, ସାଲେପୁର, ନିଶ୍ଚିତକଇଲି ଏବଂ ଟାଙ୍ଗୀ ବ୍ଲକ ସ୍ତରରେ କୃତିତ୍ୱ ଅର୍ଜନ କରିଥିବା ୨ ହଜାରରୁ ଅଧିକ ଖେଳାଳୀ ମାନେ ଅଂଶଗ୍ରହଣ କରିଛନ୍ତି। ଆଜି ବ୍ୟକ୍ତିଗତ ଇଭେଣ୍ଟ ପ୍ରତିଯୋଗିତା ଆୟୋଜିତ ହୋଇଛି। ଆସନ୍ତା କାଲି ଦଳୀୟ କ୍ରୀଡା ପ୍ରତିଯୋଗିତା ମାନ ଆୟୋଜିତ ହେବ। ପ୍ରତିଯୋଗିତାମାନ ଆୟୋଜନ ନିମନ୍ତେ ସମସ୍ତ କ୍ରୀଡା ଶିକ୍ଷକ ମାନେ ସହଯୋଗ କରିଥିଲେ। ଏହା ଆସନ୍ତା ୨୫ତାରିଖରେ ଉଦଯାପିତ ହେବ। ସୂଚନା ଯୋଗ୍ୟ ଯେ ଉଦଯାପନୀ କାର୍ଯ୍ୟକ୍ରମରେ କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡା ଯୋଗଦେବେ।


