୧୦୩ ବର୍ଷର ପୁରାତନ ଶିକ୍ଷାନୁଷ୍ଠାନରେ ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କ ପାଇଁ ଆବଶ୍ୟକ ବ୍ୟବସ୍ଥା ନଥିବା ଅଭିଯୋଗ
କଟକ, (ଓ୍ବାଇଏନଏସ): ରାଧାନାଥ ଉଚ୍ଚତର ଶିକ୍ଷା ଅନୁଧ୍ୟାନ ପ୍ରତିଷ୍ଠାନ ଭଳି ୧୦୩ ବର୍ଷର ପୁରାତନ ଶିକ୍ଷାନୁଷ୍ଠାନରେ ଦିବ୍ୟାଙ୍ଗ ଛାତ୍ରଛାତ୍ରୀ ଓ କର୍ମଚାରୀଙ୍କ ପାଇଁ ଆବଶ୍ୟକ ସୁଗମ୍ୟତା ବ୍ୟବସ୍ଥା ନଥିବା ଅଭିଯୋଗ ହୋଇଛି। ଏହି ପ୍ରସଙ୍ଗରେ ଦିବ୍ୟାଙ୍ଗ ଅଧିକାର କର୍ମୀ ତଥା ସୁଗମ ଓଡିଶା ଅଭିଯାନ ରାଜ୍ୟ ମୁଖ୍ୟ ମଣ୍ଟୁ ଦାସ ଅନୁଷ୍ଠାନର ଅଧ୍ୟକ୍ଷଙ୍କୁ ସାକ୍ଷାତ କରି ଅବଗତ କରିବା ସହିତ ଦିବ୍ୟାଙ୍ଗ ଛାତ୍ରଛାତ୍ରୀ ଓ କର୍ମଚାରୀଙ୍କ ପାଇଁ ତୁରନ୍ତ ଆବଶ୍ୟକ ବ୍ୟବସ୍ଥା କରିବାକୁ ଦାବି କରିଛନ୍ତି। ଏଥି ସହିତ ଦିବ୍ୟାଙ୍ଗଙ୍କ ପାଇଁ ରାଜ୍ୟ ଆୟୋଗ (ଏସସିପିଡି)ଙ୍କ ନିକଟରେ ଶ୍ରୀ ଦାସ ଏହି ପ୍ରସଂଗକୁ ନେଇ ଲିଖିତ ଅଭିଯୋଗ କରିଛନ୍ତି। ଶ୍ରୀ ଦାସଙ୍କ ଅଭିଯୋଗ ଅନୁସାରେ, ଅନୁଷ୍ଠାନରେ ହ୍ୱିଲଚେୟାର ବ୍ୟବହାରକାରୀଙ୍କ ପାଇଁ ଉପଯୁକ୍ତ ରାମ୍ପ ଓ ହ୍ୟାଣ୍ଡରେଲ୍, ଲିଫ୍ଟ, ଦୃଷ୍ଟିବାଧିତଙ୍କ ପାଇଁ ଟ୍ୟାକ୍ଟାଇଲ୍ ପାଥ୍ ଓ ସୁଗମ୍ୟ ଶୌଚାଳୟ ଭଳି ମୌଳିକ ବ୍ୟବସ୍ଥା ନାହିଁ। ଫଳରେ ଅନ୍ୟମାନଙ୍କ ସହିତ ସମାନ ଭାବରେ ଶିକ୍ଷା ଗ୍ରହଣ ଓ ଅନୁଷ୍ଠାନର ବିଭିନ୍ନ ସୁବିଧା ବ୍ୟବହାର କରିବାର ଅଧିକାରରୁ ଦିବ୍ୟାଙ୍ଗ ଛାତ୍ରଛାତ୍ରୀ ବଞ୍ଚିତ ହେଉଛନ୍ତି। ଅନୁଷ୍ଠାନର ଜଣେ ହ୍ୱିଲଚେୟାର ବ୍ୟବହାର କାରୀ ଦିବ୍ୟାଙ୍ଗ କର୍ମଚାରୀ ମଧ୍ୟ ଦୀର୍ଘଦିନ ଧରି ଦିବ୍ୟାଙ୍ଗଅନୁକୂଳ ବ୍ୟବସ୍ଥା ଅଭାବରୁ ଅସୁବିଧା ଭୋଗୁଥିବା ଶ୍ରୀ ଦାସ ଅଭିଯୋଗ କରିଛନ୍ତି। ପ୍ରାୟ ଚାରିବର୍ଷ ଧରି ତାଙ୍କ ପାଇଁ ଅଫିସ୍ ରୁମ୍ ଭିତରେ ସହକର୍ମୀମାନଙ୍କ ସହ ସମାନ ଭାବରେ ବସିବାର ସୁଯୋଗ ମିଳୁ ନାହିଁ। ଦିବ୍ୟାଙ୍ଗ କର୍ମଚାରୀ ଜଣକଙ୍କ ପାଇଁ ବାରଣ୍ଡାରେ ଅଲଗା ଟେବୁଲ୍ ରଖାଯାଇଥିବା ଅଭିଯୋଗ କରିଛନ୍ତି ଶ୍ରୀ ଦାସ। ଭାରତୀୟ ସମ୍ବିଧାନର ସମାନତାର ଅଧିକାର ଓ ଦିବ୍ୟାଙ୍ଗ ଅଧିକାର ଆଇନ, ୨୦୧୬ରେ ଦିବ୍ୟାଙ୍ଗ ବ୍ୟକ୍ତିଙ୍କ ସମାନ ସୁଯୋଗ, ଅଧିକାରର ସୁରକ୍ଷା ଓ ବିଷମତା ବିରୋଧୀ ବ୍ୟବସ୍ଥାକୁ ଗୁରୁତ୍ୱ ଦିଆଯାଇଛି। ଆଇନର ଧାରା ୩ ଦିବ୍ୟାଙ୍ଗ ବ୍ୟକ୍ତିଙ୍କ ବିରୋଧରେ ଭେଦଭାବକୁ ନିଷେଧ ଓ ସମାନତା ଧାରାକୁ ସୁରକ୍ଷା ଦେଇଥାଏ। ସେହିପରି ଧାରା ୨୦ ନିଯୁକ୍ତି କ୍ଷେତ୍ରରେ ଦିବ୍ୟାଙ୍ଗ କର୍ମଚାରୀଙ୍କ ବିରୋଧରେ ଭେଦଭାବ ନ କରିବା ଓ ସମାନ ସୁଯୋଗ ସୁନିଶ୍ଚିତ କରିବା ସମ୍ପର୍କରେ ବ୍ୟବସ୍ଥା କରିଛି। ତେଣୁ ତୁରନ୍ତ ଆଇନ ଅନୁସାରେ ଏହି ଅନୁଷ୍ଠାନରେ ଦିବ୍ୟାଙ୍ଗ ଛାତ୍ରଛାତ୍ରୀ ଓ କର୍ମଚାରୀଙ୍କ ପାଇଁ ଆବଶ୍ୟକ ବ୍ୟବସ୍ଥା କରାଯାଉ ବୋଲି ଶ୍ରୀ ଦାସ ତାଙ୍କ ଅଭିଯୋଗ ପତ୍ରରେ ଉଲ୍ଲେଖ କରିଛନ୍ତି।


