ସ୍ୱାସ୍ଥ୍ୟ ସମ୍ପର୍କିତ ସମୀକ୍ଷା ବୈଠକ ଅନୁଷ୍ଠିତ
କଟକ (ଓ୍ବାଇଏନଏସ): ପି.ସି. ଏବଂ ପି.ଏନ.ଡି.ଟି ୧୯୯୪(ଲିଙ୍ଗ ଚୟନ ନିଷେଧ) ଅଧିନିୟମ ଅନୁଯାୟୀ ଗର୍ଭସ୍ଥ ଶିଶୁର ଲିଙ୍ଗ ଚୟନ ନିଷେଧ କରିବା ଉପରେ ଉପଦେଷ୍ଟା କମିଟିର ଏକ ବୈଠକ ଜିଲ୍ଲାପାଳ ଶ୍ରୀ ଦତାତ୍ରୟ ଭାଉସାହେବ ଶିନ୍ଦେଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି ନିୟମର କଡାକଡି ପାଳନ, ଗର୍ଭସ୍ଥ ଭୃଣର ଲିଙ୍ଗ ଚିହ୍ନଟ କରୁଥିବା ଡାକ୍ତର ଏବଂ ଡାକ୍ତରଖାନା ବିରୁଦ୍ଧରେ କଡା କାର୍ଯ୍ୟାନୁଷ୍ଠାନ ଏବଂ ଏହି ଆଇନ ସମ୍ବନ୍ଧରେ ଜନସଚେତନତା ସୃଷ୍ଟି ଉପରେ ଜିଲ୍ଳାପାଳ ଗୁରୁତ୍ୱ ଦେଇଥିଲେ । ଏଥିସହ ବୈଜ୍ଞାନିକ ଓ ଯାନ୍ତ୍ରିକ କୌଶଳର ଅପବ୍ୟବହାର କରି ଚୋରା ଓ ଲୁଚା ଛପାରେ ଲିଙ୍ଗ ନିରୁପଣ କରାଯାଉଥିବା କାର୍ଯ୍ୟକୁ ପ୍ରତିହତ କରିବା ପାଇଁ ଆବଶ୍ୟକସ୍ଥଳେ ଜିଲ୍ଲାର ନର୍ସିଂହୋମଗୁଡିକ ଉପରେ ଚଢାଉ କରିବା ତଥା ଅଲଟ୍ରାସାଉଣ୍ଡ ୟୁନିଟ ଗୁଡିକୁ ପରିଦର୍ଶନ କରିବା ଉପରେ ଆଲୋଚନା କରାଯାଇଥିଲା । ଜିଲ୍ଳାପାଳଙ୍କ ନିର୍ଦ୍ଦେଶକ୍ରମରେ ମାହାଙ୍ଗା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଓ ବାଙ୍କୀ ଉପଖଣ୍ଡ ସ୍ୱାସ୍ଥ୍ୟ କେନ୍ଦ୍ରରେ ଅଲଟ୍ରାସାଉଣ୍ଡ ସୁବିଧା ଉପଲବଧ ହେଉଥିବାବେଳେ ଆସନ୍ତା ୩ ମାସ ମଧ୍ୟରେ ତିଗିରିଆ, ନିଆଳି ଓ ନରସିଂହପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଅଲଟ୍ରାସାଉଣ୍ଡ ସୁବିଧା ଉପଲବଧ ହେବ । ଏଥିସହ ଆଜି ଜିଲ୍ଲା ଟିବି ଫୋରମ ଏବଂ ମାତୃ ଓ ଶିଶୁ ମୃତ୍ୟୁହାର ସମ୍ପର୍କରେ ମଧ୍ୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା । ଅଧିକରୁ ଅଧିକ ଲୋକ କିଭଳି ସଠିକ ସମୟରେ ଯାଂଚ କରି ଯକ୍ଷ୍ମା ରୋଗର ନିଦାନ ପାଇପାରିବେ ସେ ଦିଗରେ ପଦକ୍ଷେପ ନେବାକୁ ଜିଲ୍ଳାପାଳ ପରାମର୍ଶ ଦେଇଥିଲେ । ବର୍ତମାନ ଜିଲ୍ଲାରେ ପ୍ରତି ଏକ ହଜାର ଯକ୍ଷ୍ମା ରୋଗୀଙ୍କ ମଧ୍ୟରେ ମୃତ୍ୟୁ ହାର ୪.୩୭ ପ୍ରତିଶତ ଥିବାବେଳେ ଆସନ୍ତା ଏକ ବର୍ଷ ମଧ୍ୟରେ ଜିଲ୍ଳାରେ ଯକ୍ଷ୍ମା ମୃତ୍ୟୁ ହାର ୩ ପ୍ରତିଶତକୁ ହ୍ରାସ କରିବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି । ଯକ୍ଷ୍ମା ନିରାକରଣ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟକରୁଥିବା ତିନିଜଣ ନିକ୍ଷୟ ମିତ୍ରଙ୍କୁ ବୈଠକରେ ପୁରସ୍କୃତ କରାଯାଇଥିଲା । ଏଥିସହ ଜିଲ୍ଳାରେ ମାତୃ ଓ ଶିଶୁ ମୃତ୍ୟୁ ହାର ରୋକିବା ଦିଗରେ ଆଶା ଓ ଅଙ୍ଗନବାଡି କର୍ମୀମାନଙ୍କର ଗୁରୁ ଦାୟିତ୍ୱ ରହିଥିବାରୁ ସେମାନେ ଗର୍ଭବତୀ ମହିଳା ଓ ଶିଶୁ ମାନଙ୍କୁ ସରକାରୀ ଡାକ୍ତରଖାନାରେ ନେଇ ଉପଲବଧ ଚିକିତ୍ସା ସୁବିଧା ଯୋଗାଇ ଦେବାକୁ ଜିଲ୍ଲାପାଳ ଗୁରୁତ୍ୱ ଦେଇଥିଲେ । ବୈଠକରେ ଆଠଗଡ ଉପଜିଲ୍ଲାପାଳ ପ୍ରହଲ୍ଲାଦ ନାରାୟଣ ଶର୍ମା, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଦିବ୍ୟଲୋଚନ ମହାନ୍ତ, ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଶ୍ରୀ ପ୍ରଶାନ୍ତ କୁମାର ହୋତା, ଅତିରିକ୍ତ ଜନସ୍ୱାସ୍ଥ୍ୟ ଅଧିକାରୀ, ମେଡିକାଲ ଅଧିକାରୀ, ବିଭିନ୍ନ ଅଧିକାରୀ ଓ ଏନଜିଓ ପ୍ରତିନିଧିମାନେ ଉପସ୍ଥିତ ଥିଲେ ।


