ଶିଶୁ ଓ ମହିଳା ଡେସ୍କ ଅଚଳ : ବୟାନ ରେକର୍ଡ ପାଇଁ ବାହାରୁ ଆସୁଛନ୍ତି ଏସଆଇ
କାକଟପୁର /ଅସ୍ତରଙ୍ଗ(ଶୁଭାଶିଷ ଖଣ୍ଡୁଆଳ) :-ରାଜ୍ୟ ସରକାର ମହିଳା ଓ ଶିଶୁଙ୍କ ସୁରକ୍ଷା ଲାଗି କଠୋର ନିୟମ ପ୍ରଣୟନ କରିଛନ୍ତି। ବର୍ତମାନ ସମୟରେ ନାବାଳିକା ନିଖୋଜ, ଗର୍ଭବତୀ ଓ ବଳାତ୍କାର ଘଟଣା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ରାଜ୍ୟ ସରକାର ପୁଲିସ ପ୍ରଶାସନ ମହିଳା ଓ ଶିଶୁଙ୍କ ସୁରକ୍ଷା କୁ ନେଇ ଅଧିକ ପ୍ରାଧାନ୍ୟ ମଧ୍ୟ ଦେଉଛନ୍ତି। ସେଥିପାଇଁ ପ୍ରତ୍ୟେକ ଥାନାରେ ମହିଳା ଓ ଶିଶୁ ଡେସ୍କ ଖୋଲା ଯାଇଛି।
କିନ୍ତୁ କିଛି ଦିନ ହେବ ପୁରୀ ଜିଲ୍ଲା ଅସ୍ତରଙ୍ଗ ଓ ନୂଆଗଡ ଥାନାରେ ମହିଳା ପୁଲିସ ଅଧିକାରିଣୀ ନାହାନ୍ତି। ମହିଳା ଓ ଶିଶୁ ଡେସ୍କ ଫାଙ୍କା। ଫଳରେ ବୟାନ ରେକର୍ଡ ରେ ବହୁ ଅସୁବିଧା ଉପୁଜୁଛି। ଯେ କୌଣସି ସମୟରେ କେହି ମହିଳା କିମ୍ବା ନାବାଳିକା ଥାନାକୁ ଆସିଲେ ପ୍ରଥମେ ଉକ୍ତ ଡେସ୍କ କୁ ଯାଇ ନିଜ ଅଭିଯୋଗ ଜଣାଇବା ସହ ଅଧିକାରିଣୀ ଅଭିଯୋଗ ରଖିବେ।ଦାୟିତ୍ୱରେ ଥିବା ମହିଳା ଅଧିକାରୀ ଶିଶୁ ଓ ମହିଳାଙ୍କ ଠାରୁ ସମସ୍ତ ବିଷୟ ବୁଝିବେ ଓ ଏତଲା ରଖି ତଦନ୍ତ କରିବେ। ମହିଳା ଓ ଶିଶୁ ମାନେ ନିଜର ଗୋପନ ବିଷୟ ବିନା ଭୟ ବା ଲାଜରେ କହି ପାରିବେ। କିନ୍ତୁ ଅସ୍ତରଙ୍ଗ ଓ ନୂଆଗଡ ସାମୁଦ୍ରିକ ଥାନାରେ କେହି ମହିଳା ଅଧିକାରୀ ବା ଏସଆଇ ନାହାନ୍ତି। କିନ୍ତୁ ପୁଲିସ ପକ୍ଷରୁ ୧୮୦ ବିଏନଏସ ରେ ରେକର୍ଡ ପାଇଁ ଅନ୍ୟ ଥାନାର ମହିଳା ଏସଆଇ ଙ୍କୁ ଧାରରେ ଆଣି ବୟାନ ରେକର୍ଡ କରୁଛନ୍ତି। ମାଜିଷ୍ଟ୍ରେଷ୍ଟ ଆଗରେ ୧୮୩ ବିଏନଏସ ବୟାନ ରେକର୍ଡ ସମୟରେ ମଧ୍ୟ ମହିଳା ଅଧିକାରୀ ଙ୍କ ଉପସ୍ଥିତ ଜରୁରୀ। ଅସ୍ତରଙ୍ଗ ଥାନା ଓ ନୂଆଗଡ ସାମୁଦ୍ରିକ ଥାନାରେ ମହିଳା ପୁଲିସ ଅଧିକାରୀଣି ନଥିବାରୁ ଶିଶୁ ଓ ମହିଳା ଡେସ୍କ ଏକ ପ୍ରକାର ଅଚଳ ହୋଇପଡିଛି।ଅପର ପକ୍ଷରେ ଅସ୍ତରଙ୍ଗ ଥାନାରେ ଆବଶ୍ୟକତା ଅନୁଯାୟୀ, ବହୁ ପଦବୀ ଫାଙ୍କା ପଡିଛି। ଅନୁମୋଦିତ ପଦବୀ ଇନିସ୍ପେକ୍ଟର ୧ରୁ ୧ଅଛନ୍ତି। ସେହିପରି ସବ -ଇନିସ୍ପେକ୍ଟର (ଏସଆଇ )୧ଜଣ ଅଛନ୍ତି। ଏଏସଆଇ ୨ଜଣ, ହାବିଲଦାର ୨ଜଣ ରୁ ୧ଜଣ ଥିବା ବେଳେ କନଷ୍ଟେବଳ ୯ଜଣ ରୁ ୮ଜଣ ଅଛନ୍ତି। ନାବାଳିକା ନିଖୋଜ ମାମଲାରେ ଅଧିକାରୀ ଜିଲ୍ଲା ତଥା ରାଜ୍ୟ ବାହାରକୁ ଗଲେ ଥାନା ଫାଙ୍କା। ଏ ସମ୍ପର୍କରେ ଅସ୍ତରଙ୍ଗ ଥାନା ଅଧିକାରୀ ଦୁର୍ଗା ଚରଣ ମହାପାତ୍ର କହିଛନ୍ତି, ମହିଳା ଅଧିକାରୀ ନଥିବାରୁ କାକଟପୁର, ଚାରିଛକ ଥାନାର ମହିଳା ଅଧିକାରୀ ଙ୍କ ଉପରେ ନିର୍ଭର କରିବାକୁ ପଡୁଛି। ଏ ସମ୍ପର୍କ ରେ ଉଚ୍ଚ ସ୍ତରୀୟ ଅଧିକାରୀ ଙ୍କୁ ଜଣାଇଛୁ, ସ୍ଥାନୀୟ ବାସିନ୍ଧା ଦାବୀ କରିଛନ୍ତି ମହିଳା ଅଧିକାରୀ ସମେତ ଅନ୍ୟ ପଦବୀ ପୂରଣ କରାଯାଉ।


