ଜମିବାଡି ବିବାଦରୁ : ପୁତୁରାକୁ ହାଣି ହତ୍ୟା କଲା ଦାଦା

କେନ୍ଦ୍ରାପଡ଼ା,(ଚିତ୍ତ ରଞ୍ଜନ ଦାଶ):କେନ୍ଦ୍ରାପଡ଼ା ସଦର ଥାନା ଅନ୍ତର୍ଗତ ଚକ୍ରୋଡ଼ା ଗ୍ରାମପଞ୍ଚାୟତର ନରିଲୋ ଗ୍ରାମରେ ପୁତୁରାକୁ ହାଣି ହତ୍ୟା କରିଛି ଦାଦା। ସେହିପରି ପୁତୁରାର ବାପା ଓ ମା ତଥା ଅଭିଯୁକ୍ତର ଭାଇ ଓ ଭାଉଜକୁ ହାଣି ଗୁରୁତର କରିଛି ଅଭିଯୁକ୍ତ ରାଜକିଶୋର। ଯୁବକ ଉପେନ୍ଦ୍ର ଓରଫ ପିନୁ ଓଝାକୁ ହତ୍ୟା କରାଯାଇଛି। ଗୁରୁତର ଆହତ ଅବସ୍ଥାରେ କଟକ ବଡ଼ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି ସରୋଜକାନ୍ତ ଓଝା ଓ ତାଙ୍କ ପତ୍ନୀ ସଂଯୁକ୍ତା ଓଝା। ଥାନା ସୁତ୍ରରୁ ପ୍ରକାଶ ଯେ ସରୋଜକାନ୍ତ ଓଝା ଓ ତାଙ୍କ ସାନଭାଇ ରାଜକିଶୋର ଓଝାଙ୍କ ମଧ୍ୟରେ ଦୀର୍ଘଦିନ ଧରି ଜମିବାଡି ବିବାଦ ଲାଗି ରହିଥିଲା। ସେହି ବିବାଦ ସମାଧାନ ହୋଇନଥିବା ବେଳେ ସରୋଜକାନ୍ତ ନୂତନ ଘର ନିର୍ମାଣ କରୁଥିଲେ। ଏହାକୁ ନେଇ ବିବାଦ ଅଧିକ ଉଗ୍ରରୂପ ନେଇଥିଲା। ଏହି ବିବାଦର ସମାଧାନ ପାଇଁ ଗ୍ରାମର କେତେକ ଭଦ୍ରଲୋକଙ୍କ ଉପସ୍ଥିତିରେ ଗ୍ରାମସ୍ଥିତ ଲକ୍ଷ୍ମୀନାରାୟଣ ମଣ୍ଡପରେ ଶନିବାର ରାତିରେ ଏକ ସଭା ବସିଥିଲା। ସେଠାରେ ଆଲୋଚନା ଚାଲିଥିବା ବେଳେ ସଭାର ନିଷ୍ପତ୍ତିକୁ ନ ମାନି ରାଜକିଶୋର ସଭାରୁ ଉଠି ପଳାଇଥିଲେ। ଏହାପରେ ରାଜକିଶୋର, ପୁଅ ଉମାକାନ୍ତ, ପତ୍ନୀ ପ୍ରଣତି ଓ ଝିଅ ତପିନା କଟୁରୀ, ଭୁଜାଲି,ଲୁହାରଡ ଓ ଅନ୍ୟାନ୍ୟ ମାରଣାସ୍ତ୍ର ଧରି ସରୋଜଙ୍କ ନିର୍ମାଣଧିନ ଗୃହକୁ ଭାଙ୍ଗିବା ସହ ସେଠାରେ ଲାଗିଥିବା ସିସିଟିଭିକୁ ମଧ୍ୟ ଭାଙ୍ଗି ଦେଇଥିଲେ। ଏ ସଂକ୍ରାନ୍ତରେ ଖବର ପାଇ ସଭାରେ ଉପସ୍ଥିତ ସରୋଜ ଏବଂ ତାଙ୍କ ପତ୍ନୀ ସଂଯୁକ୍ତ ଓ ପୁଅ ଉପେନ୍ଦ୍ର ଘଟଣା ସ୍ଥଳରେ ପହଞ୍ଚି ପ୍ରତିବାଦ କରିଥିଲେ। ଏଥିରେ ଉତ୍ୟକ୍ତ ହୋଇ ସେମାନଙ୍କୁ ଜୀବନରେ ମାରିଦେବା ଉଦ୍ଦେଶ୍ୟରେ ରାଜକିଶୋର ଓ ତାଙ୍କ ପରିବାର ଲୋକେ ଆକ୍ରମଣ କରିଥିଲେ। ଫଳରେ ଉପେନ୍ଦ୍ର, ସରୋଜ ଓ ସଂଯୁକ୍ତା ରକ୍ତ ଜୁଡୁବୁଡୁ ଅବସ୍ଥାରେ ତଳେ ପଡି ଯାଇଥିଲେ। ଚିତ୍କାର ଶୁଣି ଗାଁ ଲୋକ ଆସିଯିବାରୁ ଆସାମୀମାନେ ଘଟଣା ସ୍ଥଳରୁ ପଳାଇଥିଲେ। ଗ୍ରାମବାସୀ ପୋଲିସ ଓ ଆମ୍ବୁଲାନ୍ସକୁ ଫୋନକରି ଡକାଇଥିଲେ। ଉଭ୍ରୟ ପୋଲିସ ଓ ଆମ୍ବୁଲାନ୍ସ ଘଟଣା ସ୍ଥଳରେ ପହଞ୍ଚି ଆହତମାନଙ୍କୁ ପ୍ରଥମେ କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ହେଲେ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ଡାକ୍ତର ସମସ୍ତଙ୍କୁ କଟକ ବଡ଼ ଡାକ୍ତରଖାନାକୁ ପଠାଇ ଦେଇଥିଲେ। କଟକ ବଡ଼ ଡାକ୍ତରଖାନାରେ ଡାକ୍ତର ଉପେନ୍ଦ୍ରଙ୍କୁ ମୃତ ଘୋଷଣା କରିଥିଲେ। ଅନ୍ୟ ଦୁଇ ଜଣ ସରୋଜ ଓ ସଂଯୁକ୍ତା ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି। ଏ ସଂକ୍ରାନ୍ତରେ ମୃତ ଉପେନ୍ଦ୍ରଙ୍କ ପତ୍ନୀ ସୁଷମା ଓଝା କେନ୍ଦ୍ରାପଡା ସଦର ଥାନାରେ ଏତଲା ଦେଇଛନ୍ତି। ସେହି ଏତଲାକୁ ଭିତ୍ତିକରି ପୋଲିସ ଥାନା କେଶ ନଂ. ୭/୨୦୨୬ରେ ଭାରତୀୟ ନ୍ୟାୟ ସଂହିତାର ୧୦୩, ୨୯୬, ୩୨୪(୪), ୧୧୫(୨), ୧୧୮(୨), ୧୧୮(୧), ୩୫୧(୨), ୩(୫) ଦଫାରେ ମାମଲା ରୁଜୁ କରି ଆସାମୀ ଲିପୁନି ଓରଫ ଉମାକାନ୍ତ ଓଝା(୨୫) ଓ ପ୍ରଣତି ଓଝା(୪୮)ଙ୍କୁ କୋର୍ଟଚାଲାଣ କରିଥିବା ବେଳେ ରାଜକିଶୋର ଓଝାଙ୍କୁ ପଚରାଉଚରା ଜାରି ରଖିଥିବା ଥାନାଧିକାରୀ ଶୁଭେନ୍ଦୁ କୁମାର ସାହୁ ସୂଚନା ଦେଇଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ