ପୁଲିସକୁ ଆକ୍ରମଣ ଘଟଣା: ୧୫ ଗିରଫ
କଲ୍ୟାଣସିଂହପୁର(ଏଙ୍କେଟେଶ୍ୱର ପାଢ଼ୀ): ପୁଲିସକୁ ଆକ୍ରମଣ କରିବା ଘଟଣାରେ ରାୟଗଡା ଜିଲ୍ଲାର କାଶୀପୁର ବ୍ଲକର ଟିକିରି ପୁଲିସ ଶଙ୍କରଡ଼ା ପଞ୍ଚାୟତ ଏବଂ ଆଖପାଖ ଅଞ୍ଚଳର ୧୫ଜଣ ଆକ୍ରମଣ କାରୀଙ୍କୁ ଗିରଫ କରିଛି । ସୂଚନାଯୋଗ୍ୟଯେ ଗତ ଡିସେମ୍ବର ୯ ତାରିଖରେ କାଳିଆପଡ଼ା ଘାଟିରେ ଏକ ଟ୍ରଲର ବାଇକ୍କୁ ଧକ୍କା ଦେବାରୁ ଗୁରୁତର ହୋଇଥିବା ଶଙ୍କରଡ଼ା ପଞ୍ଚାୟତର ଡଙ୍ଗାସିଲ ଗ୍ରାମର ପ୍ରଶାନ୍ତ ମାଝୀଙ୍କୁ ପୁଲିସ ଉଦ୍ଧାର କରି କାଶୀପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରିଥିଲା | କିନ୍ତୁ ପ୍ରଶାନ୍ତଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ଦୁର୍ଘଟଣା ଖବର ପାଇ ପରିବାର ଏବଂ ଗ୍ରାମବାସୀ ଘଟଣାସ୍ଥଳରେ ପହଞ୍ଚିଥିଲେ। କିନ୍ତୁ ଘଟଣାସ୍ଥଳରେ ପ୍ରଶାନ୍ତଙ୍କ ମୃତଦେହ କିମ୍ବା ବାଇକ୍ ନପାଇ ଘଟଣାକୁ ପୋଲିସ ଚପାଇ ଦେବାର ଉଦ୍ୟମ କରାଯାଇଥିବା ଅଭିଯୋଗ କରିଥିଲେ। ମୃତକଙ୍କ ପରିବାରକୁ କ୍ଷତିପୂରଣ ଦାବିରେ ଉତ୍ତ୍ଯକ୍ତ ଲୋକେ ରାସ୍ତା ଅବରୋଧ କରିବା ସହିତ ପୁଲିସ ସହିତ ଗଣ୍ଡଗୋଳ କରିଥିଲେ। ଲୋକଙ୍କୁ ବୁଝାସୁଝା କରିବାକୁ ଆସିଥିବା ପୁଲିସକୁ କିଛି ଜଣ ଆକ୍ରମଣ କରିବାରୁ ଥାନାର ମହିଳା ପୁଲିସ ଅଫିସର ପ୍ରିୟା ଓଝା ପ୍ରମୁଖ ଆହତ ହୋଇଥିଲେ । ଖବର ପାଇ ରାୟଗଡ଼ା ଏସ୍ଡିପିଓ ଗୌରହରି ସାହୁଙ୍କ ନେତୃତ୍ବରେ କାଶୀପୁର ଓ ଦୋରାଗୁଡ଼ା ଥାନା ଅଧିକାରୀଙ୍କ ସହିତ ପୁଲିସ ଫୋର୍ସ ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ଯକ୍ତ ଲୋକଙ୍କୁ ବୁଝାସୁଝା କରିବା ସହ ଗ୍ରାମବାସୀ ଅଟକ ରଖିଥିବା ଟିକିରି ଥାନା ଅଧିକାରୀ ବିଶ୍ୱବନ୍ଦିନୀ ବାଗ ଓ ଅନ୍ୟ ପୁଲିସ କର୍ମଚାରୀଙ୍କୁ ଉଦ୍ଧାର କରି ଚିକିତ୍ସା କରାଇଥିଲେ । ପରେ ମୃତକଙ୍କ ପରିବାରକୁ ପ୍ରଶାସନ ପକ୍ଷରୁ ରେଡ୍କ୍ରସ ପାଣ୍ଠିରୁ ୧୦ ହଜାର ଏବଂ ଦୁର୍ଘଟଣା ଘଟାଇଥିବା ଟ୍ରଲର ମାଲିକ ତରଫରୁ ଆର୍ଥିକ ସହାୟତା ପ୍ରଦାନ କରାଯାଇଥିଲା । ପୁଲିସକୁ ଆକ୍ରମଣ କରିବା ଘଟଣାରେ ଟିକିରି ପୁଲିସ କେଶ୍ ନଂ-୨୧୧/୨୬ ଅନୁଯାୟୀ ଏକ ମାମଲା ରୁଜୁ କରି ୧୫ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ସୂଚନା ମିଳିଛି ।


