ସରକାରୀ କୃଷି ମହାବିଦ୍ୟାଳୟ ପ୍ରତିଷ୍ଠା କ୍ରିୟାନୁଷ୍ଠାନ ସମିତିର ବୈଠକ
ବାଲେଶ୍ୱର, (ସରୋଜ ପଣ୍ଡା): ଜିଲ୍ଲାରେ ଏକ ସରକାରୀ କୃଷି ମହାବିଦ୍ୟାଳୟ ଓ କୃଷି ଗବେଷଣା କ୍ଷେତ୍ର ପ୍ରତିଷ୍ଠା ପାଇଁ ଦୀର୍ଘବର୍ଷ ଧରି ଜିଲ୍ଲାବାସୀ ଦାବି କରିଆସୁଛନ୍ତି। କିନ୍ତୁ ରାଜ୍ୟ ସରକାର ଓଡ଼ିଶାର କେତେକ ଜିଲ୍ଲାରେ କୃଷି ଭିତ୍ତିକ ଉଚ୍ଚ ଶିକ୍ଷାନୁଷ୍ଠାନ ପାଇଁ ଘୋଷଣା କରିଥିବା ବେଳେ ବାଲେଶ୍ୱର ଜିଲ୍ଲାବାସୀଙ୍କ ଦାବିକୁ ବିଚାରକୁ ନେଇନାହାନ୍ତି। ଏଣୁ କୃଷି ମହାବିଦ୍ୟାଳୟ ପ୍ରତିଷ୍ଠା ଦାବିରେ ବିଭିନ୍ନ ବର୍ଗର ବ୍ୟକ୍ତିଙ୍କୁ ନେଇ ଗଠିତ କ୍ରିୟାନୁଷ୍ଠାନ ସମିତିର ଅନୁଷ୍ଠିତ ବୈଠକରେ ଉଦବେଗ ପ୍ରକାଶ ପାଇଛି। ସମିତିର ସଭାପତି ଡ. କେଶବଚରଣ ପଣ୍ଡା ଏହି ବୈଠକରେ ଅଧ୍ୟକ୍ଷତା କରି ସମସ୍ତଙ୍କୁ ନବ ବର୍ଷ ପାଇଁ ଶୁଭେଛା ଜଣାଇଥିଲେ। ସାଧାରଣ ସମ୍ପାଦକ ଅଭୟ କୁମାର ମିଶ୍ର ଗତ ବୈଠକର ବିବରଣୀ ଓ ଗତ ବର୍ଷରେ ୧୦ଟି ବ୍ଲକରେ ଗଣଧାରଣା ଓ ସ୍ଥାନୀୟ ବିଡିଓଙ୍କ ଜରିଆରେ ମୁଖ୍ୟମନ୍ତ୍ରୀ ଓ କୃଷିମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ କରାଯାଇଥିବା ଉଲ୍ଳେଖ କରିଥିଲେ। ଆସନ୍ତା ମାସରେ ବାହାନଗା ଓ ଔପଦା ବ୍ଲକ ସ୍ତରୀୟ ଗଣଧାରଣା ଦିଆଯିବ ବୋଲି ଶ୍ରୀ ମିଶ୍ର ପ୍ରକାଶ କରିଥିଲେ। ଆସନ୍ତା ବିଧାନସଭା ଅଧିବେଶନ ପୂର୍ବରୁ ବାଲେଶ୍ୱର ଜିଲ୍ଲାର ସମସ୍ତ ବିଧାୟକମାନଙ୍କୁ ପ୍ରତିନିଧିମାନେ ସାକ୍ଷାତ କରି ଜିଲ୍ଲାବାସୀଙ୍କ ଦାବି ଉପରେ ବିଧାନସଭା ଅଧିବେଶନ ସମୟରେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ଅନୁରୋଧ କରିବା ପାଇଁ ପ୍ରସ୍ତାବ ଗୃହିତ ହୋଇଛି। ମୁଖ୍ୟମନ୍ତ୍ରୀ, କୃଷିମନ୍ତ୍ରୀ ଓ କୃଷି ବିଭାଗର ପ୍ରମୁଖ ଶାସନ ସଚିବଙ୍କୁ ଏକ ପ୍ରତିନିଧି ଦଳ ସାକ୍ଷାତ କରିବା ପାଇଁ ପୂର୍ବତନ ଜିଲ୍ଲା ପରିଷଦ ସଭାପତି ଗିରିଶଚନ୍ଦ୍ର ଦାଶଙ୍କୁ ଦାୟିତ୍ୱ ପ୍ରଦାନ କରାଯାଇଛି ବୋଲି ବୈଠକରେ ଆଲୋଚନା ହୋଇଥିଲା। ଏହାଛଡ଼ା କ୍ରିୟାନୁଷ୍ଠାନ କମିଟିର ତୃତୀୟ ଜିଲ୍ଲା ସମ୍ମିଳନୀ ଆସନ୍ତା ମାର୍ଚ୍ଚମାସ ୧୫ତାରିଖରେ ଅନୁଷ୍ଠିତ ହେବା ସହ ନୂତନ କର୍ମକର୍ତ୍ତା ନିର୍ବାଚନ କରାଯିବ। ଏଥିପାଇଁ ଖର୍ଚ୍ଚ ଆକଳନ ଓ ସ୍ଥାନ ନିରୂପଣ ଆସନ୍ତା ବୈଠକରେ ନିଷ୍ପତ୍ତି ନିଆଯିବ ବୋଲି ବୈଠକରେ ଆଲୋଚନା ହୋଇଥିଲା। ଏହି ଆଲୋଚନାରେ ନିରଞ୍ଜନ ପରିଡା, ଡ. ତାରାକାନ୍ତ ନନ୍ଦ, ଲକ୍ଷ୍ମଣ ବିଶ୍ୱାଳ, ଡ. କ୍ଷିତିଶ୍ୱର ଦାଶ, ହରନାରାୟଣ ମଢ଼ୁଆଳ, ନିରଞ୍ଜନ ପରିଡା, ମନୋଜ ବେହେରା, ଶଚୀନ୍ଦ୍ର ଦାସ, ଶ୍ୟାମସୁନ୍ଦର ଜେନା, ପୁରୁଷୋତ୍ତମ ବେହେରା ପ୍ରମୁଖ ଯୋଗଦେଇ ବିଭିନ୍ନ ପ୍ରସ୍ତାବ ଦେଇଥିଲେ। ଶେଷରେ ସୀତାରାମ ପ୍ରଧାନ ଧନ୍ୟବାଦ ଦେଇଥିଲେ।


