ଜାତୀୟ ମତଦାତା ଦିବସ ଉପଲକ୍ଷେ ପ୍ରସ୍ତୁତି ବୈଠକ
ବାଲେଶ୍ବର(ସରୋଜ ପଣ୍ଡା): ଆସନ୍ତା ୨୫ ଜାନୁଆରୀ ତାରିଖରେ ଜାତୀୟ ମତଦାତା ଦିବସ ଜିଲ୍ଲା ସାରା ଉତ୍ସାହ ଓ ସଚେତନତା ସହ ପାଳନ କରାଯିବ। ଏହି ଅବସରରେ ବୁଥ୍ ସ୍ତର ଏବଂ ଜିଲ୍ଲା ସ୍ତରରେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜିତ ହେବ। ବୁଥ୍ ସ୍ତରରେ, ନୂତନ ମତଦାତାମାନଙ୍କୁ ମତଦାତା ପରିଚୟ ପତ୍ର (EPIC) ପ୍ରଦାନ କରାଯିବ। ସେଥିସହିତ ମତଦାତାଙ୍କ ଦ୍ୱାରା ଶପଥ ଗ୍ରହଣ କରାଯିବ ଏବଂ ଇ-ରୋଲ୍ ସହିତ ସମ୍ପର୍କିତ ଅନ୍ୟାନ୍ୟ ବିଷୟ ଉପରେ ବୈଠକ ଅନୁଷ୍ଠିତ ହେବ। ଜିଲ୍ଲା ସ୍ତରରେ, ମତଦାନ ସଚେତନତା ପ୍ରଚାର ପାଇଁ ୱାକଥନ୍ ଆୟୋଜନ କରାଯିବ। ଏହାସହିତ ଶପଥ ଗ୍ରହଣ ସହିତ ବୈଠକ ହେବ ଏବଂ ଶ୍ରେଷ୍ଠ କାର୍ଯ୍ୟଦକ୍ଷତା ପାଇଁ AERO ଓ BLO ମାନଙ୍କୁ ସମ୍ମାନିତ କରାଯିବ। ଏହା ସହ ଜିଲ୍ଲାର ମହାବିଦ୍ୟାଳୟ ସ୍ତରରେ ମଧ୍ୟ ଜାତୀୟ ମତଦାତା ଦିବସ ପାଳନ କରାଯିବ। ଏହି ସମସ୍ତ କାର୍ଯ୍ୟକ୍ରମର ସୁଚାରୁ ଆୟୋଜନ ପାଇଁ କଲେକ୍ଟରେଟ୍ ସମ୍ମେଳନ କକ୍ଷରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ଅତିରିକ୍ତ ଜିଲ୍ଲାପାଳ (ସାଧାରଣ), ଅତିରିକ୍ତ ଜିଲ୍ଲାପାଳ (ରେଭେନ୍ୟୁ), ଉପଜିଲ୍ଲାପାଳ ନୀଳଗିରି ସହ ଅନ୍ୟାନ୍ୟ ସମ୍ପୃକ୍ତ ଅଧିକାରୀମାନେ ଉପସ୍ଥିତ ଥିଲେ।


