ହାଟଡିହି ବ୍ଲକ ଅଞ୍ଚଳରେ ବଢିଚାଲିଛି ଚୋରା ମଦ କାରବାର
ହାଟଡିହି, (ଓ୍ବାଇଏନଏସ) : ହାଟଡିହି ବ୍ଲକ ଅଞ୍ଚଳରେ ଚୋରା ମଦ କାରବାର ବେଲଗାମ୍ ହୋଇ ପଡିଛି। ବିଭିନ୍ନ ଗାଁ, ସାହି, ବଜାରକୁ ଏବେ ବାଇକ୍ ଯୋଗେ ଚୋରା ମଦ ଚାଲାଣ କରାଯାଉଛି। କିନ୍ତୁ ଏହାକୁ ପୁଲିସ ହେଉ କି ଅବକାରୀ ବିଭାଗ କାହାରି ନଜରକୁ ଆସୁ ନାହିଁ । ଏହି ଚୋରା ମଦ କାରବାର କୁ ନେଇ ବିଭିନ୍ନ ସ୍ଥାନରେ ବିଭିନ୍ନ ସମୟରେ ଅପ୍ରିତିକର ପରିସ୍ଥିତି ସୃଷ୍ଟି ହେବା ସହ ସାଧାରଣରେ ଅସନ୍ତୋଷ ଦେଖା ଦେଇଛି। ଛେନାପଦି, ଶାଳଣିଆଁ ପ୍ରଭୃତି ସ୍ଥାନରେ ସରକାରୀ ସ୍ୱୀକୃତି ପ୍ରାପ୍ତ ବିଦେଶୀ ମଦ ଦୋକାନ ଥିବା ବେଳେ ହଦଗଡ଼, ଢେଙ୍କା, ସୋସୋ, ସଢାଛକ, ବଡ଼ରମ୍ପାସ, ଇଶଳା ଛକ, ବରାଙ୍ଗ ଛକ, ମରେଇଗାଁ, ମୁଗୁପୁର ବଜାର ଆଦି ସ୍ଥାନରେ ବିପୁଳ ପରିମାଣର ଚୋରା ମଦ ବିକ୍ରୀ ହେଉଛି। ଖାଲି ସେତିକି ନୁଁହ ଏବେ ଚୋରଗଡ଼ିଆ ଛକ, ଛେନାପଦି ଛକ, ଅଣା ଛକ, ହାଟଡିହି, ମରେଇଗାଁ, ସୋସୋ, ବିଦ୍ୟାଧରପୁର, ଶାଳଣିଆଁ ଆଦି ସ୍ଥାନରେ ବ୍ରାଉନ ସୁଗାର କାରବାର ମଧ୍ୟ୍ୟ ଚାଲିଛି। ବାରମ୍ବାର ଅଭିଯୋଗ ହେଉଥିଲେ ବି ପୁଲିସ କି ଅବକାରୀ ବିଭାଗ ଏଥିପ୍ରତି ଗୁରୁତ୍ୱ ଦେଉନି। ଗତ ଚାରିଦିନ ତଳେ ହାଟଡିହି ନିକଟରୁ ନନ୍ଦିପଦା ପୋଲିସ ବ୍ରାଉନ ସୁଗାର ଜବଦ କରିଥିବା ବେଳେ ଦୁଇଜଣଙ୍କୁ ଗିରଫ କରିଥିଲା। ଏବେ ଅନେକ ଯୁବକ, କଲେଜ ଛାତ୍ର ବ୍ରାଉନ ସୁଗାର କାରବାର କରୁଥିବା ଆଲୋଚନା ହେଉଛି। ସେହିପରି ଢେଙ୍କା, ପୁରୁଣାପାଣି, ଡଙ୍ଗାଚୁଆ, ଅନ୍ଧାରୀ, ସରଳା, ଆଦି ଅଞ୍ଚଳରେ ବ୍ୟାପକ ମହୁଲି ମଦ ରନ୍ଧା ହେଉଥିଲେ ବି ଅବକାରୀ ବିଭାଗ ଥରେ ଅଧେ ଚଢ଼ାଉ କରି ଦାୟିତ୍ୱ ସାରିଦେଉଛି ବୋଲି ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ଯେଉଁଥି ପାଇଁ ଏହି ସବୁ ଅଞ୍ଚଳରେ ଅନେକ ସମୟରେ ଗଣ୍ଡଗୋଳ ଘଟି ଅପ୍ରିତିକର ପରିସ୍ଥିତି ସୃଷ୍ଟି ହେଉଛି। ପୋଲିସ ଓ ଅବକାରୀ ବିଭାଗ ଏଥିପ୍ରତି ଦୃଷ୍ଟି ଦେବାକୁ ଦାବି ହେଉଛି।


