ଜିଲ୍ଲାସ୍ତରୀୟ କୋ-ଅର୍ଡିନେସନ୍ କମିଟି ବୈଠକ
ବାଲେଶ୍ବର(ଓ୍ବାଇଏନଏସ): ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ, ଓଡ଼ିଶା ସରକାରଙ୍କ ପକ୍ଷରୁ କୁଷ୍ଠ ନିବାରଣ ଦିବସ–୨୦୨୬ ଆସନ୍ତା ୩୦ ଜାନୁଆରୀ ତାରିଖରେ ପାଳିତ ହେବ। ଏହା ସହିତ ସମ୍ପୃକ୍ତ କୁଷ୍ଠ ନିବାରଣ ସପ୍ତାହ ୩୦ ଜାନୁଆରୀରୁ ୧୪ ଫେବୃଆରୀ ୨୦୨୬ ପର୍ଯ୍ୟନ୍ତ ପାଳନ କରାଯିବ। ଏହି ବର୍ଷର ଥିମ୍ ରହିଛି — “ଭେଦଭାବର ଅନ୍ତ, ସୁରକ୍ଷା ଓ ମର୍ଯ୍ୟାଦା”। ଏହି ଅବସରରେ ‘ସ୍ପର୍ଶ’ କୁଷ୍ଠ ସଚେତନତା ଅଭିଯାନ ସଫଳ କରିବା ନିମନ୍ତେ ଆଜି ବାଲେଶ୍ୱର ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ହେମନ୍ତ କୁମାର ସିଂହ ଙ୍କ ସଭାପତିତ୍ୱରେ ଜିଲ୍ଲା ସ୍ତରୀୟ କୋ-ଅର୍ଡିନେସନ୍ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ପ୍ରଭାତ କୁମାର ବେହେରା, ଡି ଏସ ଡବ୍ଲ୍ୟୁ ଓ ଜ୍ୟୋତ୍ସ୍ନା ମହାନ୍ତି , ଡି ଏସ ଏସ ଓ ପ୍ରତିଭା ବେହେରା , ଜିଲ୍ଲା ଶିକ୍ଷା ଅଧିକାରୀ ବସନ୍ତ ନାୟକ ଙ୍କ ସମେତ ଅନ୍ୟ ଅଧିକାରୀ ମାନେ ଉପସ୍ଥିତ ଥିଲେ। ବୈଠକରେ ବାଲେଶ୍ୱର ଜିଲ୍ଲାରେ କୁଷ୍ଠ ରୋଗ ଚିହ୍ନଟ, ତାହାର ଚିକିତ୍ସା ଏବଂ ପ୍ରତିକାର ସମ୍ବନ୍ଧୀୟ ପରିସଂଖ୍ୟାନ ଉପରେ ବିସ୍ତୃତ ଆଲୋଚନା ହୋଇଥିଲା। ଏହା ସହିତ ଚଳିତ ବର୍ଷ ପାଇଁ କୁଷ୍ଠ ନିବାରଣ ରୋଡମ୍ୟାପ ଉପରେ ମଧ୍ୟ ଆଲୋକପାତ କରାଯାଇଥିଲା। ଲାଇନ ବିଭାଗଗୁଡ଼ିକର ସମନ୍ୱୟ, ସ୍କୁଲ ସ୍ତରରେ ସଚେତନତା କାର୍ଯ୍ୟକ୍ରମ, ପି.ଆର୍.ଆଇ. ସଭ୍ୟମାନଙ୍କର ପ୍ରତ୍ୟକ୍ଷ ଯୋଗଦାନ, ଅଙ୍ଗନୱାଡ଼ି କର୍ମକର୍ତ୍ତାମାନଙ୍କର ଭୂମିକା ଓ ଦାୟିତ୍ୱ, ଏବଂ APAL (Association of Persons Affected with Leprosy) ଙ୍କ ସକ୍ରିୟ ସହଭାଗୀତା ମାଧ୍ୟମରେ ଏହି ଅଭିଯାନକୁ ସଫଳ କରିବା ଉପରେ ଜୋର ଦିଆଯାଇଥିଲା। ସ୍ପର୍ଶ – କୁଷ୍ଠ ସଚେତନତା ସମ୍ବନ୍ଧୀୟ ଶପଥ ପାଠ ମଧ୍ୟ ହୋଇଥିଲା। ଜାତୀୟ ଲେପ୍ରୋସି ନିରାକରଣ କାର୍ଯ୍ୟକ୍ରମ (National Leprosy Eradication Programme) କୁ ସଫଳ କରିବା ସହିତ କୁଷ୍ଠ ଭଳି ଏକ ସାମାଜିକ ବ୍ୟାଧି ପ୍ରତି ଥିବା ଭୟ ଓ ଭେଦଭାବକୁ ସମାଜରୁ ମନୋଭାବରେ ଦୂର କରିବା ପାଇଁ ଜିଲ୍ଲା ପ୍ରଶାସନ ସମସ୍ତଙ୍କୁ ସହଯୋଗ ଓ ସକ୍ରିୟ ଭାଗୀଦାରି ପାଇଁ ଆହ୍ୱାନ କରିଛି।


