ମହିଳା ମହାବିଦ୍ୟାଳୟ ଅଧ୍ୟକ୍ଷ ଅଜୟ ପ୍ରଧାନଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା

ବାଲେଶ୍ୱର, (ସରୋଜ ପଣ୍ଡା): ନାବରା ମହିଳା ମହାବିଦ୍ୟାଳୟ ପ୍ରାଙ୍ଗଣରେ ଶୁକ୍ରବାର ଦିବା ୧୧ ଘଟିକା ସମୟରେ ବର୍ତ୍ତମାନର କାର୍ଯ୍ୟରତ ଅଧ୍ୟକ୍ଷା ଶ୍ରୀମତୀ ସାଧନା ଦାସଅଧିକାରୀଙ୍କ ସଭାପତିତ୍ୱରେ ସଂପ୍ରତି କଲେଜରୁ ନିଜ ଚାକିରି (ଅଧ୍ୟାପନା) ଜୀବନର ଶେଷ ପର୍ଯ୍ୟାୟରେ ଉପନୀତ ହୋଇ ଅବସର ଗ୍ରହଣ କରିଥିବା ବିଦାୟୀ ଅଧ୍ୟକ୍ଷ ଶ୍ରୀ ଅଜୟ ପ୍ରଧାନଙ୍କ ବିଦାୟକାଳୀନ ସଭା ଅନୁଷ୍ଠିତ ହୋଇଯାଇଛି। ଅଧ୍ୟାପନା କ୍ଷେତ୍ରରେ ତାଙ୍କର ଅମ୍ଳାନ ପ୍ରଜ୍ଞାଦୀପ୍ତ, ହୃଦୟସ୍ପର୍ଶୀ, ଜ୍ଞାନଗର୍ଭକ ଶିକ୍ଷାଦାନ ପ୍ରଣାଳୀର ଅବତାରଣା କରି ବହୁ ବିଶିଷ୍ଟ ବକ୍ତାମାନେ ତାଙ୍କର ବହୁମୁଖି ବ୍ୟକ୍ତିତ୍ୱ, ଦକ୍ଷତା ତଥା ଛାତ୍ରବତ୍ସଳ ପ୍ରାଣପ୍ରାଚୁର୍ଯ୍ୟ ଆତ୍ମୀୟତାର ଭୂୟସୀ ପ୍ରଶଂସା କରିଥିଲେ। କଲେଜ ପରିସରରେ ଅତ୍ୟନ୍ତ ଭାବଗମ୍ଭୀର ପୁଲକିତ କାରୁଣ୍ୟ ପରିବେଶରେ ଅନୁଷ୍ଠିତ ଏହି ‘ଫେୟାରୱେଲ୍ ସଭା’ରେ – ବିଶିଷ୍ଟ ଶିକ୍ଷାବିତ୍ ବିଜୟ କୁମାର କର, ବାଞ୍ଛାନିଧି ସାହୁ, ସତ୍ୟରଞ୍ଜନ ସିଂ, ଭାଗବତ ସାହୁ, ପ୍ରାବନ୍ଧିକ ସତ୍ୟରଞ୍ଜନ ଦାସ, ସମାଜସେବୀ ବିଜୟ ସାମଲ, ବିଶ୍ୱନାଥ ଜେନା, କଲେଜର ଅଧ୍ୟାପିକା ପ୍ରତିଭା ବେହେରା, ସସ୍ମିତା ଗିରି, ଅଧ୍ୟାପକ ମନୋରଞ୍ଜନ ବେହେରା, ଲକ୍ଷ୍ମୀକୃଷ୍ଣ ନାୟକ, ଭବଶଙ୍କର ପ୍ରଧାନ, ମାନଗୋବିନ୍ଦ ରାଉତ, ଅଧ୍ୟାପିକା ଅଲିଭା ମଞ୍ଜରୀ ପାତ୍ର, କ୍ରିଷ୍ଣା ସୁର୍‌, ଦେବେନ୍ଦ୍ରନାଥ ଦାସ, ବିଶ୍ୱନାଥ ସାମଲ ଓ ସପନ ଦାସ ପ୍ରମୁଖ ସମସ୍ତ ଅଧ୍ୟାପକ ଏବଂ କର୍ମଚାରୀ ତଥା ଛାତ୍ରୀମାନେ ଉପସ୍ଥିତ ରହି ମହାବିଦ୍ୟାଳୟର ପୂର୍ଣ୍ଣାଙ୍ଗ ବିକାଶରେ ଶ୍ରୀ ପ୍ରଧାନଙ୍କ କଠିନ ଶ୍ରମ, ସାଧନା ଓ ଅମୂଲ୍ୟ ଅବଦାନ ତଥା ଉଲ୍ଲେଖଯୋଗ୍ୟ ଭୂମିକାର ସ୍ମୃତିଚାରଣ କରି ତାଙ୍କୁ ‘ରାଜନୀତି ବିଜ୍ଞାନ’ର ଅଧ୍ୟାପକ ଭାବେ ଜଣେ ଧୂରୀଣ ଓ ପ୍ରବୀଣ ଶିକ୍ଷାଦାତା ଏବଂ ଦକ୍ଷ ଅଧ୍ୟକ୍ଷ ଭାବେ ସେ ଯେଉଁ କାର୍ଯ୍ୟ କରିଯାଇଛନ୍ତି, ତାହା ଅଞ୍ଚଳବାସୀଙ୍କ ଠାରେ ଚିରସ୍ମରଣୀୟ ରହିବ ବୋଲି ବକ୍ତାମାନେ ମତବ୍ୟକ୍ତ କରିଥିଲେ। ଅଧ୍ୟକ୍ଷା ଶ୍ରୀମତୀ ଦାସ ଅଧିକାରୀ- କଲେଜରେ ବିଜ୍ଞାନବିଭାଗ ଖୋଲାଯିବାରେ ତାଙ୍କର ଅଗାଢ଼ ପ୍ରଚେଷ୍ଟା, ଅଭୁଲା ଶିକ୍ଷାଦାନ ପ୍ରଣାଳୀ, ପ୍ରତ୍ୟୁତ୍ପନ୍ନମତି ପ୍ରତିଭା ଓ ପ୍ରଜ୍ଞାର ପାରଦର୍ଶତାକୁ ଉପସ୍ଥାପିତ କରିଥିଲେ। ଶ୍ରୀ ପ୍ରଧାନ ନିଜର ଜ୍ଞାନ ଓ ଗାରିମା ବଳରେ ଆଜକୁ ୩୬ବର୍ଷ ଧରି ନିରନ୍ତର ଭାବେ କଲେଜରେ ଅଧ୍ୟାପକ, ଅଧ୍ୟାପନା ଏବଂ ଅଧ୍ୟକ୍ଷ ଭାବେ କରିଯାଇଥିବା ଅବିସ୍ମରଣୀୟ କାର୍ଯ୍ୟଧାରା, ଦକ୍ଷତା ଓ ବ୍ୟକ୍ତିତ୍ୱର ସ୍ମୃତିଚାରଣ କରି ବର୍ତ୍ତମାନର ଅଧ୍ୟକ୍ଷା ଛଳଛଳ ଆଖିରେ, ବାଷ୍ପରୁଦ୍ଧ କଣ୍ଠରେ ବକ୍ତବ୍ୟ ଦେଇ ବିଦାୟକାଳୀନ ଅଧ୍ୟକ୍ଷ ତାଙ୍କର ଜଣେ ଉତ୍ତମ ବନ୍ଧୁ, ଦାର୍ଶନିକ ଏବଂ ପଥପ୍ରଦର୍ଶକ ତଥା ପ୍ରେରଣାର ଅବିସ୍ମରଣୀୟ ବ୍ୟକ୍ତିତ୍ୱ ହୋଇ ରହିବେ ବୋଲି କହିଥିଲେ। ଅଧ୍ୟାପକ ଓ ଛାତ୍ରୀମାନେ ଅଧ୍ୟକ୍ଷଙ୍କ ଉଦ୍ଦେଶ୍ୟରେ ବିଦାୟୀ କାଳୀନ କବିତା, ସମ୍ବର୍ଦ୍ଧନା, ସ୍ମୃତିଫଳକ ଓ ପୁଷ୍ପଗୁଚ୍ଛ ଦେଇ ତାଙ୍କୁ ଗଭୀର ଶ୍ରଦ୍ଧା ଓ ସମ୍ମାନଜ୍ଞାପନ କରିଥିଲେ। ବିଦାୟୀ ଅଧ୍ୟକ୍ଷ ଶ୍ରୀ ପ୍ରଧାନ ତାଙ୍କ ସମ୍ବର୍ଦ୍ଧନାର ଉତ୍ତରରେ କହିଥିଲେ କି – “ଭାରତବର୍ଷର ଭାଗ୍ୟ ଯଦି ତା’ର ଶ୍ରେଣୀଗୃହରେ ନିର୍ମିତ ହୋଇଥାଏ ବୋଲି ଯେଉଁ ଆପ୍ତବାକ୍ୟ ଦାର୍ଶନିକ କଥା ରହିଛି – ସେଇ କ୍ଷେତ୍ରରେ ମୁଁ ଗୁଣ୍ଡୁଚି ମୂଷା ଭାବେ ଦକ୍ଷତା ଓ ଶୃଙ୍ଖଳାର ସହ କାର୍ଯ୍ୟ କରିଛି ବୋଲି ଭାବୁଥାନ୍ତି, ତେବେ ଆପଣମାନଙ୍କ ଠାରେ ମୁଁ ଚିର ଋଣୀ। ଏ କ୍ଷେତ୍ରରେ ଯଦି କାହାକୁ ଦୁଃଖ ଦେଇଥାଏ ମୋତେ ନିଜଗୁଣରେ କ୍ଷମା କରିଦେବେ। ଆପଣା ସ୍ମୃତିର ମାନସପଟରୁ ଦୂରେଇ ଦେବେନାହିଁ। ଏହାହିଁ ମୋର କାମନା।”

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ