ତାମିଲନାଡୁରେ ଅଟକ ୩ ଓଡ଼ିଆ ଶ୍ରମିକ ଉଦ୍ଧାର

ଦିଗପହଣ୍ଡି,(ଅଳକ ନାଥ ମିଶ୍ର)  : ତାମିଲନାଡୁ ତିରିପୁର ଜିଲ୍ଲା ପଙ୍ଗାଲୁ ଗ୍ରାମ ନିକଟ ଏକ ପାଣି ବୋର୍ ୱେଲ୍ ଗାଡ଼ି ଗ୍ୟାରେଜ ର ଏକ ପରିତ୍ୟକ୍ତ ଘର ମଧ୍ୟରୁ ମଙ୍ଗଳବାର ସକାଳେ ଦିଗପହଣ୍ଡି ଥାନା ପୁଲିସ ଟିମ୍ ସେଠାରେ ଅଟକ ଥିବା ୩ ନିର୍ଯ୍ୟାତିତ ଓଡ଼ିଆ ଶ୍ରମିକ ଙ୍କୁ ସେଠାକାର ପୁଲିସ ସହାୟତାରେ ଉଦ୍ଧାର କରିଛନ୍ତି। ଉଦ୍ଧାର ଶ୍ରମିକ ମାନେ ହେଲେ  ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡ଼ି ପଞ୍ଚାୟତ ଲକ୍ଷ୍ମୀ ନାରାୟଣପୁର ଗାଁ ର  ବି. ବୁଡୁ ରେଡ୍ଡୀ, ବି.ପୂର୍ଣ୍ଣ ରେଡ୍ଡୀ ଏବଂ ଏସ.ଧୋବା ଦୋରା । ୩ ଜଣ ଶ୍ରମିକ ଗତ ପ୍ରାୟ ୧୫ ଦିନ ପୂର୍ବେ କାମ ପାଇଁ ଜଣେ ଶ୍ରମିକ ଏଜେଣ୍ଟ ଙ୍କ ସହ ତାମିଲନାଡୁ  ପଙ୍ଗାଲୁ ଗ୍ରାମ ସ୍ଥିତ ଏକ ପ୍ଲାଷ୍ଟିକ ଫ୍ୟାକ୍ଟ୍ରି କୁ ଯାଇଥିଲେ।  ସେଠାରେ ସେମାନଙ୍କୁ  କାମ ଦିଆଯିବ ବୋଲି କୁହାଯାଇଥିଲା।ସେଠାରେ କାମ ନ ମିଳିବାରୁ ସେମାନେ ଗାଁକୁ ଫେରିବା ପାଇଁ ସେଠାକାର ରେଲୱେ ଷ୍ଟେସନ କୁ ଚାଲି ଆସିଥିଲେ।ସେଠାରୁ ଅନ୍ୟଜଣେ ଶ୍ରମିକ ଏଜେଣ୍ଟ  କାମ ଯୋଗାଇ ଦେବାର ପ୍ରତିଶୃତି ଦେଇ ସେମାନଙ୍କୁ ପୁଣି ଡାକି ନେଇଥିଲେ। ସେମାନଙ୍କୁ ଏକ ପାଣି ବୋରୱେଲ ଗାଡ଼ି ଗ୍ୟାରେଜ ର ଏକ ପରିତ୍ୟକ୍ତ ଘର ଭିତରେ ରଖାଯାଇଥିଲା। ଏଜେଣ୍ଟ ଜଣକ ଗ୍ୟାରେଜ ମାଲିକ ଙ୍କୁ ଶ୍ରମିକ ଯୋଗାଇଦେଇଥିବା କହି ତାଙ୍କ ନିକଟରୁ ଶ୍ରମିକ ଙ୍କ ମଜୁରୀ ବାବଦରେ ଅଗ୍ରୀମ ୧୭ ହଜାର ଟଙ୍କା ନେଇଯାଇଥିଲେ। ଗ୍ୟାରେଜ ମାଲିକ ସେମାନଙ୍କୁ ରାତିଦିନ ଖଟାଇବା ସହ ଏକ ଘର ଭିତରେ ବନ୍ଧକ ରଖିଥିଲେ।ଗ୍ୟାରେଜ ରେ ସେମାନଙ୍କୁ ଆବର୍ଜନା ସଫା କରିବା ଓ ବୋର୍ ୱେଲ ଗାଡ଼ି ଗୁଡ଼ିକୁ ସଫା କରିବା ଭଳି ବିଭିନ୍ନ କାମ କରିବାକୁ ବାଧ୍ୟ କରାଯାଉଥିଲା। ସେଠାରେ ସେମାନଙ୍କୁ ପେଟପୁରା ଖାଇବାକୁ ମଧ୍ୟ ଦିଆଯାଉନଥିଲା। ଅଧିକା ମଜୁରୀ ମିଳିବା ଲୋଭରେ ତାମିଲନାଡୁ ଯାଇଥିବା ୩ ଶ୍ରମିକ ସେଠାରେ ଫସି ଯାଇଥିଲେ।ପରିବାର ସଦସ୍ୟ କିମ୍ବା ଅନ୍ୟ କାହା ସହ କଥା ହେବାକୁ ସେମାନଙ୍କୁ ମନା କରାଯାଇଥିଲା।ସେମାନଙ୍କ ମୋବାଇଲ ଫୋନ ଛଡାଇ ନିଆଯାଇଥିଲା। ମଜୁରୀ ବାବଦରେ ଅଗ୍ରୀମ ଦିଆଯାଇଥିବା ୧୭ ହଜାର ଟଙ୍କା ର କାମ ଆଦାୟ କରାଯିବା ପରେ ତୁମ ମାନଙ୍କୁ ଛଡାଯିବ ବୋଲି ଗ୍ୟାରେଜ ମାଲିକ ସେମାନଙ୍କୁ କହିଥିଲେ। ଶୁକ୍ରବାର ଫୋନ ଯୋଗେ ସମସ୍ତ ଘଟଣା ଶ୍ରମିକ ମାନେ ସେମାନଙ୍କ ପରିବାର ଲୋକଙ୍କୁ ଜଣାଇଥିଲେ। ଶ୍ରମିକ ଧୋବା ଙ୍କ ବାପା ଦୁର୍ଯ୍ୟୋଧନ ଦୋରା  ଦିଗପହଣ୍ଡି ଥାନାରେ  ଏତଲା ଦେଇଥିଲେ। ଏତଲା ପ୍ରକାରେ ଭାରପ୍ରାପ୍ତ ଆଇଆଇସି ତଥା ଡିଏସପି ପ୍ରଶାନ୍ତ  ପାତ୍ର ଥାନା ମାମଲା ନଂ.୪୪/୨୬ ଅନୁଯାୟୀ ମକଦ୍ଦମା ରୁଜୁ କରିଥିଲେ।  ଅଟକ ଥିବା ୩ ଶ୍ରମିକ ଙ୍କୁ ଉଦ୍ଧାର କରିବା ପାଇଁ ଦିଗପହଣ୍ଡି ଥାନା ପ୍ରୋବେସନାରୀ  ଏସ.ଆଇ ମହାପ୍ରସାଦ ମହାନ୍ତି,ଏଏସଆଇ ମନୋଜ ସିଂ, ୨ କନେଷ୍ଟବଳ ଏବଂ ଶ୍ରମିକ ମାନଙ୍କ କିଛି ସମ୍ପର୍କୀୟ ସୋମବାର ସକାଳୁ ତାମିଲନାଡୁ ଅଭିମୁଖେ ଯାଇଥିଲେ।ସେଠାରେ ରାତି ପ୍ରାୟ ୧୧ ଟାରେ ପହଞ୍ଚି ପଙ୍ଗୁଲୁ ପୁଲିସ ସହ ଯୋଗାଯୋଗ କରିବା ସହ ରାତି ସାରା ଉକ୍ତ ଗ୍ୟାରେଜ ନିକଟରେ ଛକି ରହିଥିଲେ।ମଙ୍ଗଳବାର ସକାଳୁ ଅଟକ ଥିବା ଶ୍ରମିକ ମାନଙ୍କୁ  ଉଦ୍ଧାର କରାଯାଇଥିଲା।ପୁଲିସ ସେମାନଙ୍କୁ ନିକଟସ୍ଥ ଡାକ୍ତର ଖାନା ରେ ଭର୍ତ୍ତି କରି ପ୍ରାଥମିକ ଚିକିତ୍ସା କରାଇବା ପରେ ସେଠାକାର ଥାନାକୁ ନେଇଥିଲେ। ଏହି ଘଟଣାର ସତ୍ୟା ସତ୍ୟ ତଦନ୍ତ କରି ଶ୍ରମିକ ମାନଙ୍କ ବୟାନ ରେକର୍ଡ କରାଯାଇଥିଲା।ସେମାନଙ୍କ କହିବା ପ୍ରକାରେ ଅଭିଯୁକ୍ତ ମାନଙ୍କୁ  ଗିରଫ ପାଇଁ ଉଭୟ ପୁଲିସ ଟିମ୍ ଉଦ୍ୟମ କରିଥିଲେ ମଧ୍ୟ ସେଥିରେ ସଫଳ ହୋଇନଥିବା ଜଣାପଡିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ