ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଘରେ ପଶି ଆକ୍ରମଣ ଘଟଣା: ୬ ଗିରଫ
କଟକ (ଓ୍ବାଇଏନଏସ): ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଜଣକ ଘରେ ପଶି ଆକ୍ରମଣ କରିବା ସହିତ ମହିଳାଙ୍କୁ ଅସଦାଚରଣ କରିବା ନେଇ ୬ଜଣକୁ ଗିରଫ କରିଛି କଟକ ଚାଉଳିଆଗଞ୍ଜ ଥାନା ପୁଲିସ । ଅଭିଯୁକ୍ତମାନେ ହେଲେ ଶିଖରପୁର ନଦୀକୂଳସାହିର ଅରୁଣକୁମାର ମହାପାତ୍ର, ରାକେଶ ସ୍ୱାଇଁ, ଶିବୁନା ବେହେରା, ବିକାଶ ସ୍ୱାଇଁ, ଅମରକୁମାର ମହାରଣା, ଏବଂ ମନୋରଞ୍ଜନ ସାହୁ। ସମସ୍ତଙ୍କୁ କୋର୍ଟଚାଲାଣ ପରେ ଜେଲ ହାଜତକୁ ପଠାଇ ଦିଆଯାଇଥିବା ଥାନା ଅଧିକାରୀ ଚିନ୍ତେଶ୍ୱର ମୁଣ୍ଡା ସୂଚନା ଦେଇଛନ୍ତି । ପୁଲିସ ସୂତ୍ରରୁ ପ୍ରକାଶ ଯେ ଶିଖରପୁର ନଦୀକୂଳ ସାହି ଓ ତଳସାହି ମଧ୍ୟରେ ଭିନ୍ନ ଭିନ୍ନ ଘଟଣାକୁ ନେଇ ଦୀର୍ଘଦିନ ହେଲା ବିବାଦ ଲାଗି ରହିଛି । ତେବେ ନଦୀକୁଳ ସାହିର ମୁକେଶ ବେହେରା ତଳସାହିର କିଛି ପିଲାଙ୍କୁ ବିବାଦୀୟ ଘଟଣାରେ ସମର୍ଥନ କରୁଥିବା ଅଭିଯୋଗ ହୋଇଥିଲା । ଏ ନେଇ ସାହିର ଅପରଗୋଷ୍ଠୀ ଏହାକୁ ବିରୋଧ କରୁଥିଲେ । ଗତ ସରସ୍ୱତୀ ପୂଜାରେ ଏହି କଥାକୁ ନେଇ ସେମାନେ ମୁକେଶକୁ ତାଗିଦ୍ କରିଥିଲେ, ହେଲେ ସେ ସେମାନଙ୍କ କଥାକୁ କର୍ଣ୍ଣପାତ କରି ନଥିଲେ । ସୋମବାର ରାତିପ୍ରାୟ ସାଢ଼େ ୧୦ଟାରେ ୬ ଅଭିଯୁକ୍ତଙ୍କ ସହ ଆହୁରି ୩/୪ଜଣ ମୁକେଶର ଘରର କବାଟ ବାଡେଇଥିଲେ । କବାଟ ଖୋଲିବା ମାତ୍ରେ ସମସ୍ତେ ଘରକୁ ପଶିଯାଇ ଆକ୍ରମଣ ଆରମ୍ଭ କରିଦେଇଥିଲେ । ଭାଇ ମୁକେଶକୁ ମାଡ଼ ମାରୁଥିବା ଦେଖି ଭଉଣୀ ମିଲି ପ୍ରତିବାଦ କରିବାରୁ ଅଭିଯୁକ୍ତମାନେ ତାଙ୍କୁ ବି ଛାଡ଼ି ନ ଥିଲେ । ମାଡ଼ ମାରିବା ସହିତ ଲୁଗା ଚିରାଚିରି କରି ଅସଦାଚରଣ ଉଦ୍ୟମ କରିଥିଲେ । ତେବେ ମିଲି ପାଟିକରିବାରୁ ପଡିଶା ଘରର ଲୋକେ ସେଠାକୁ ଚାଲିଆସିବାରୁ ଅଭିଯୁକ୍ତମାନେ ସେଠାରୁ ଚମ୍ପଟ ମାରିଥିଲେ । ଏନେଇ ସେ ଥାନାରେ ଅଭିଯୋଗ କରିଥିଲେ । ପୁଲିସ ଘଟଣାର ତଦନ୍ତ ଚଳାଇ ଅଭିଯୁକ୍ତଙ୍କ ମଧ୍ୟରୁ ୬ଜଣକୁ ଗିରଫ କରିଛି । ସେହିପରି ଫେରାର ଅଭିଯୁକ୍ତଙ୍କୁ ଧରିବା ଲାଗି ଉଦ୍ୟମ କରାଯାଉଥିବା ଥାନା ଅଧିକାରୀ ଶ୍ରୀ ମୁଣ୍ଡା ସୂଚନା ଦେଇଛନ୍ତି ।


