ବୋଇତ ବନ୍ଦାଣ ଉତ୍ସବ:କଦଳୀ ପଟୁଆ ଡଙ୍ଗାର ଚାହିଦା ବୃଦ୍ଧି

ଆସିକା (ୱାଇଏନ୍‍ଏସ୍‍) : ଆସନ୍ତାକାଲି ଅର୍ଥାତ୍ ମଙ୍ଗଳବାର ଦିନ ପାଳିତ ହେବ ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ତଥା ବୋଇତ ବନ୍ଦାଣ ଉତ୍ସବ ତଥା ଡଙ୍ଗା ଭସା ପର୍ବ । କାହିଁ କେଉଁ ଆବାହମାନ କାଳରୁ ବିଶ୍ୱାସ ଓ ପରମ୍ପରାକୁ ଆଧାର କରି ବର୍ଷକରେ ଥରେ ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ତିଥିରେ ଜଳାଶ୍ରୟରେ ଡଙ୍ଗାଭସା ପର୍ବ ଅନୁଷ୍ଠିତ ହୋଇଥାଏ । ପୂଣ୍ୟ ଓ ଧର୍ମ ଅର୍ଜନର ମାସ କାର୍ତ୍ତିକର ଅନ୍ତିମ ଦିବସରେ ହିନ୍ଦୁ ଧର୍ମାବଲମ୍ବୀମାନେ ପ୍ରତ୍ୟୁଷରେ ସ୍ନାନ ଶୌଚାଦି କାର୍ଯ୍ୟ ସାରି ନିଷ୍ଠାର ସହ ଜଳାଶ୍ରୟ, ନଦୀରେ ଡଙ୍ଗା ଭସାଇଥାନ୍ତି । ଓଡିଆ ପରମ୍ପରା ଅନୁଯାୟୀ କାର୍ତ୍ତିକ ପୂର୍ଣ୍ଣିମାର ମହତ୍ତ୍ୱ ରହିଛି । କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ଆସିକା ସହର ତଥା ଏହାର ଆଖପାଖ ଅଞ୍ଚଳରେ କଦଳୀ ପଟୁଆରେ ପ୍ରସ୍ତୁତ ଡଙ୍ଗାର ଚାହିଦା ବୃଦ୍ଧି ପାଇଥିବା ଲକ୍ଷ୍ୟ କରାଯାଇଛି । ଅତୀତରେ କାର୍ତ୍ତିକ ପୂର୍ଣ୍ଣିମା ତିଥିରେ ଡଙ୍ଗା ଭସାଇବା ପାଇଁ ଲୋକଙ୍କ ମଧ୍ୟରେ ଯେତିକି ଆଗ୍ରହ ପରିଲକ୍ଷିତ ହେଉଥିଲା ଏବେ ତାହା ଦିନକୁ ଦିନ ହ୍ରାସ ପାଇବାରେ ଲାଗିଥିବା ଲକ୍ଷ୍ୟ କରାଯାଇଛି । ପୂର୍ବକାଳରେ ସାଧବ ପୁଅ ମାନେ ଜାଭା, ସୁମତ୍ରା, ବାର୍ଲି, ବୋର୍ଣ୍ଣିଓ ପ୍ରମୁଖ ଦେଶକୁ ଯାଇ ବାଣିଜ୍ୟ କାରବାର କରୁଥିଲେ । ସାଧବପୁଅ ମାନଙ୍କ ସ୍ୱଦେଶ ପ୍ରତ୍ୟାବର୍ତ୍ତନ କରିବା ପରମ୍ପରାକୁ ବଜାୟ ରଖିବା ପାଇଁ କାର୍ତ୍ତିକ ପୂର୍ଣ୍ଣିମାରେ ବୋଇତ ବନ୍ଦାଣ ଉତ୍ସବ ପାଳିତ ହୋଇଥାଏ ବୋଲି ବିଭିନ୍ନ ମହଲରେ ମତ ପ୍ରକାଶ ପାଉଛି । ଆସିକା ସହରର ଦୁଇପାଶ୍ୱର୍ରେ ପ୍ରବାହିତ ହେଉଥିବା ଋଷିକୂଲ୍ୟା ଓ ବଡନଦୀରେ ବୋଇତ ବନ୍ଦାଣ ଉତ୍ସବକୁ ଆସନ୍ତାକାଲି ଉତ୍ସାହର ସହ ପାଳନ କରିବା ଲାଗି ବହୁ ଯୁବପୀଢୀ ସଜବାଜ ହେଉଥିବା ଜଣାପଡିଛି । ଧର୍ମର ମାସ କାର୍ତ୍ତିକ ଅବସରରେ ସୋମବାର ଶ୍ରଦ୍ଧାଳୁ ଭକ୍ତଙ୍କ ଓଁ ନମଃ ଶିବାୟ, ଶିବ ପଞ୍ଚାକ୍ଷରୀ, ଶହସ୍ର ନାମ, ଭଜନ କୀର୍ତ୍ତନରେ ମୁଖରିତ ହୋଇଉଠିଥିଲା ଶୈବପୀଠ । ଧର୍ମର ମାସ କାର୍ତ୍ତିକ ଆସନ୍ତାକାଲି ଅର୍ଥାତ୍ ମଙ୍ଗଳବାର ଶେଷ ହେବାକୁ ଥିବା ବେଳେ ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ପର୍ବକୁ ଉତ୍ସାହ ଓ ଉଦ୍ଦୀପନାର ସହ ପାଳନ କରିବା ଲାଗି ଯୁବପିଢୀ ଓ ଶ୍ରଦ୍ଧାଳୁ ଭକ୍ତ ବେଶ୍‍ ଉତ୍ସାହିତ ହୋଇପଡିଥିବା ଦେଖିବାକୁ ମିଳିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ