ଆସିକାରେ ବ୍ଳକସ୍ତରୀୟ କୃତି ବିଦ୍ୟାର୍ଥୀ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ
ଆସିକା (ୱାଇଏନ୍ଏସ୍): ବଙ୍କିମ ଚନ୍ଦ୍ର ଚଟ୍ଟୋପାଧ୍ୟାୟଙ୍କ ଦ୍ୱାରା ଲିଖିତ ଭାରତର ଜାତୀୟ ସଙ୍ଗୀତ ବନ୍ଦେ ମାତରମ୍ର ୧୫୦ ବର୍ଷ ପୁର୍ତ୍ତି ଅବସରରେ ଆସିକା ବ୍ଳକ ପ୍ରଶାସନ ପକ୍ଷରୁ ବୁଧବାର ଆତ୍ମନିର୍ଭରଶୀଳ ଓ ସ୍ୱଦେଶୀ ସଂକଳ୍ପର ଶପଥପାଠ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ରାଜ୍ୟ ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ନିର୍ଦ୍ଦେଶକ୍ରମେ ଗତ ଜାନୁୟାରୀ ମାସ ୧୨ ତାରିଖରେ ଆସିକା ଗୋଷ୍ଠୀ ଶିକ୍ଷାଧିକାରୀ କାର୍ଯ୍ୟାଳୟ ଅଧିନସ୍ଥ ୧୩ଟି କ୍ଳଷ୍ଟରର ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ ନେଇ ଅନୁଷ୍ଠିତ ସ୍ଳୋଗାନ୍ ଓ ରଚନା ଏବଂ ଚିତ୍ରାଙ୍କନ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ବିଦ୍ୟାର୍ଥୀଙ୍କ ସମେତ ପ୍ରାୟ ୮୭ ଜଣ ଛାତ୍ରଛାତ୍ରୀଙ୍କୁ ଏହି ଅବସରରେ ସମ୍ମାନିତ କରାଯାଇଥିଲା । ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶକ୍ରମେ ଆସିକା ବ୍ଳକ କାର୍ଯ୍ୟାଳୟର ସମ୍ମିଳନୀ କକ୍ଷରେ ବୁଧବାର ଅନୁଷ୍ଠିତ ବ୍ଳକସ୍ତରୀୟ କୃତି ବିଦ୍ୟାର୍ଥୀଙ୍କ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୁଶାନ୍ତ କୁମାର ବେହେରା, ଆସିକା ସହକାରୀ ଗୋଷ୍ଠୀ ଶିକ୍ଷାଧିକାରୀ ବିଭୁନନ୍ଦନ ପଣ୍ଡା, ତହସିଲଦାର ସଙ୍ଗୀତା ସେଣ, ସମ୍ବନ୍ୱିତ ଶିଶୁ ବିକାଶ ଅଧିକାରିଣୀ ଶାନ୍ତିକରସୁଧା ପଟ୍ଟନାୟକ, ଗ୍ରାମ ପଞ୍ଚାୟତ ଉନ୍ନୟନ ଅଧିକାରୀ ରାଜଶ୍ରୀ ସାହୁ, ଶିକ୍ଷକ ରାମନାଥ ପଟ୍ଟନାୟକ ପ୍ରମୁଖ ଯୋଗଦେଇ ଆମର ଜାତୀୟ ଗୀତ ଭାବେ ସ୍ୱୀକୃତ ବନ୍ଦେ ମାତରମ୍ ପ୍ରତ୍ୟେକ ଭାରତୀୟଙ୍କ ହୃଦୟର ସ୍ପନ୍ଦନ ବୋଲି ପ୍ରକାଶ କରିଥିଲେ । ୧୮୭୫ ମସିହାରେ ବଙ୍କିମ ଚନ୍ଦ୍ର ଚଟ୍ଟୋପାଧ୍ୟାୟଙ୍କ ଦ୍ୱାରା ଲିଖିତ ଭାରତର ରାଷ୍ଟ୍ର ଗୀତ ବନ୍ଦେ ମାତରମ୍କୁ ୧୫୦ ବର୍ଷ ପୁରଣ ହୋଇସାରିଥିଲା ବେଳେ ସମସ୍ତଙ୍କ ମନ ଓ ହୃଦୟରେ ଦେଶପ୍ରେମର ଭାବନାକୁ ଆହୁରି ଉଦ୍ଜିବୀତ କରିବା ଲକ୍ଷ୍ୟରେ ସାମୂହିକ ଭାବେ ରାଷ୍ଟ୍ର ଗୀତ ବନ୍ଦେ ମାତରମ୍ ଗାନ କରାଯିବା ସହ ସ୍ୱଦେଶୀ ବସ୍ତୁ ବ୍ୟବହାର ଓ ଆତ୍ମନିର୍ଭରଶୀଳ ଭାରତ ଗଠନ ପାଇଁ ଶପଥପାଠ କରାଯାଇଥିଲା । ବନ୍ଦେ ମାତରମ୍ ଗୀତ ଗାନ ବେଳେ ଦେଶଭକ୍ତିର ଶୀହରଣରେ ଆସିକା ପଞ୍ଚାୟତ ସମିତିର ସମ୍ମିଳନୀ କକ୍ଷ ପ୍ରକମ୍ପିତ ହୋଇପଡିଥିଲା । ବନ୍ଦେ ମାତରମ୍ର ୧୫୦ ବର୍ଷ ପୁର୍ତ୍ତି ଅବସରରେ ଅନୁଷ୍ଠିତ ସ୍ଳୋଗାନ୍ ପ୍ରତିଯୋଗିତାରେ ପ୍ରଥମ ହୋଇଥିବା ମଣ୍ଟାପଡା ସ୍ଥିତ ମା ରତ୍ନମାଳୀ ହାଇସ୍କୁଲର ବିଦ୍ୟାର୍ଥୀ ରୁଦ୍ର ପ୍ରଧାନ, ଦ୍ୱିତୀୟ ହୋଇଥିବା ଜଗଦଳପୁର ହାଇସ୍କୁଲ ଗୁଣ୍ଠପଡାର ବିଦ୍ୟାର୍ଥୀ ସୋନାଲି ବାଡତ୍ୟା, ତୃତୀୟ ହୋଇଥିବା ଟେକନିକାଲ୍ ହାଇସ୍କୁଲର ବିଦ୍ୟାର୍ଥୀ ଶୁଭଲକ୍ଷ୍ମୀ ସାହୁ ଏବଂ ରଚନା ପ୍ରତିଯୋଗିତାରେ ପ୍ରଥମ ହୋଇଥିବା ଜଗଦଳପୁର ହାଇସ୍କୁଲ ଗୁଣ୍ଠପଡାର ବିଦ୍ୟାର୍ଥୀ ଡି.ଅର୍ଚ୍ଚନା ପାତ୍ର, ଦ୍ୱିତୀୟ ହୋଇଥିବା ଟେକନିକାଲ ହାଇସ୍କୁଲର ବିଦ୍ୟାର୍ଥୀ ଦୀପକ ଶବର, ତୃତୀୟ ହୋଇଥିବା ମା ରତ୍ନମାଳୀ ହାଇସ୍କୁଲର ବିଦ୍ୟାର୍ଥୀ ସୌମ୍ୟରଂଜନ ବିଶ୍ୱାଳ ଓ ଚିତ୍ରାଙ୍କନ ପ୍ରତିଯୋଗିତାରେ ପ୍ରଥମ ହୋଇଥିବା ଟେକନିକାଲ୍ ହାଇସ୍କୁଲର ବିଦ୍ୟାର୍ଥୀ ଅଜିକେଲ୍ ଗମାଙ୍ଗୋ, ଦ୍ୱିତୀୟ ହୋଇଥିବା ମା ରତ୍ନମାଳୀ ହାଇସ୍କୁଲ ମଣ୍ଟାପଡାର ବିଦ୍ୟାର୍ଥୀ ପ୍ରତିଭା ଖଟେଇ, ତୃତୀୟ ହୋଇଥିବା ଦଗଦଳପୁର ହାଇସ୍କୁଲ ଗୁଣ୍ଠପଡାର ବିଦ୍ୟାର୍ଥୀ ଶିବାନୀ ବେହେରାଙ୍କୁ ମାନପତ୍ର ଓ ଟ୍ରଫି ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଥିଲା ବେଳେ ପ୍ରାୟ ୮୭ ଜଣ ବିଦ୍ୟାର୍ଥୀଙ୍କୁ ପ୍ରଶଂସା ପତ୍ର ପ୍ରଦାନ କରାଯାଇ ସମ୍ମାନିତ କରାଯାଇଥିବା ଦେଖିବାକୁ ମିଳିଥିଲା । ଜାତୀୟ ଗୀତ ବନ୍ଦେ ମାତରମ୍ର ୧୫୦ ବର୍ଷ ପୁର୍ତ୍ତି ଅବସରରେ ଆସିକା ବ୍ଳକ ପ୍ରଶାସନ ପକ୍ଷରୁ ଅନୁଷ୍ଠିତ ହୋଇଥିବା କୃତି ବିଦ୍ୟାର୍ଥୀ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ବିଭିନ୍ନ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀ ଓ ଅଭିଭାବକ ଉପସ୍ଥିତ ଥିବା ପରିଲକ୍ଷିତ ହୋଇଥିଲା ।


