ବିଡିଓଙ୍କ ପ୍ରତିଶୃତି ପରେ କରଗୋଳା ଗ୍ରାମବାସୀଙ୍କ ଧାରଣା ପ୍ରତ୍ୟାହୃତ

ହାଟଡିହି (ଓ୍ବାଇଏନଏସ):  ହାଟଡିହି ବ୍ଲକ କରଗୋଳା ଗ୍ରାମରେ ରାସ୍ତାକାମ ବିବାଦକୁ ନେଇ ଚାଲିଥିବା ଧାରଣା ଆଜି ୧୬ଦିନ ପରେ ପ୍ରତ୍ୟାହୃତ ହୋଇଛି। ଗ୍ରାମବାସୀ ଙ୍କ ଅଭିଯୋଗ ଅନୁଯାଇ କରଗୋଳା ଗ୍ରାମକୁ  ଆଦର୍ଶ ଗ୍ରାମ ଯୋଜନାରେ ସାମିଲ କରାଯାଇ ସରକାରଙ୍କ ପକ୍ଷରୁ ଅନୁଦାନ ଯୋଗାଇ ଦିଆ ଯାଇଛି। ୬ଲକ୍ଷ ଟଙ୍କା ଅନୁଦାନରେ ପଣ୍ଡାସାହି ଠାରୁ ଆର.ଡ଼ି ରାସ୍ତା ପର୍ଯ୍ୟନ୍ତ ଯାଇଥିବା ଏହି ରାସ୍ତା ନିର୍ମାଣ ପାଇଁ କନିଷ୍ଠଯନ୍ତ୍ରୀଙ୍କ ନାମରେ କାର୍ଯ୍ୟାଦେଶ ଥିବା ବେଳେ ଏ ବାବଦରେ ଗ୍ରାମବାସୀଙ୍କୁ ଜଣା ନଯାଇ କୌଣସି ସୂଚନା ଫଳକ  ଲଗାନଯାଇ କାମ ଆରମ୍ଭ ହୋଇଥିଲା। ତିନି ସାହିର ଲୋକ ଏହାକୁ ବିରୋଧ କରିବା ସହ ବିଡ଼ିଓ ଙ୍କୁ ଲିଖିତ ଭାବେ ଜଣାଇ ଥିଲେ। ପ୍ରକଳ୍ପର ଅଟକଳ ମୂଲ୍ୟ କେତେ ଗ୍ରାମବାସୀ ଜାଣି ନଥିବା ବେଳେ କଣ କଣ କାମ ହେବ ତାହାବି ଗ୍ରାମବାସୀ ଜାଣି ନାହାନ୍ତି। ଏ ବାବଦରେ ବିବାଦ ଦେଖା ଦେବା ସହ ଥାନା ପର୍ଯ୍ୟନ୍ତ କଥା ଯାଇଥିଲା। ପୋଲିସ ଉପସ୍ଥିତିରେ କନିଷ୍ଠ ଯନ୍ତ୍ରୀ କମିଟି ଗଠନ କରି କାମ ହେବ ବୋଲି କହିଥିଲେ ବି କମିଟି ଗଠନ ନକରି କାମ ଆରମ୍ଭ ହୋଇଥିଲା। ଯାହାକୁ ଗ୍ରାମର ତିନି ସାହିଲୋକେ ବିରୋଧ କରି ଧାରଣାରେ ବସିଥିଲେ। ଦୀର୍ଘ ୧୬ ଦିନ ହେଲା ଧାରଣାରେ ବସିଥିଲେ ବି କେହି ଅଧିକାରୀ ଯାଇ ନଥିଲେ। ଗଣ ମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ବିଡ଼ିଓ ରଞ୍ଜନ କୁମାର ପରିଡା ଆଜି ଧାରଣା ସ୍ଥଳରେ ପହଞ୍ଚି ଗ୍ରାମବାସୀଙ୍କ ସହ ଆଲୋଚନା କରିବା ପରେ କମିଟି ଗଠନ କରାଯାଇ କାମ ଆରମ୍ଭ କରାଯିବ ବୋଲି ପ୍ରତିଶୃତି ଦେବା ପରେ ଧାରଣା ପ୍ରତ୍ୟାହାର କରିଥିଲେ।  ବିଡ଼ିଓଙ୍କ ସହ ଆଲୋଚନା ବେଳେ ଗ୍ରାମର ଗୋପାଳ ସେଠୀ, ଅନ୍ତର୍ଯ୍ୟାମୀ ସାହୁ, ଶ୍ରୀଧର ଜେନା, ନରହରି ଜେନା, ନଟବର ମହାରଣା, ମାୟାଧର ପଣ୍ଡା, ହଳଧର ପଣ୍ଡା, ନରହରି ପତି, ଶଙ୍କର୍ଷଣ ପଣ୍ଡା, ଭରତ ଶତପଥୀ, ସାଧୁ ଚରଣ ନନ୍ଦ, ନିରଞ୍ଜନ ନନ୍ଦ, ଯୁଧିଷ୍ଠିର ପଣ୍ଡା, ଖଗେଶ୍ୱର ସାହୁ, ନିରୁପମା ନନ୍ଦ, ଅନ୍ନପୂର୍ଣ୍ଣା ପଣ୍ଡା, ଦ୍ରୌପଦୀ ମହାରଣା, ବାସନ୍ତୀ ପଣ୍ଡା, ପାର୍ବତୀ ସାହୁ, ସବିତା ରାଣୀ ଜେନା, ପାର୍ବତୀ ଜେନା, ବାସନ୍ତୀ ଜେନାଙ୍କ ସମେତ ଶତାଧିକ ଗ୍ରାମବାସୀ ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ