ହାଟଡିହି (ଓ୍ବାଇଏନଏସ): କେନ୍ଦୁଝର ଜିଲ୍ଲା ନନ୍ଦିପଦା ଥାନା ଅଞ୍ଚଳରେ ବିଭିନ୍ନ ସ୍ଥାନରେ ତାଲା ଭାଙ୍ଗି ଚୋରି ଘଟଣା ବୃଦ୍ଧି ପାଉଛି। ଗୋଟିଏ ପରେ ଗୋଟିଏ ଚୋରୀ ଓ ଲୁଟ ହେଉଥିଲେ ବି ପୋଲିସ ଲୁଟେରାଙ୍କ ସମ୍ପର୍କରେ ସାମାନ୍ୟତମ ସୁରାକ ବି ପାଇ ପାରୁନି। ଯାହାକୁ ନେଇ ଲୋକଙ୍କ ଭିତରେ ଅସନ୍ତୋଷ ବୃଦ୍ଧି ପାଉଛି। ମଙ୍ଗଳବାର ରାତିରେ ଶାଳଣିଆଁ ବଜାରରେ ଥିବା ଏକ ଫାଷ୍ଟଫୁଡ ଦୋକାନରୁ ତିନୋଟି ଗ୍ୟାସ ସିଲିଣ୍ଡର ଓ ଗୋଟିଏ ଫ୍ରିଜ ଚୋରୀ ହୋଇଥିବା ବେଳେ ଗତକାଲି ରାତିରେ ମଙ୍ଗରାଜପୁର ଗ୍ରାମର ଶରତ ବେହେରାଙ୍କ ଘରୁ ପାଞ୍ଚ ଲକ୍ଷରୁ ଉର୍ଦ୍ଧ ଟଙ୍କାର ସୁନା, ରୁପା ଅଳଙ୍କାର ଓ ନଗଦ ଦେଢ଼ ଲକ୍ଷ ଟଙ୍କା ଲୁଟ ହୋଇଥିବା ଅଭିଯୋଗ ହୋଇଛି। ଗ୍ରାମର ଶରତ ବେହେରା ଘରେ ନଥିବା ବେଳେ ତାଙ୍କ ମା ଓ ଭାଉଜ ଘରେ ରହୁଥିଲେ। ଗତକାଲି ସେମାନେ ଖାଇପିଇ ଶୋଇଥିବା ବେଳେ ଦୁର୍ବୁତ୍ତ ମାନେ ତାଙ୍କ ଘର ସମ୍ମୁଖ କବାଟ ତାଲା ଭାଙ୍ଗି ଘରେ ପସି ମା ଓ ଭାଉଜ ଶୋଇଥିବା ଘରର ବାହାର ପଟୁ ଶିକୁଳି ଦେଇ ଶରତଙ୍କ ରୁମରୁ ମଙ୍ଗଳସୂତ୍ର, ସୁନାଚେନ, କାନଫୁଲ, ଦୁଇଟି ସୁନା ମୁଦି, ସାଂକ୍ଷୀ, ରୁପା ପାଉଁଜି, ରୂପରେ ତିଆରି ଅଣ୍ଟା ବିଛା ସମେତ ନଗଦ ଦେଢ଼ଲକ୍ଷ ଟଙ୍କା ଓ ଗୋଟିଏ ମୋବାଇଲ ଲୁଟିନେଇ ଥିଲେ। ଆଜି ସକାଳୁ ପରିବାର ଲୋକେ ଉଠିବାବେଳେ ବାହାରପଟୁ କବାଟ ବନ୍ଦ ଥିବା ଦେଖି ପଡୋଶୀଙ୍କୁ ଡାକିବା ପରେ ପଡୋଶୀ ଆସି କବାଟ ଖୋଲିବା ପରେ ଲୁଟ ସମ୍ପର୍କରେ ଜାଣିବାକୁ ପାଇଥିଲେ। ଲୁଟ ସମ୍ପର୍କରେ ଖବର ପାଇ ଶରତ ଘରକୁ ଫେରିବା ପରେ ନନ୍ଦିପଦା ଥାନାରେ ଅଭିଯୋଗ କରିଥିଲେ। ଥାନା ଆଇଆଇସି ଧର୍ମେନ୍ଦ୍ର କୁମାର ଶାନ୍ତି ଘଟଣା ସ୍ଥଳରେ ପହଞ୍ଚି ଅନୁଧ୍ୟାନ କରିବା ପରେ ସନ୍ଧନୀ କୁକୁର ଓ ସାଇଣ୍ଟିଫିକ ଟିମ ଆଣି ତଦନ୍ତ କରିଥିଲେ ବି କିଛି ସୁରାକ ମିଳିପାରିନି। ବାରମ୍ବାର ଲୁଟ ଘଟଣା ଘଟୁଥିବାରୁ ଲୋକେ ଭୟଭୀତ ହୋଇ ପଡିଛନ୍ତି।