ସର୍ବଭାରତୀୟ ସାଧାରଣ ଧର୍ମଘଟ ବାଲେଶ୍ୱରରେ ସଂପୂର୍ଣ୍ଣ ସଫଳ
ବାଲେଶ୍ୱର, (ସରୋଜ ପଣ୍ଡା): ଶ୍ରମିକ ବିରୋଧୀ ଓ ପୁଞ୍ଜିପତି ମାଲିକ ସପକ୍ଷବାଦୀ ୪ ଶ୍ରମକୋଡ଼୍ ବାତିଲ୍, ରାଷ୍ଟ୍ରାୟତ୍ତ ଉଦ୍ୟେଗର ଘରୋଇକରଣ ବନ୍ଦ, ନିତ୍ୟବ୍ୟବହାର୍ଯ୍ୟ ଜିନିଷପତ୍ରର ଦରଦାମ ଉପରେ ଅଙ୍କୁଶ ଲଗାଇବା, ଖାଲି ପଡ଼ିଥିବା ସରକାରୀ ପଦବୀରେ ନିଯୁକ୍ତି ଦେବା, କୃଷକମାନଙ୍କ ଉତ୍ପାଦିତ ଦ୍ରବ୍ୟର ସର୍ବନିମ୍ନ ମୂଲ୍ୟ ସ୍ୱାମୀନାଥନ୍ କମିଶନ୍ଙ୍କ ସୁପାରିଶ ଅନୁସାରେ ଧାର୍ଯ୍ୟ କରିବା ମହିଳାଙ୍କ ସୁରକ୍ଷା, ସାମ୍ପ୍ରଦାୟିକତା ଆଧାରରେ ଦେଶର ଭାଇଚାରାକୁ ନଷ୍ଟ ନକରିବା, ସ୍କିମ୍ ୱାର୍କରଙ୍କୁ ଶ୍ରମିକର ମାନ୍ୟତା ଦେବା, ସମ୍ବିଧାନ ସମ୍ମତ ସଂଘୀୟ ବ୍ୟବସ୍ଥା ଅନୁସାରେ କେନ୍ଦ୍ର ସରକାର କାର୍ଯ୍ୟ କରିବା, ଭି.ବି.ଜି. ରାମଜି ବିଲ୍ ପ୍ରତ୍ୟାହାର କରି ପୁରୁଣା ମହାତ୍ମାଗାନ୍ଧୀ ନିଶ୍ଚିତ ରୋଜଗାର ଯୋଜନା ପୁନର୍ବାହାଲ କରିବା, ମଣ୍ଡି ଜରିଆରେ ଚାଷୀଙ୍କ ସମସ୍ତ ଧାନ ଖରିଦ୍ କରିବା ପ୍ରଭୃତି ଦାବିରେ ଆଜିର ହରତତାଳ ବାଲେଶ୍ୱର ସହରରେ ସଂପୂର୍ଣ୍ଣ ସଫଳ ହୋଇଛି। ଆଜି ସ କାଳ ୬ଟାରେ ରେଳଷ୍ଟେସନରେ ଶ୍ରମିକନେତା ଗୌରାଙ୍ଗ ପାଣିଗ୍ରାହୀ, ସି.ପି.ଆଇ. ଜିଲ୍ଲା ସଂପାଦକ ଭାଗବତ ପ୍ରତିହାରୀ, ଚାଷୀ ଏକତା ମଞ୍ଚର ଅରୁଣ ଜେନା, ନାରୀନେତ୍ରୀ ବନ୍ଦନା ପାତ୍ରଙ୍କ ନେତୃତ୍ୱରେ ତିନୋଟି ଟ୍ରେନ୍କୁ ରୋକା ଯାଇଥିଲା। ପରେ ଷ୍ଟେସନ୍ ଛକ ଠାରେ ବିଭିନ୍ନ ସଂଗଠନର ଶତାଧିକ କର୍ମୀ ଯାନବାହନ ଚଳାଚଳକୁ ବନ୍ଦ ରଖିଥିଲେ। ଜିଲ୍ଲା ସେସନ୍ ଜଜ୍ଙ୍କ ଫାଟକ ସମ୍ମୁଖରେ ଦୀର୍ଘ ସମୟ ଧରି କର୍ମୀମାନେ ନାରାବାଜି କରିବା ସହ ବନ୍ଦ କରିଥିଲେ। ଏଥିରେ ସି.ପି.ଏମ୍. ଜିଲ୍ଲା ସଂପାଦକ ଶିଶିର ହୁଇ, ନିର୍ମଳ ନାୟକ, ଈଶାନି ଷଡ଼ଙ୍ଗୀ, ଆଇ.ଏନ୍.ଟି.ୟୁ.ସି.ର ଜିଲ୍ଲା ସଭାନେତ୍ରୀ ବାସନ୍ତୀ ସାମଲଙ୍କ ନେତୃତ୍ୱରେ ବହୁ କର୍ମୀ ପିକେଟିଂରେ ଭାଗ ନେଇଥିଲେ। ସ୍କୁଲ୍, କଲେଜ୍, ବ୍ୟାଙ୍କ୍, ବୀମା, ପୋଷ୍ଟାଲ୍ ସମେତ ରାଜ୍ୟ ସରକାରଙ୍କ ସମସ୍ତ ଦପ୍ତର ବନ୍ଦ କରାଯାଇଥିଲା। ଦୋକାନ ବଜାର ସ୍ୱତଃସ୍ଫୂର୍ତ୍ତ ଭାବରେ ବନ୍ଦ ରହିଥିଲା। ବସ୍, ଟ୍ରକ୍ ମଧ୍ୟ ବନ୍ଦ ରହିଥିଳା। ଏହି ପିକେଟିଂରେ ଯତୀନ୍ ପାତ୍ର, ଅନନ୍ତ ମହାପାତ୍ର, ସୁହାଗୀ ମାଝୀ, ଶ୍ୟାମ ଜେନା, ଦିବାକର ପଣ୍ଡା, ତପନ ଭୂୟାଁ, ମନୋରଂଜନ ଦାଶ, ଭରତ ସେଠୀ, ବାସନ୍ତୀ ମାରାଣ୍ଡି, ଜୟନ୍ତ ଦାସ, ଜଗନ୍ନାଥ ବିଶ୍ୱାଳ, ସର୍ବେଶ୍ୱର ମିଶ୍ର, ଲକ୍ଷ୍ମୀଧର ଗିରି, ଅର୍ଜୁନ ମାଝୀ, ତପନ ସିଟ୍ ପ୍ରମୁଖ ନେତୃତ୍ୱ ନେଇଥିଲେ।


