ପାହାଡ଼କୁ ଧକ୍କା ଦେଲା ଯାତ୍ରୀବାହୀ ବସ, 30 ଆହତ, 7 ଗୁରୁତର
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା ):ଗଜପତି ଜିଲ୍ଲାରେ ଆଜି ଅପରାହ୍ନରେ କୌଣସି କାରଣରୁ ଭରସାମ୍ୟ ହରାଇ ପାହାଡ଼କୁ ଧକ୍କା ଦେଲା ଏକ ଯାତ୍ରୀବାହୀ ବସ. ଏହି ଘଟଣାରେ, 30 ଜଣ ଆହତ ହୋଇଥିବାବେଳେ 7 ଜଣ ଗୁରୁତର ହୋଇଛନ୍ତି. ଘଟଣାରୁ ପ୍ରକାଶ, ଗଜପତି ଜିଲ୍ଲାର ନୂଆଗଡ ବ୍ଲକର ସମ୍ବଲପୁର ଗ୍ରାମ ଠାରୁ ଆର. ଉଦୟଗିରି ଦେଇ ବ୍ରହ୍ମପୁର ଯାଉଥିବା ବିକ୍ରାନ୍ତ ନାମକ ଏକ ଘରୋଇ ବସଟି ମୋହନା ବ୍ଲକର ଚାନ୍ଦିପୁଟ ଠାରେ ଥିବା ଇନ୍ଦିରା ମେମୋରିଆଲ କଲେଜ ନିକଟରେ ରହିଥିବା ପାହାଡ଼ରେ ଭରସାମ୍ୟ ହରାଇ ବସଟି ଜୋରରେ ଧକ୍କା ହୋଇଥିଲା. ଏଥିରେ ବସରେ ରହିଥିବା ପ୍ରାୟ ସମସ୍ତ ଯାତ୍ରୀ ସାମାନ୍ୟ ଆହତ ହୋଇଥିବା ବେଳେ 30 ଜଣ ଯାତ୍ରୀଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ଚନ୍ଦ୍ରଗିରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ. ଏମାନଙ୍କ ମଧ୍ୟରୁ 7 ଜଣ ଯାତ୍ରୀ ଗୁରୁତର ଥିବା ଯୋଗୁଁ ସେମାନଙ୍କୁ ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ରେଫର କରାଯିବା ପାଇଁ ବ୍ୟବସ୍ଥା କରାଯାଉଛି. ଦୁର୍ଘଟଣା ଘଟିଥିବା ସ୍ଥାନରେ ମୋହନା ପୋଲିସ ପହଞ୍ଚି ଆହତ ମାନଙ୍କୁ ସ୍ଥାନୀୟ ଲୋକଙ୍କ ସହାୟତାରେ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି।


