ଯୁବକବି ତଥା ଆଇନଜୀବୀ ଚତୁର୍ଭୁଜ ଜେନାଙ୍କୁ ବିଦୁଷ ଭାରତୀ ସମ୍ମାନ
ହାଟଡିହି (ଓ୍ବାଇଏନଏସ): ବିଶ୍ଵ ମାତୃଭାଷା ଦିବସ ଅବସରରେ ଓଡ଼ିଶା ସାହିତ୍ୟ ଏକାଡେମୀ ଓ ଉତ୍କଳ ଭାରତୀ ବିଦୁଷ ସଭାର ମିଳିତ ସହଯୋଗରେ ଭୁବନେଶ୍ଵରର ଜୟଦେବ ଭବନ ପରିସରରେ ଗୀତ ଗୋବିନ୍ଦ ସଦନରେ ଆୟୋଜିତ ଉତ୍କଳ ଭାରତୀ ବିଦୁଷ ସଭାର ଦ୍ଵିତୀୟ ବାର୍ଷିକ ଉତ୍ସବ – ୨୦୨୬ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ କେନ୍ଦୁଝର ଜିଲ୍ଲା ଆମ୍ବଗଡ଼ିଆ ଗ୍ରାମର ଯୁବକବି ତଥା ଆଇନଜୀବୀ ଚତୁର୍ଭୁଜ ଜେନାଙ୍କୁ ତାଙ୍କ କବିତା ସଂକଳନ “ଭିଜା ମାଟିର ବାସ୍ନା” ପାଇଁ ବିଦୁଷ ଭାରତୀ ସମ୍ମାନରେ ସମ୍ମାନିତ କରାଯାଇଛି । ଏହି ସମ୍ବର୍ଦ୍ଧନା ସମାରୋହରେ ଉତ୍କଳ ସାହିତ୍ୟ ସମାଜର ସଭାପତି ଡ଼ଃ ଗୋବିନ୍ଦ ଚାନ୍ଦ, ଅବସରପ୍ରାପ୍ତ ନିର୍ଦ୍ଦେଶକ ମୀନକେତନ ଦାସ , ବିଦୁଷ ସଭାର ପ୍ରତିଷ୍ଠାତା କଣ୍ଡୁରୀ ଚରଣ ନାୟକ, ସଭାପତି ଜ୍ୟୋତିର୍ମୟ ଦାସ ପ୍ରମୁଖ ଉପସ୍ଥିତ ରହି ଶ୍ରୀଜେନାଙ୍କୁ ଉପଢୌକନ ସହ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରିଅଛନ୍ତି । ଏହି ସଫଳତାରେ ଶ୍ରୀ ଜେନାଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟୁଛି ।


