ଶିକ୍ଷା ବ୍ୟବସ୍ଥା ବିପର୍ଯ୍ୟସ୍ତ: ଗୋଟିଏ ଶ୍ରେଣୀ ଗୃହରେ ୬ଟି ଶ୍ରେଣୀ

ହାଟଡିହି, (ଓ୍ବାଇଏନଏସ): ସରକାର କୋମଳମତି ଶିଶୁଙ୍କ ଶିକ୍ଷା ଓ ଶାରୀରିକ ବିକାଶ ପାଇଁ ବିଭିନ୍ନ ପ୍ରକାର ଯୋଜନା କରି ବାଃ ବାଃ ମାରୁଥିବାବେଳେ ଗୋଟିଏ କଠୋରୀରେ ୬ଟି ଶ୍ରେଣୀର ଶିଶୁଙ୍କ ଶିକ୍ଷାଦାନ ଶିକ୍ଷାବିଭାଗର ପାରିବା ପାଣିଆକୁ ପଦାରେ ପକାଇଛି । ଗୋଟିଏ କି ଦୁଇଟି ନୁହଁ  ହାଟଡିହି ବ୍ଲକରେ ଦୁଇଟି ସ୍କୁଲରେ ଏପରି ସମସ୍ୟା ଥିବାବେଳେ ଜିଲ୍ଲାରେ ଅନେକ ସ୍କୁଲରେ ଏପରି ସମସ୍ୟା ଲାଗି ରହିଛି। ପ୍ରାଥମିକ ବିଦ୍ୟାଳୟ ଗୁଡିକ ପାଇଁ ସରକାର ଯୋଜନା ପରେ ଯୋଜନା ପ୍ରଣୟନ କରୁଥିବା ବେଳେ ପ୍ରାଥମିକ ଶିକ୍ଷାର ବିକାଶ ପାଇଁ ସେପରି ଆନ୍ତରିକତା ଦେଖାଉ ନଥିବା ଅଭିଯୋଗ ହୋଇଛି। ହାଟଡିହି ବ୍ଲକ ଚଣ୍ଡୀ ବିରଞ୍ଚିପୁର ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଶିଶୁ ବାଟିକା ଠାରୁ ଆରମ୍ଭ କରି ୫ମ ଶ୍ରେଣୀ ପର୍ଯ୍ୟନ୍ତ ଅଛି। ଏଠାରେ ୪୯ ଜଣ ଛାତ୍ରଛାତ୍ରୀ ପାଠ ପଢୁଛନ୍ତି। ପୁରୁଣା ଶ୍ରେଣୀଗୃହ ଗୁଡିକ ଭାଙ୍ଗିରୁଜି ଯାଇଥିବା ବେଳେ ଏକମାତ୍ର ଅଫିସ ଗୃହଟି ସୁରକ୍ଷିତ ଅଛି। କିନ୍ତୁ ୬ଟି ଶ୍ରେଣୀ ପାଇଁ ଆଦୌ ଶ୍ରେଣୀ ଗୃହ ନଥିବା ବେଳେ ୧୫ଫୁଟ ଲମ୍ବ ୧୨ଫୁଟ ଓସାର ବିଶିଷ୍ଟ ଅଫିସ ଗୃହରେ ଏବେ ଶିକ୍ଷାଦାନ ଚାଲିଛି। ଗୋଟିଏ ଗୃହରେ ସମସ୍ତ ଶ୍ରେଣୀର ପିଲାମାନେ ବସି ପଢ଼ୁଥିବାରୁ ନାନା ସମସ୍ୟା ସୃଷ୍ଟି ହେଉଛି। ଦୁଇଜଣ ଶିକ୍ଷୟତ୍ରୀ ଦୁଇ ପଟେ ବସି ଶିକ୍ଷାଦାନ କରୁଥିବା ବେଳେ ଗୋଟିଏ ଶ୍ରେଣୀର ପିଲାଙ୍କୁ ପଢ଼ାଇବା ବେଳେ ଅନ୍ୟ ପିଲାମାନେ ପାଟି ତୁଣ୍ଡ କରୁଥିବାରୁ ଠିକ ଭାବେ ଶିକ୍ଷାଦାନ ହୋଇ ପାରୁନଥିବା ପ୍ରଧାନ ଶିକ୍ଷୟତ୍ରୀ ପ୍ରତିଭା ଜେନା, ସହକାରୀ ଶିକ୍ଷୟତ୍ରୀ ସରସ୍ବତୀ ରାୟ ପ୍ରକାଶ କରିଛନ୍ତି । ଯେଉଁ ଗୃହରେ ଶିକ୍ଷାଦାନ ହେଉଛି ସେହି ଗୃହରେ  ଅଫିସ ଆଲମିରା, ଅଫିସ କାମ ଚାଲୁଥିବାରୁ ଅଫିସର କାମଦମ ମଧ୍ୟ ହୋଇ ପାରୁନି। ଅନ୍ୟ ପକ୍ଷରେ ସ୍କୁଲ ପରିସରରେ ନୂତନ ଶ୍ରେଣୀଗୃହ ନିର୍ମାଣ ସାରିଥିଲେ ବି ଦୀର୍ଘଦିନ ହେଲା ହସ୍ତାନ୍ତର ନ ହୋଇ ପଡ଼ିରହିଛି। ଯଦି ଶ୍ରେଣୀଗୃହ ହସ୍ତାନ୍ତର ହୁଅନ୍ତା ତେବେ ଛୁଆମାନେ ସୁବିଧାରେ ଶିକ୍ଷାଲାଭ କରି ପାରନ୍ତେ ବୋଲି ଗ୍ରାମବାସୀ ମାନେ ମତଦେଇଛନ୍ତି। । ବିଦ୍ୟାଳୟ ଉଚ୍ଚ କର୍ତ୍ତୃପକ୍ଷ ଏ ଦିଗରେ ଦୃଷ୍ଟି ଦେବାକୁ ଗ୍ରାମବାସୀ ମାନେ ଦାବି କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ