୧୬ ଲିଟର ବିଦେଶୀ ମଦ ଜବତ, ଜଣେ ଗିରଫ
ବନ୍ତ,(ଚାନ୍ଦିନୀ ମହାନ୍ତି) : ବନ୍ତ ଥାନା ଅଧିନ ଦେବତାଗଢିଆ ଗ୍ରାମ୍ୟ ରାସ୍ତା ନିକଟରେ ଆଜି ପୋଲିସ ପକ୍ଷରୁ ଚଢାଉ କରାଯାଇ ୧୬ ଲିଟର ବିଦେଶୀ ମଦ ସହିତ ବ୍ୟବହୃତ ମୋଟର ସାଇକେଲକୁ ଜବତ କରାଯାଇଛି । ଏଥିରେ ସମ୍ପୃକ୍ତ ଜଣେ ବ୍ୟକ୍ତିଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି । ଗିରଫ ବ୍ୟକ୍ତି ଜଣକ କେନ୍ଦୁଝର ଜିଲା ସୋସୋ ଥାନା ଅଧିନ ଭଦ୍ରାଗଢିଆ ଗ୍ରାମର ସୁକଦେବ ବେହେରା ବୋଲି ପୋଲିସ ସୂତ୍ରରୁ ଜଣାଯାଇଛି । ପ୍ରକାଶ ଯେ, ପୂର୍ବାହ୍ନ ୧୧ଟା ୩୦ ବେଳେ ଦେବତାଗଢିଆ ଗ୍ରାମ୍ୟ ରାସ୍ତା ନିକଟରେ ଜଣେ ବ୍ୟକ୍ତି ବିକ୍ରି ଉଦ୍ଦେଶ୍ୟରେ ବେଆଇନ ଭାବେ ବିଦେଶୀ ମଦ ପରିବହନ କରୁଥିବା ନେଇ ନିୟମିତ ପେଟ୍ରୋଲିଂ ସମୟରେ ପୋଲିସ କୌଣସି ସୂତ୍ରରୁ ଖବର ପାଇ ଉକ୍ତ ସ୍ଥାନରେ ଚଢାଉ କରିଥିଲା । ଯାଞ୍ଚ ପରେ ମଦ ରଖିବା ଏବଂ ପରିବହନ ସମର୍ଥନରେ କୌଣସି ବୈଧ କାଗଜପତ୍ର କିମ୍ବା ଲାଇସେନ୍ସ ଦେଖାଇ ନପାରିବାରୁ ପୋଲିସ ସମ୍ପୃକ୍ତ ବ୍ୟକ୍ତିଙ୍କ ଠାରୁ ୧୬ ଲିଟର ବିଦେଶୀ ମଦ ସହିତ ଓଡି୦୯-ଆର-୮୭୫୪ ନମ୍ବର ବିଶିଷ୍ଟ ମୋଟର ସାଇକେଲକୁ ଜବତ କରିଥିଲା । ଏନେଇ ବନ୍ତ ଥାନାରେ ୭୬/୨୬ ଓଡିଶା ଅବକାରୀ ଆଇନ ମୂଳେ ମାମଲା ରୁଜ୍ଜୁ କରାଯାଇ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି । ଅପରପକ୍ଷେ ବନ୍ତ ପୋଲିସ ପକ୍ଷରୁ ବେଆଇନ ମଦ କାରବାର ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଅଭିଯାନ ଜାରି ରହିଥିବା ସୂଚନା ମିଳିଛି ।


