ସିଙ୍ଗଡୋବ ଗାଁରେ ଅଙ୍ଗନବାଡି ବିବାଦ ତୀବ୍ର,ଅଙ୍ଗନବାଡି କର୍ମୀ ଓ ସହାୟିକା ଙ୍କୁ ତାଲା, ପୋଲିସ ଦ୍ୱାରା ଉଦ୍ଧାର
ହାଟଡିହି (ଓ୍ବାଇଏନଏସ): ହାଟଡିହି ବ୍ଲକ ବଞ୍ଚୋ ପଞ୍ଚାୟତ ସିଙ୍ଗଡୋବ ଗ୍ରାମରେ ଅଙ୍ଗନବାଡି ଗୃହ ନିର୍ମାଣକୁ ନେଇ ଗ୍ରାମରେ ବିବାଦ ତୀବ୍ର ହୋଇଥିବା ବେଳେ ଆଜି ନୂଆ ସିଙ୍ଗଡୋବ ଗ୍ରାମର ଲୋକମାନେ ଅଙ୍ଗନବାଡି କର୍ମୀ ଓ ସହାୟିକା ଙ୍କୁ ତାଲା ପକାଇ ରଖିବା ଚର୍ଚ୍ଚାର ବିଷୟ ପାଲଟିଛି। ଏଠାରେ ଅଙ୍ଗନବାଡି ଗୃହ ନିର୍ମାଣକୁ ନେଇ ନୂଆ ସିଙ୍ଗଡୋବ ଓ ପୁରୁଣା ସିଙ୍ଗଡୋବ ଭିତରେ ବିବାଦ ଉପୁଜିଥିଲା। ଅଙ୍ଗନବାଡି କେନ୍ଦ୍ରଟି ନୂଆ ସିଙ୍ଗଡୋବ ସ୍କୁଲ ପରିସରରେ ଦୀର୍ଘ ତିରିଶ ବର୍ଷରୁ ଉର୍ଦ୍ଧ ସମୟ ଧରି ଚାଲିଥିବା ବେଳେ ଏହାର ଗୃହ ନିର୍ମାଣ ପାଇଁ ସରକାର ଅନୁଦାନ ଯୋଗାଇ ଦେବାପରେ ନୂଆ ସିଙ୍ଗଡୋବ ସ୍କୁଲ ପରିସରରେ ଗୃହ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା। ପୁରୁଣା ସିଙ୍ଗଡୋବର ଲୋକମାନେ ଏହାକୁ ବିରୋଧ କରିଥିଲେ। ପୁରୁଣା ସିଙ୍ଗଡୋବ ଗ୍ରାମର ୨୫ରୁ ଉର୍ଦ୍ଧ ଶିଶୁ ପଢ଼ୁଥିବାରୁ ଓ ଏହି କେନ୍ଦ୍ରକୁ ଆସିବାରେ ସେମାନେ ନାନା ସମସ୍ୟା ଭୋଗୁଥିବାରୁ ତାଙ୍କ ଗାଁ ନିକଟରେ ଅଙ୍ଗନବାଡି ଗୃହ ନିର୍ମାଣ ପାଇଁ ଅଡ଼ି ବସିଥିଲେ। ଏପରିକି ମାସେ ହେଲା ଛୁଆ ମାନଙ୍କୁ ପୁରୁଣା ଅଙ୍ଗନବାଡିକୁ ନ ଛାଡ଼ିବା ସହିତ ତାଙ୍କ ଗାଁ ନିକଟରେ ଏକ କମ୍ୟୁନିଟି ସେଣ୍ଟର ଗୃହରେ ବସାଇ ଗାଁ ର ଜଣେ ମହିଳାଙ୍କ ଦ୍ୱାରା ଶିକ୍ଷାଦାନ କରାଇଥିଲେ। ଅନେକ ବିବାଦ ଦେଖାଦେବାରୁ ଗତ ୨୬ ତାରିଖ ଦିନ ଜିଲ୍ଲା ସମାଜ ମଙ୍ଗଳ ଅଧିକାରିଣୀ ସବିତା ଦାଶ, ବିଡ଼ିଓ ରଞ୍ଜନ କୁମାର ପରିଡା, ସିଡିପିଓ ଉମାମଣି ମହାପାତ୍ର, ସୁପରଭାଇଜର ପ୍ରଭାସିନୀ ଜେନା ପ୍ରମୁଖ ଗ୍ରାମରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଥିଲେ। ୧୨ନଂ ୱାର୍ଡରେ ଅଧିକ ସଂଖ୍ୟକ ଛୁଆ ଥିବାରୁ ଓ ତହସିଲ ପକ୍ଷରୁ ଦିଆ ଯାଇଥିବା ସ୍ଥାନଟି ଉଭୟ ସାହିର ମଧ୍ୟ ସ୍ଥଳରେ ହେଉ ଥିବାରୁ ଏଠାରେ ଅଙ୍ଗନବାଡି କେନ୍ଦ୍ରର ଗୃହ ନିର୍ମାଣ ପାଇଁ ନିଷ୍ପତି ନେଇଥିଲେ। ଏପରିକି ବର୍ତମାନ ପରିସ୍ଥିତିରେ ୨୫ରୁ ଉର୍ଦ୍ଧ ଛୁଆ ଥିବା ସ୍ଥାନରେ ପୁରୁଣା ସିଙ୍ଗଡୋବରେ ଅଙ୍ଗନାବାଡି କେନ୍ଦ୍ର ଚଳାଇବାକୁ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ଚିଠି ନଂ ୧୧୬୪ ତା ୭/୩/ ୨୦୨୬ରେ ନିର୍ଦେଶ ଦେଇଥିଲେ। ଏହି କ୍ରମରେ ସିଡିପିଓ ଙ୍କ କାର୍ଯ୍ୟାଳୟ ପତ୍ରସଂଖ୍ୟା ୨୫୮ରେ ଅଙ୍ଗନବାଡି କର୍ମୀଙ୍କୁ ଜଣାଇ ଦିଆଯାଇଥିଲା। ଅଙ୍ଗନବାଡି କର୍ମୀ ସଂଯୁକ୍ତା ଦେଇ ଓ ସହାୟିକା ଇନ୍ଦୁମତି ବେହେରା ଆଜି ସକାଳେ ନୂଆ ସିଙ୍ଗଡୋବ ଗ୍ରାମର ବିଦ୍ୟାଳୟରେ ଚାଲିଥିବା ଅଙ୍ଗନବାଡି କେନ୍ଦ୍ରକୁ ରେକର୍ଡ ପତ୍ର ଓ ଆସବାବପତ୍ର ଆଣିବାକୁ ଯାଇଥିବା ବେଳେ ନୂଆ ସିଙ୍ଗଡୋବ ଗ୍ରାମର ୫୦ରୁ ଉର୍ଦ୍ଧ ମହିଳା ଯାଇ ତାଙ୍କୁ ବିରୋଧ କରିବା ସହିତ ତାଲା ପକାଇ ଦେଇଥିଲେ। ଏନେଇ ସେ ସୁପରଭାଇଜର ଓ ସିଡିପିଓ ଙ୍କୁ ଅବଗତ କରାଇଥିଲେ। ସୁପରଭାଇଜର ପ୍ରଭାସିନୀ ଜେନା ଓ ସିଡିପିଓ ଉମାମଣି ମହାପାତ୍ର ଘଟଣା ସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କଲେବି ସେମାନେ ଛାଡିବାକୁ ରାଜି ହୋଇ ନଥିଲେ। ଫଳରେ ସିଡିପିଓ ଉମାମଣି ମହାପାତ୍ର ଏନେଇ ଆନନ୍ଦପୁର ପୋଲିସ କୁ ଅବଗତ କରାଇଥିଲେ। ଆନନ୍ଦପୁର ପୋଲିସ ପହଞ୍ଚି ଅଙ୍ଗନବାଡି କର୍ମୀ ଓ ସହାୟିକାଙ୍କୁ ଛାଡିବାକୁ ବୁଝାଇଥିଲେ ବି ସେମାନେ ରାଜି ନହୋଇ ପୋଲିସ ସହିତ ଯୁକ୍ତିତର୍କ କରିଥିଲେ। ଏହି ଘଟଣାରେ ପୋଲିସ ଜଣକୁ ଉଠାଇ ନେଇଥିବା ବେଳେ ବହୁ କଷ୍ଟରେ ଅଙ୍ଗନବାଡି କର୍ମୀ ଓ ସହାୟିକାଙ୍କୁ ଉଦ୍ଧାର କରିଥିଲା। ଆସନ୍ତାକାଲି ଠାରୁ ୧୨ନଂ ୱାର୍ଡରେ ଅଙ୍ଗନବାଡି କେନ୍ଦ୍ର ଚାଲୁ କରିବା ପାଇଁ ସିଡିପିଓ ନିର୍ଦେଶ ଦେଇଛନ୍ତି।


