ଛତ୍ରପୁର ମହିଳା ଡିଗ୍ରୀ ମହାବିଦ୍ୟାଳୟରେ ଆତ୍ମରକ୍ଷା ତାଲିମ ଶିବିର
ଛତ୍ରପୁର, (ଓ୍ବାଇଏନଏସ): ଗଞ୍ଜାମ ଜିଲ୍ଲା ଛତ୍ରପୁର ସ୍ଥିତ ମହିଳା ଡିଗ୍ରୀ ମହାବିଦ୍ୟାଳୟରେ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ଏକ ଆତ୍ମରକ୍ଷା ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି l ଆସନ୍ତା ୧୪ ତାରିଖ ପର୍ଯ୍ୟନ୍ତ ଚାଲିବ ମମତା ବେହେରା ପ୍ରଶିକ୍ଷକ ଭାବେ ଯୋଗ ଦେଇ ତାଲିମ ପ୍ରଦାନ କରିଛନ୍ତି l ବର୍ତ୍ତମାନର ସମାଜରେ ନାରୀ ସୁରକ୍ଷା ଏକ ପ୍ରମୁଖ ଆବଶ୍ୟକତା ହୋଇଥିବା ବେଳେ, ଛାତ୍ରୀମାନଙ୍କୁ ସ୍ଵାବଲମ୍ବୀ ଓ ସାହସୀ କରିବା ପାଇଁ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଊଛି | ଛାତ୍ରୀମାନଙ୍କୁ ଆତ୍ମନିର୍ଭରଶୀଳ କରିବା, ସୁରକ୍ଷା ବୃଦ୍ଧି କରିବା ଏବଂ ବିପଦ ସମୟରେ ନିଜକୁ ରକ୍ଷା କରିବା ପାଇଁ ଦକ୍ଷତା ବିକାଶ କରିବା ଏହି ତାଲିମର ମୁଖ୍ୟ ଲକ୍ଷ୍ୟ ବୋଲି କଲେଜ ପ୍ରିନ୍ସପାଲ ଡ଼. ସୁମିତା ମିଶ୍ର କହିଛନ୍ତି | ବହୁ ଛାତ୍ରୀ ଏହି ତାଲିମ ଶିବିରରେ ଯୋଗ ଦେଇ ତାଲିମ ନେଇଛନ୍ତି l ଜରୁରୀକାଳୀନ ପରିସ୍ଥିତିରେ ନିଜକୁ କିଭଳି ରକ୍ଷା କରିହେବ, ସେ ନେଇ ଛାତ୍ରୀମାନଙ୍କୁ ବିଭିନ୍ନ କୌଶଳ ଶିକ୍ଷା ଦିଆଯାଉଛି। ଅଭିଜ୍ଞ ତାଲିମଦାତାମାନଙ୍କ ଦ୍ୱାରା ‘କୁଙ୍ଗଫୁ’ ଏବଂ ‘କରାଟେ’ ଭଳି ଶାରୀରିକ କୌଶଳର ପ୍ରଦର୍ଶନ ଓ ଅଭ୍ୟାସ କରାଯାଉଛି। ଶାରୀରିକ କୌଶଳ ସହ ଆତ୍ମବିଶ୍ୱାସ ବୃଦ୍ଧି ଏବଂ ଭୟମୁକ୍ତ ହୋଇ ବିପଦର ସାମ୍ନା କରିବା ପାଇଁ ମାନସିକ ପ୍ରସ୍ତୁତି ଉପରେ ଗୁରୁତ୍ୱ ଦିଆଯାଉଛି। ପ୍ରତ୍ୟେକ ଛାତ୍ରୀ ନିଜର ସୁରକ୍ଷା ପାଇଁ କାହା ଉପରେ ନିର୍ଭର ନକରି ନିଜେ ସକ୍ଷମ ହେବା ଉଚିତ। ଏହି ତାଲିମ ସେମାନଙ୍କ ମଧ୍ୟରେ ଏକ ନୂଆ ଆତ୍ମବିଶ୍ୱାସ ସୃଷ୍ଟି କରିବ ବୋଲି କଲେଜ ପକ୍ଷରୁ କୁହାଯାଇଛି |


