ଜଗତପୁରରେ ୮୦୦ କୋଟିରୁ ଊର୍ଦ୍ଧ୍ୱ ମୂଲ୍ୟର ୬୩ ଏକର ଜମି ଫେରିପାଇଲେ ସରକାର
କଟକ, (ଓ୍ବାଇଏନଏସ): ଦୀର୍ଘ ୪୩ ବର୍ଷ ଧରି ଚାଲିଥିବା ଆଇନଗତ ବିବାଦର ଅନ୍ତ ଘଟାଇ ଓଡ଼ିଶା ସରକାର କଟକ ଜିଲ୍ଲାର ଜଗତପୁର ଅଞ୍ଚଳରେ ଥିବା ପ୍ରାୟ ୬୩ ଏକର ମୂଲ୍ୟବାନ ଜମିକୁ ନିଜ ଅଧୀନକୁ ଫେରାଇ ଆଣିଛନ୍ତି। ଏହି ଜମିର ବର୍ତ୍ତମାନର ଆନୁମାନିକ ବଜାର ମୂଲ୍ୟ ୮୦୦ କୋଟି ଟଙ୍କାରୁ ଅଧିକ ବୋଲି ଜଣାପଡ଼ିଛି। ରାଜସ୍ୱ ପର୍ଷଦର ସଦସ୍ୟ ସତ୍ୟବ୍ରତ ସାହୁ ବିବାଦୀୟ ଜମି ଉପରେ ଘରୋଇ ମାଲିକାନା ଦାବିକୁ ଖାରଜ କରି ଏହା ସରକାରୀ ଖାତାରେ ପୂର୍ବଭଳି ରେକର୍ଡଭୁକ୍ତ ରହିବ ବୋଲି ରାୟ ଦେଇଛନ୍ତି। ସୂଚନା ଅନୁଯାୟୀ, ଟାଙ୍ଗୀ-ଚୌଦ୍ୱାର ତହସିଲ ଅନ୍ତର୍ଗତ ଜଗତପୁର ନିକଟସ୍ଥ ଚେରା ମୌଜାରେ ଏହି ବିବାଦୀୟ ଜମି ରହିଛି। ୧୯୮୩ ମସିହାରୁ ଏହାର ମାଲିକାନାକୁ ନେଇ ଆଇନଗତ ଲଢ଼େଇ ଚାଲିଥିଲା। ଆବେଦନକାରୀମାନେ ୧୯୪୫ ମସିହାରେ ସମ୍ପାଦିତ ଏକ ଲିଜ୍ ଦଲିଲ, ପୁରୁଣା ଜମି ରେକର୍ଡ ଏବଂ ଖଜଣା ରସିଦ ଆଧାରରେ ଜମି ଉପରେ ନିଜର ମାଲିକାନା ଦାବି କରିଥିଲେ। ତେବେ ରାଜସ୍ୱ ପର୍ଷଦ ନିଜ ରାୟରେ ସ୍ପଷ୍ଟ କରିଛନ୍ତି ଯେ, ଲିଜ୍ ପ୍ରଦାନ କରିଥିବା ତତ୍କାଳୀନ ଜମିଦାରଙ୍କର ଉକ୍ତ ସମ୍ପତ୍ତି ଉପରେ ସୀମିତ ଅଧିକାର ଥିଲା। ତେଣୁ ସେ ଏହାର ସ୍ଥାୟୀ ମାଲିକାନା ହସ୍ତାନ୍ତର କରିବାକୁ ଆଇନଗତ ଭାବେ କ୍ଷମତାପ୍ରାପ୍ତ ନଥିଲେ। ସେହିପରି ଖଜଣା ପୈଠ କରିବା କିମ୍ବା ଖଜଣା ରସିଦ ନିଜ ପାଖରେ ରଖିବା ଦ୍ୱାରା କୌଣସି ବ୍ୟକ୍ତି ଜମିର ଆଇନଗତ ମାଲିକ ହୋଇପାରିବେ ନାହିଁ ବୋଲି ପର୍ଷଦ ମତ ଦେଇଛନ୍ତି। ରାୟରେ ଆହୁରି ଉଲ୍ଲେଖ କରାଯାଇଛି ଯେ, ୧୯୫୪ ମସିହାରେ ଓଡ଼ିଶା ଇଷ୍ଟେଟ୍ସ ଆବୋଲିସନ୍ ଆଇନ ଅନୁଯାୟୀ ଉକ୍ତ ଜମି ସରକାରଙ୍କ ଅଧୀନକୁ ଚାଲିଯାଇଥିଲା। ଏହି ରାୟ ପରେ କଟକ ଜିଲ୍ଲା ପ୍ରଶାସନ ଜମିର ଦଖଲ ନେବା ସହ ସରକାରୀ ମାଲିକାନା ସମ୍ପର୍କିତ ସୂଚନା ଫଳକ ଲଗାଇଛି। ଭବିଷ୍ୟତରେ ଯେପରି କେହି ଏହି ଜମିକୁ ଜବରଦଖଲ କରିପାରିବେ ନାହିଁ, ସେଥିପାଇଁ ପ୍ରଶାସନ ପକ୍ଷରୁ ପଦକ୍ଷେପ ନିଆଯାଇଛି। ପ୍ରଶାସନ ପକ୍ଷରୁ କରାଯାଇଥିବା କ୍ଷେତ୍ର ପରିଦର୍ଶନ ସମୟରେ ଏହି ଜମିର କିଛି ଅଂଶ ଖେଳପଡ଼ିଆ, ଶିକ୍ଷାନୁଷ୍ଠାନ, ମନ୍ଦିର ଏବଂ ରାସ୍ତା ଭାବେ ବ୍ୟବହାର ହେଉଥିବା ଜଣାପଡ଼ିଛି। ଦୀର୍ଘଦିନର ଏହି ବିବାଦର ଅନ୍ତ ଘଟିବା ପରେ ସ୍ଥାନୀୟ ବାସିନ୍ଦା ରାୟକୁ ସ୍ୱାଗତ କରିଛନ୍ତି। ଏହି ବିପୁଳ ପରିମାଣର ସରକାରୀ ଜମିକୁ ଶିକ୍ଷା, ମନୋରଞ୍ଜନ ଓ ଅନ୍ୟାନ୍ୟ ଜନକଲ୍ୟାଣମୂଳକ କାର୍ଯ୍ୟରେ ବିନିଯୋଗ କରିବାକୁ ସେମାନେ ସରକାରଙ୍କୁ ଅନୁରୋଧ କରିଛନ୍ତି। ଅନ୍ୟପକ୍ଷରେ, ସରକାରୀ ଜମିରେ ଆଗାମୀ ଦିନରେ କୌଣସି ପ୍ରକାର ଜବରଦଖଲ କରାଗଲେ ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୋଧରେ ଆଇନ ଅନୁଯାୟୀ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପ୍ରଶାସନ ପକ୍ଷରୁ ଚେତାବନୀ ଦିଆଯାଇଛି।


