ଗ୍ରାହକଙ୍କୁ କମର୍ସିିଆଲ୍ ଏଲ୍ପିଜି ସିଲିଣ୍ଡର ଯୋଗାଣ ବନ୍ଦ: ଚିନ୍ତାରେ ଶତାଧୀକ ହୋଟେଲ୍ ବ୍ୟବସାୟୀ
ଆସିକା(ୱାଇଏନ୍ଏସ୍) : ଆମେରିକା ଓ ଇରାନ୍ ଯୁଦ୍ଧର ପ୍ରଭାବ ଭାରତ ଉପରେ ପଡିଥିବା ସଚେତନ ନାଗରିକ ମହଲରେ ପଡିଥିବା ଆଲୋଚିତ ହେଉଛି । ଆସିକା ଅଞ୍ଚଳରେ ଥିବା ଦୁଇଟି ଗ୍ୟାସ୍ ଏଜେନ୍ସି ଅଧୀନରେ ପ୍ରାୟ ୪୦ ହଜାରରୁ ଉର୍ଦ୍ଧ୍ୱ ଘରୋଇ ଓ କମର୍ସିଆଲ୍ ଗ୍ରାହକ ଥିବା ବେଳେ ଗତ ଫେବୃୟାରୀ ମାସ ୨୮ ତାରିଖରୁ ମଧ୍ୟ ପ୍ରାଚ୍ୟରେ ଯୁଦ୍ଧ ଲାଗିଥିବା ଯୋଗୁଁ ଏଲ୍ପିଜି ସଂକଟ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଗତ କିଛି ଦିନ ହେଲା ଗ୍ରାହକଙ୍କୁ କମର୍ସିଆଲ୍ ଏଲ୍ପିଜି ସିଲିଣ୍ଡର ଯୋଗାଣ ବନ୍ଦ ହୋଇଥିବା ଯୋଗୁଁ ବହୁ ହୋଟେଲ୍ ମାଲିକ ଚିନ୍ତାରେ ପଡିଯାଇଥିଲା ବେଳେ ହୋଟେଲ୍ ବ୍ୟବସାୟ ମଧ୍ୟ ଆଗାମୀ କିଛି ଦିନ ପରେ ବାଧାପ୍ରାପ୍ତ ହେବା ସମ୍ଭାବନାକୁ ମଧ୍ୟ ଏଡାଇ ହେଉନାହିଁ । ଗତ କିଛି ଦିନ ତଳେ ଏଲ୍ପିଜି ସିଲିଣ୍ଡରର ଦର ବୃଦ୍ଧି ପାଇଥିବା ଯୋଗୁଁ ଅଧିକାଂଶ ଗ୍ରାହକଙ୍କ ମହଲରେ ତୀବ୍ର ଅସନ୍ତୋଷ ଓ ପ୍ରତିକ୍ରିୟା ପ୍ରକାଶ ପାଉଥିବା ଦେଖିବାକୁ ମିଳୁଛି । ଆସିକା ସହର ତଥା ଏହାର ଆଖପାଖ କେତେକ ଅଞ୍ଚଳରେ ମାଳମାଳ ହୋଟେଲ୍, ରେଷ୍ଟୁରାଣ୍ଟ ଓ ଉଠାଦୋକାନୀ ବ୍ୟବସାୟ କରି ପରିବାର ପ୍ରତିପୋଷଣ କରିଆସୁଥିଲା ବେଳେ ବହୁ ବ୍ୟକ୍ତି ସକାଳର ଓ ସନ୍ଧ୍ୟାର ଟିଫିନ୍ ସାଙ୍ଗକୁ ମଧ୍ୟାହ୍ନ ଓ ରାତ୍ରର ଭୋଜନ ପାଇଁ ବାହାର ଖାଦ୍ୟ ଉପରେ ପ୍ରାୟତଃ ନିର୍ଭର କରୁଥିବା ଦେଖିବାକୁ ମିଳୁଛି । ଗତ କିଛିି ଦିନ ହେଲା ଗ୍ରାହକଙ୍କୁ କମର୍ସିଆଲ୍ ଏଲ୍ପିଜି ସିଲିଣ୍ଡର ଯୋଗାଣ ପ୍ରାୟତଃ ବନ୍ଦ ହୋଇଯାଇଥିବା ଯୋଗୁଁ ଖାଦ୍ୟ ବ୍ୟବସାୟ ମଧ୍ୟ କିଛି ମାତ୍ରାରେ ପ୍ରଭାବିତ ହୋଇଥିବା ଚର୍ଚ୍ଚା ହେଉଛି । ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧର ସିଧାସଳଖ ପ୍ରଭାବ ସାଧାରଣ ଜନତାଙ୍କ ଉପରେ ପଡିଛି । ଖାଇବା ତେଲ ପରେ ରୋଷେଇ ଗ୍ୟାସର ଦରବୃଦ୍ଧି ଗ୍ରାହକଙ୍କ ଚିନ୍ତା ବଢାଇ ଦେଇଛି । ବାଣିଜ୍ୟିକ ଗ୍ୟାସ ବୁକିଂ ଗତ କିଛି ଦିନ ହେଲା ବନ୍ଦ ରହିଥିବା ଯୋଗୁଁ ହୋଟେଲ୍ ଓ ରେଷ୍ଟୁରାଣ୍ଟ ସେବା ପ୍ରଭାବିତ ହେବାରେ ଲାଗିଛି । ଆସିକା ସହର ତଥା ଏହାର ଆଖପାଖ ଅଞ୍ଚଳରେ କେତେକ ହୋଟେଲରେ କମର୍ସିିଆଲ୍ ଏଲ୍ପିଜି ସିଲିଣ୍ଡର ଶେଷ ହେବାକୁ ବସିଥିଲା ବେଳେ ଆଗାମୀ କିଛି ଦିନ ମଧ୍ୟରେ ଯଦି ବ୍ୟବସାୟିକ ସିିଲିଣ୍ଡର ନ ମିଳେ ତେବେ ବ୍ୟବସାୟ କିପରି ହେବ ବୋଲି ବହୁ ବ୍ୟବସାୟୀ ଚିନ୍ତିତ ହୋଇପଡିଥିବା ଦେଖିବାକୁ ମିଳୁଛି । ଯଦି ଅତିଶୀଘ୍ର ବାଣିଜ୍ୟିକ ଗ୍ୟାସ ବୁକିଂ ନ ହୁଏ ତେବେ ହୋଟେଲ୍ ଓ ରେଷ୍ଟୁରାଣ୍ଟରେ ମଧ୍ୟାହ୍ନ ଓ ରାତ୍ର ଭୋଜନ ପ୍ରସ୍ତୁତି ବନ୍ଦ ହେବା ସମ୍ଭାବନାକୁ ଏଡାଇ ହେଉନାହିଁ । ଗତ କିଛି ଦିନ ଧରି ଆସିକା ସହର ତଥା ଏହାର ଆଖପାଖ କେତେକ ଅଞ୍ଚଳରେ ବ୍ୟବସାୟିକ ରନ୍ଧନ ଗ୍ୟାସ ସଂକଟ ଦେଖାଦେଇଛି । ବ୍ୟବସାୟିକ ରନ୍ଧନ ଗ୍ୟାସ ସିଲିଣ୍ଡର ଯୋଗାଣ ଉପରେ କଟକଣା ଜାରି କରାଯାଇଥିବା ହୋଟେଲ୍ ବ୍ୟବସାୟ ବିଶେଷ ଭାବେ ପ୍ରଭାବିତ ହେବାରେ ଲାଗିଛି । ବ୍ୟବସାୟିକ ରନ୍ଧନ ଗ୍ୟାସ ସିଲିଣ୍ଡର ଯୋଗାଣରେ ସମସ୍ୟା ଯୋଗୁଁ କେତେକ ହୋଟେଲ୍ ବ୍ୟବସାୟୀ କୋଇଲା ଚୁଲା କିମ୍ବା କାଠଚୁଲାରେ କିଛି ଦିନ ବ୍ୟବସାୟ ଜାରି ରଖିବାକୁ ସଜବାଜ ହେଉଥିବା ପରିଲକ୍ଷିତ ହେଉଛି । ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ତୁରନ୍ତ ଧ୍ୟାନ ଦେଇ ବ୍ୟବସାୟିକ ଗ୍ୟାସ ସିଲିଣ୍ଡର ପୂର୍ବଭଳି ସମସ୍ତ ହୋଟେଲ୍ ଗୁଡିକୁ ଯୋଗାଇଦେବା ଦିଗରେ ପଦକ୍ଷେପ ନେବାକୁ ଆସିକା ଅଞ୍ଚଳର ଅଗ୍ରଣୀ ସେକ୍ସମ୍ ରେଷ୍ଟୁରାଣ୍ଟ ମାଲିକ ଧନମାଳୀ ସିୟ ଅନୁରୋଧ କରିଛନ୍ତି ।


