ହାଣ୍ଡିଶାଳରେ ମଧ୍ୟପ୍ରାଚ୍ୟର ଯୁଦ୍ଧର ପ୍ରଭାବ: ଆସିକା ଗ୍ୟାସ୍ ଡିପୋରେ ଗ୍ରାହକଙ୍କ ଲମ୍ବା ଲାଇନ୍
ଆସିକା (ୱାଇଏନ୍ଏସ୍) :ମଧ୍ୟପ୍ରାଚ୍ୟର ଯୁଦ୍ଧର ପ୍ରଭାବରେ ଦେଖାଦେଇଥିବା ଜଳେଣୀ ଗ୍ୟାସ ଅଭାବର ପ୍ରଭାବ ସିଧାସଳଖ ଏଲ୍ପିଜି ଗ୍ରାହକଙ୍କ ଉପରେ ପଡିଥିବା ପରିଲକ୍ଷିତ ହୋଇଛି । ଘରୋଇ ସିଲିଣ୍ଡର ଦର ୬୦ ଟଙ୍କା ବଢିବା ଏବଂ ବାଣିଜ୍ୟିକ ଏଲ୍ପିଜି ଦର ପ୍ରାୟ ୧୧୦ ଟଙ୍କା ବୃଦ୍ଧି ପାଇବା ପରେ ରୋଷେଇଶାଳାରେ ଚଡକ ପଡିଯାଇଥିବା ଦେଖିବାକୁ ମିଳିଛି । ଆସିକା ସହର ତଥା ଏହାର ଆଖପାଖ ଅଞ୍ଚଳର ଅଧିକାଂଶ ଗ୍ରାହକଙ୍କ ଏଲ୍ପିଜି ଘରୋଇ ରନ୍ଧନ ଗ୍ୟାସ ସରିଯିବାର ଆଶଙ୍କା ଦେଖାଦେଇଥିବା ଜଣାପଡିଛି । ଶୁକ୍ରବାର ପୂର୍ବାହ୍ନରୁ ଦୀର୍ଘ ସମୟ ଧରି ଆସିକା ହିନ୍ଦୁସ୍ଥାନ ପେଟ୍ରୋଲିୟମର ଗ୍ୟାସ୍ ଡିପୋ ସମ୍ମୁଖରେ ଘରୋଇ ଗ୍ୟାସ୍ ସିଲିଣ୍ଡର ନେବା ପାଇଁ ବୁକିଂ କରିଥିବା ଗ୍ରାହକଙ୍କ ଲମ୍ବା ଲାଇନ୍ ଦେଖିବାକୁ ମିଳିଥିଲା । ଆସିକା ହିନ୍ଦୁସ୍ଥାନ ପେଟ୍ରୋଲିୟମ୍ ରନ୍ଧନ ଗ୍ୟାସ ବିତରଣକାରୀ ସଂସ୍ଥାର କର୍ତ୍ତୃପକ୍ଷ ଡିପୋ ନିକଟରେ ଉପସ୍ଥିତ ରହି ଶୃଙ୍ଖଳିତ ଭାବେ ନୀତିନିୟମ ଅନୁଯାୟୀ ଗ୍ରାହକମାନଙ୍କୁ ଘରୋଇ ରନ୍ଧନ ଗ୍ୟାସ ବିତରଣ କରୁଥିଲେ । ବ୍ୟବସାୟିକ ଗ୍ୟାସ ସିଲିଣ୍ଡର ବୁକିଂ ଗତ କିଛି ଦିନ ହେଲା ବନ୍ଦ ହୋଇଯାଇଥିବା ଯୋଗୁଁ ହୋଟେଲ୍ ଓ ରେଷ୍ଟୁରାଣ୍ଟ ଶିଳ୍ପ ବର୍ତ୍ତମାନ ସୁଦ୍ଧା କିଛିମାତ୍ରାରେ ବାଧାପ୍ରାପ୍ତ ହୋଇଥିବା ଜଣାପଡିଛି । ଇରାନ୍ ଯୁଦ୍ଧରେ ଭାରତରେ ରନ୍ଧନ ଗ୍ୟାସ ଯୋଗାଣ କ୍ଷେତ୍ରରେ ଏକ ବଡ ସଂକଟ ସୃଷ୍ଟି ହୋଇଛି । ଆସିକା ଅଞ୍ଚଳରେ ବର୍ତ୍ତମାନ ସୁଦ୍ଧା ଏଲ୍ପିଜି ସଂକଟ ସେତେଟା ଦେଖାଦେଇନଥିଲେ ମଧ୍ୟ ଆଗାମୀ କିଛି ଦିନ ପରେ କାଳେ ଗ୍ୟାସ ସିଲିଣ୍ଡର ସଂକଟ ଦେଖାଦେବା ଆଶଙ୍କାରେ ରନ୍ଧନ ଗ୍ୟାସ ସିଲିଣ୍ଡର ନେବାକୁ ଡିପୋ ନିକଟରେ ବହୁ ଗ୍ରାହକଙ୍କ ଏକପ୍ରକାର ପ୍ରତିଯୋଗିତା ଲାଗିଥିବା ପରିଲକ୍ଷିତ ହୋଇଥିଲା । ଡୋମେଷ୍ଟିକ୍ ବା ଘରୋଇ ଗ୍ୟାସ ସିଲିଣ୍ଡରକୁ ଉପଭୋକ୍ତାଙ୍କ ନିକଟରେ ପହଞ୍ଚାଇବା ପାଇଁ ଆସିକା ଏପ୍ପି ଗ୍ୟାସ ବିତରଣକାରୀ ସଂସ୍ଥା ପକ୍ଷରୁ ସମସ୍ତ ପ୍ରୟାସ ଜାରି ରହିଥିବା ଦେଖିବାକୁ ମିଳିଛି । ମଧ୍ୟପ୍ରାଚ୍ୟ ଯୁଦ୍ଧର ଭୟାବହତାର ଖବର କେତେକ ଲୋକଙ୍କୁ ବେଶ୍ ଆନ୍ଦୋଳିତ କରୁଛି । ପ୍ରତିଦିନ ଗଣମାଧ୍ୟମରୁ ଯୁଦ୍ଧ ସୂଚନା ପାଇ ରନ୍ଧନ ଗ୍ୟାସ ସରିଯିବ ଏବଂ କମ୍ ଯୋଗାଣ ହେବ ଖବରକୁ ବହୁ ଉପଭୋକ୍ତା ଅତ୍ୟନ୍ତ ଗୁରୁତର ଭାବେ ନେଇ ଆଗୁଆ ସତର୍କତାମୂଳକ ଅବଲମ୍ବନ ସ୍ୱରୂପ ବୁକିଂ କରି ଗ୍ୟାସ ନେବା ପାଇଁ ଗୋଦାମ ଆଗରେ ଲାଇନ୍ ଲଗାଉଥିବା ଦେଖିବାକୁ ମିଳୁଛି । ଗ୍ୟାସ ବୁକିଂର ସମୟ ଅବଧି ୨୧ ଦିନ ପରିବର୍ତ୍ତେ ୨୫ ଦିନରେ ଥରେ ଗ୍ୟାସ ବୁକିଂ କରିବାକୁ ଘୋଷଣା ହେଲା ପରେ ବହୁ ବ୍ୟକ୍ତି ଛାନିଆ ହୋଇପଡିଥିବା ଦେଖିବାକୁ ମିଳୁଛି । ଘରୋଇ ବା ଡୋମେଷ୍ଟିକ୍ ଗ୍ୟାସ ଆସିକାର ହିନ୍ଦୁସ୍ଥାନ ପେଟ୍ରୋଲିୟମ ଡିପୋକୁ ଆସି ସୁଚାରୂ ରୂପେ ଗ୍ରାହକଙ୍କୁ ବଣ୍ଟନ ହେଉଥିଲା ବେଳେ ବ୍ୟବସାୟିକ ଗ୍ୟାସ ଆସିବା ଗତ କିଛି ଦିନ ହେଲା ସଂପୁର୍ଣ୍ଣ ରୂପେ ବନ୍ଦ ହୋଇଯାଇଛି । ଏଥିପାଇଁ ଆସିକା ସହରର କେତେକ ହୋଟେଲ୍, ରେଷ୍ଟୁରାଣ୍ଟ, ରାସ୍ତାପାଶ୍ୱର୍ ଛୋଟବଡ ଜଳଖିଆ ଦୋକାନୀ ବିଶେଷ ଭାବେ ପ୍ରଭାବିତ ହେଉଥିବା ଆଲୋଚିତ ହେଉଛି । ହୋଟେଲ୍ ଗୁଡିକରେ ଡୋମେଷ୍ଟିକ୍ ବା ଘରୋଇ ଗ୍ୟାସ ବ୍ୟବହାରରେ ପ୍ରତିବନ୍ଧକ ଥିବାରୁ କେତେକ ହୋଟେଲ୍ ମାଲିକ ଅଙ୍ଗାର କିମ୍ବା କାଠଚୁଲାରେ ରୋଷେଇ କରିବାକୁ ସଜବାଜ ହେଉଥିବା ଜଣାପଡିଛି । ଆସିକା ହିନ୍ଦୁସ୍ଥାନ ପେଟ୍ରୋଲିୟମ୍ ଗ୍ୟାସ ବିତରଣକାରୀ ସଂସ୍ଥା ପକ୍ଷରୁ ବୁକିଂ ହିସାବରେ ଗ୍ରାହକଙ୍କୁ ରନ୍ଧନ ଗ୍ୟାସ ସିଲିଣ୍ଡର ସୁଚାରୂ ରୂପେ ଯୋଗାଇ ଦିଆଯାଉଥିବା ଦେଖିବାକୁ ମିଳୁଛି ।


