ତିନି ମନ୍ଦିରରୁ ଲକ୍ଷାଧିକ ଟଙ୍କାରୁ ଉର୍ଦ୍ଧ ଅଳଙ୍କାର ଚୋରି
ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା): ଗୋଷାଣି ବ୍ଲକ ଗୁରାଣ୍ଡି ଥାନା ଅନ୍ତର୍ଗତ ଲିଙ୍ଗିପୁର ଗ୍ରାମର ଦୁଇ ଗୋଟି ମନ୍ଦିରରୁ ଲକ୍ଷାଧିକ ଟଙ୍କା ମୂଲ୍ୟର ସୁନା ଓ ରୂପା ଚୋରି ହୋଇଯାଥିବାର ଜଣାପଡିଛି । ମନ୍ଦିରର ପୂଜକଙ୍କ ସୂଚନା ପ୍ରକାରେ ସବୁଦିନ ଭଳି ଆଜି ସେ ଭୋର୍ ସମୟରେ ଗ୍ରାମରେ ଥିବା ଚିନ୍ତାଲୁ ପାଲମ୍ମା ଠାକୁରାଣୀ ମନ୍ଦିର ଖୋଲିବା ପାଇଁ ଯାଇଥିଲେ । ସେତେବେଳେ ସେ ମନ୍ଦିର ଫାଟକର ଚାବି ଭଙ୍ଗାଯିବା ଏବଂ ମନ୍ଦିର ମଧ୍ୟରେ ଥିବା ଏକ ଆଲମିରା ଭଙ୍ଗାଯାଇଥିବାର ଦେଖିବାକୁ ପାଇଥିଲେ । ଯାହାକୁ ନେଇ ସେ ଗ୍ରାମବାସୀଙ୍କୁ ଖବର ଦେଇଥିଲେ । ତେବେ ଏହି ମନ୍ଦିରରେ ଥିବା ଠାକୁରାଣୀଙ୍କ ମୂର୍ତ୍ତିରେ ଲାଗିଥିବା ବିଭିନ୍ନ ସୁନା ଅଳଙ୍କାର ସମେତ ରୂପାରେ ତୟାର ହୋଇଥିବା ମାଁଙ୍କ ମୁକୁଟ କିରଟ ଚୋରି ହୋଇଯାଇଥିବାର ଦେଖିବାକୁ ପାଇଥିଲେ । ସେହିପରି ମନ୍ଦିର ପରିସରରେ ଥିବା ଆଲମିରାକୁ ମଧ୍ୟ ଭଙ୍ଗାଯାଇ ସେଥିରେ ଥିବା ମୂଲ୍ୟବାନ ତିନିଗୋଟି ପାଟ ଶାଢିକୁ ମଧ୍ୟ ଦୁର୍ବୃତ୍ତ ଚୋରାଇ ନେଇଥିବାର ଦେଖିବାକୁ ପାଇଥିଲେ । ଏହି ମନ୍ଦିରରୁ ପ୍ରାୟ ଦୁଇ ତୁଳାର ସୁନା ଅଳଙ୍କର ସମେତ 50 ତୁଳାରୁ ଉର୍ଦ୍ଧ ରୂପା କିରଟ ଏବଂ ତିନୋଟି ମୂଲ୍ୟବାନ ପାଟଶାଢୀ ଚୋରି ହୋଇଥିବାର ଜାଣିବାକୁ ପାଇଥିଲେ । ସେହିପରି ଏହି ଗ୍ରାମରେ ଥିବା ଏକ ଶିବ ମନ୍ଦିରରେ ମଧ୍ୟ ଚୋରି ହୋଇଥିବାର ଗ୍ରାମବାସୀ ଜାଣିବାକୁ ପାଇଥିଲେ ।ସେହିପରି ବାଘସଲା ହନୁମାନ ମନ୍ଦିର ର ହୁଣ୍ଡୀ ମଧ୍ୟ ଚୋରୀ ହୋଇଥିବା ଗ୍ରାମବାସୀ ମାନେ କହିଛନ୍ତି |ଏହି ମନ୍ଦିରରେ ବିଭିନ୍ନ ସାମଗ୍ରୀ ଚୋରୀ ହୋଇଯାଇଥିବାର ମଧ୍ୟ ଜଣାପଡିଛି । ମେ ୧୬ ରୁ ତିନି ଦିନ ଧରି ଠାକୁରାଣୀ ମନ୍ଦିର ର ବର୍ଷିକ ଉତ୍ସବ ଧୁମଧାମ ରେ କରିଥିଲେ | ଘଟଣା ସମ୍ପର୍କେ ଗୁରାଣ୍ଡି ପୁଲିସ ଖବର ପାଇ ଉଭୟ ମନ୍ଦିରକୁ ଯାଇ ତଦନ୍ତ ଆରମ୍ଭ କରିଛି । ଅନ୍ୟପକ୍ଷରେ ଗ୍ରାମରେ ଏପରି ମନ୍ଦିର ଗୁଡିକରୁ ସିରିଜ ଚୋରି ଘଟଣା ଘଟିଥିବାରୁ ଆଗାମୀ ଦିନରେ ଚୋରୀ ଘଟଣା ବୃଦ୍ଧିପାଇବା ଆଶଙ୍କା ପ୍ରକାଶ କରି ଗ୍ରାମବାସୀ ଭୟଭୀତ ହୋଇଯାଇଛନ୍ତି । ତେଣୁ ଏହି ଅଞ୍ଚଳରେ ପୁଲିସର ପେଟ୍ରୋଲିଂ ବ୍ୟବସ୍ଥାକୁ ଅଧିକା କଡାକଡି କରିବାପାଇଁ ଦାବି ହୋଇଛି ।


