ଗୁଣପୁରର ପ୍ରସିଦ୍ଧ ରଥଯାତ୍ରା ପାଇଁ ପ୍ରସ୍ତୁତି ଶେଷ

ଗୁଣପୁର,(ୱାଇଏନଏସ): ଦକ୍ଷିଣ ଓଡ଼ିଶାରେ ପ୍ରସିଦ୍ଧ ଗୁଣପୁରର ମହାପ୍ରଭୁଙ୍କର ଘୋଷଯାତ୍ରା ପାଇଁ ସବୁ ପ୍ରସ୍ତୁତି ଦେଵତ୍ତୋର ବିଭାଗ ଅଧିକାରୀ ତଥା ତହସିଲଦାର ଲୀଳାବତୀ ଆଚାର୍ଜିଙ୍କ ତତ୍ତ୍ଵବୋଧନ ଶେଷ ପର୍ଯ୍ୟାୟରେ ପହଞ୍ଚିଛି, ସାନ ଓ ବଡ଼ ମନ୍ଦିର ପାଇଁ ଦୁଇଟି ରଥ ନିର୍ମାଣ ଶେଷ ହୋଇ ପ୍ରସ୍ତୁତ ରହିଛି। ଦଶ ଅବତାର ମୂର୍ତ୍ତି, ପାର୍ଶ୍ଵ ମୂର୍ତ୍ତି, ରଥ ସମ୍ମୁଖ ରଙ୍ଗ ଦିଆ କାର୍ଯ୍ୟ ଚିତ୍ରଶିଳ୍ପୀ ନବୀନ ଗୁରୁ,କମଳାକାନ୍ତ ଖୁଣ୍ଟିଆ, ରାମ ଗୌଡ଼,ଦେଵବ୍ରତ୍ତ ପାଢ଼ୀଙ୍କ ଦ୍ବାରା ସମ୍ପନ ହୋଇଛି। ଭାଇଭଉଣୀଙ୍କୁ ଧରି ରତ୍ନ ସିଂହାସନରୁ ଓହ୍ଲାଇ ଆସିବେ କାଳିଆ ସାଆନ୍ତ । ରଥ ଉପରୁ ଦେଖିବେ ବିଭୋର ଭକ୍ତଙ୍କୁ । ବଡ ଦାଣ୍ଡରେ ଭକ୍ତ-ଭଗବାନଙ୍କର ହେବ ଅପୂର୍ବ ମିଳନ । ଶ୍ରୀ ଜଗନ୍ନାଥ ମନ୍ଦିର ପରିଚାଳନା କମିଟି ସ୍ଵୀକୃତି କ୍ରମେ ନୀତି ନିର୍ଘଣ୍ଟ ଚୂଡାନ୍ତ ହୋଇଛି। ଗୁରୁବାର ସକାଳ ୬ଟା ସୁଦ୍ଧା ମଙ୍ଗଳ ଆଳତି, ୬ଟା ୧ ରୁ ୬ ଟା ୩୦ ସୁଦ୍ଧା ମଇଲମ ଓ ତଡ଼ପଲାଗି, ୬ଟା ୩୦ରେ ରୋଷ ହୋମ, ସକାଳ ୭ଟା ଅବକାଶ ନୀତି, ୭ଟା ୧୦ ସୂର୍ଯ୍ୟପୂଜା, ୭ଟା ୩୦ ଦ୍ୱାରପାଳ ପୂଜା କରାଯାଇ ୭ ଟା ୩୦ରେ ବେଶ ଶେଷ ହେବ। ସକାଳ ୯ଟାରେ ରଥ ପ୍ରତିଷ୍ଠା, ୯ ଟା ୧୫ରେ ମଙ୍ଗଳାର୍ପଣ ନୀତି ସମ୍ପନ୍ନ ହେବ ।ସକାଳ ୯ ଟା ୩୦ରେ ପହଣ୍ଡି ଆରମ୍ଭ କରିବା ପାଇଁ ନୀତି ନିର୍ଘଣ୍ଟ ହୋଇଛି । ୧୨ଟା ୩୦ ସୁଦ୍ଧା ପହଣ୍ଡି ଶେଷ ହୋଇ ଅପରାହ୍ନରେ ଛେରା ପହଁରା ହେବା ପରେ ଅପରାହ୍ନ ୪ ଟାରେ ରଥଟଣା ଆରମ୍ଭ ହେବ ବୋଲି ସୂଚନା ମିଳିଛି ।ଉଲେଖଯୋଗ୍ୟଯେ ରଥଯାତ୍ରାରେ ବଡ଼ ରଥକୁ ସମସ୍ତେ ଟାଣୁଥିବା ବେଳେ ୨୦୦୫ ମସିହାରୁ ସାନ ରଥକୁ କେବଳ ମହିଳା ମାନେ ଟାଣିବା ପରମ୍ପରା ସୃଷ୍ଟି କରାଯାଇଛି। ସେହିବର୍ଷରୁ ରଥ ଉପରରୁ ଡାହୁକଙ୍କ ଦ୍ଵାରା ବଲାଯାଉଥିବା ଅଶ୍ଳୀଳ ଢୋଗମାଳି ଗୀତକୁ ମଧ୍ୟ ବନ୍ଦ କରାଯାଇଛି। ଅପର ପକ୍ଷରେ ରଥଯାତ୍ରାକୁ ଶୃଙ୍ଖଳିତ ଓ ଅଘଟଣମୁକ୍ତ କରିବାକୁ ଉପଜିଲ୍ଲାପାଳ ଦୁଧାଲ ଅଭିଷେକ ଦିଲ୍ଲୀପଙ୍କ ଅଧ୍ୟକ୍ଷତାରେ ଏକାଧିବାର ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା। ଶାନ୍ତିଶୃଙ୍ଖଳା ବଜାୟ ରଖିବା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ଗୁଣପୁର ଥାନା ଆଇଆଇସି କମଳାକାନ୍ତ ବସନ୍ତ କୁମାର କହଁରଙ୍କ ସୂଚନା ଅନୁସାରେ, ରଥଯାତ୍ରାରେ ତିନି ପ୍ଲାଟୁନ ପୋଲିସ ସୁରକ୍ଷା କର୍ମଚାରୀ ମୁତୟନ ହେବାକୁ ଥିବା ବେଳେ ଏସଡିପିଓ ବାବୁଲି ନାୟକଙ୍କ ତତ୍ତ୍ଵବୋଧନରେ ୫ ଜଣ ଆଇଆଇସି ତିନି ଜଣ ମାଜିଷ୍ଟ୍ରେଟଙ୍କୁ ନିୟୋଜିତ କରାଯାଇଛି। ଅପରାଧ ରୋକିବା ନିମନ୍ତେ ସିସି କ୍ୟାମେରାର ବ୍ୟବସ୍ଥା କରାଯାଇଛି। ଭିଡ଼କୁ ଦୃଷ୍ଟିରେ ରଖି ଟ୍ରାଫିକ ବ୍ୟବସ୍ଥାକୁ କଢ଼ାକଢି କରାଯାଇଛି। ସମସ୍ତ ଛକରେ ପୁଲିସ ମୃତୟନ କରି ଟ୍ରାଫିକ ନିୟନ୍ତ୍ରଣ କରାଯିବ। ପ୍ରତିବର୍ଷ ଭଳି ଭାରି ଯାନବାହନ ଓ ଯାତ୍ରୀବାହି ବସ ଗୁଡିକୁ ବାଇପାସ ରାସ୍ତା ଦେଇ ନଛାଡି ପୁରୁଣା ସହର ଦେଇ ଯାତାୟତ କରିବ। ସେହିପରି ଯାତ୍ରା ଦେଖିବା ପାଇଁ ଆସୁଥିବା ସମସ୍ତ ଦୁଇ ଚକିଆ ,ଅଟୋ ରିକ୍ସା, ଚାରି ଚକିଆ ଯାନବାହନ ଗୁଡିକର ପାର୍କିଂ ବ୍ୟବସ୍ଥା ମତିଲାଲ ନଗର ଏବଂ ମହିଳା କଲେଜ ପୂର୍ବରୁ କରାଯାଇଛି। ଜରୁରୀ କାର୍ଯ୍ୟରେ ନିୟୋଜିତ ଗାଡି ଓ ଆମ୍ବୁଲାନ୍ସ ବ୍ୟତୀତ ଆଉ କୌଣସି ଗାଡିକୁ ରଥଯାତ୍ରା ଭିତରକୁ ଛଡ଼ାଯିବ ନାହିଁ ବୋଲି ଆଇଆଇସି କହଁର ସୂଚନା ଦେଇଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ