ଶିଖରଘାଟ ସେତୁରେ ଜମିଛି ବାଲି, ଯାନବାହାନ ଚଳାଚଳରେ ଅସୁବିଧା ଭୋଗୁଛନ୍ତି ଯାତ୍ରୀ

ନାଉଗାଁ,(ଓ୍ବାଇଏନଏସ): ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଳକ ଅନ୍ତର୍ଗତ ଶିଖରଘାଟ ସେତୁଟି ନାଉଗାଁ ବ୍ଳକ ଦେଇ ଜଗତସିଂହପୁର ଜିଲା ଓ ପୁରୀ ଜିଲା ଓ କଟକ ଜିଲ୍ଲାକୁ ସଂଯୋଗ କରୁଅଛି। ଏହି ସେତୁ ଦେଇ ପୁରୀ, ଜଗତସିଂହପୁର, କଟକ,ଭୂବନେଶ୍ୱର,ନିଆଳି,କେନ୍ଦ୍ରାପଡା ଆଦିକୁ ପ୍ରତ୍ୟେହ ବିଭିନ୍ନ ଯାନବାହାନ ଚଳାଚଳ କରୁଥିବା ବେଳେ ଦେବୀ ନଦୀରେ ଥିବା ବିଭିନ୍ନ ବାଲି ସୈରାତରୁ ବାଲି ପରିବହନ କରାଯାଉଛି। ଗାଡି ଗୁଡିକ ବାଲି ପରିବହନ କରିବା ବେଳେ ଅଧିକାଂଶ ସମୟରେ ବାଲି ଗାଡି ପାଲ ଘୋଡାଇ ଯାଉ ନଥିବାରୁ ବାଲି ଉଡି ସେତୁ ଉପରେ ପଡି ଜମା ହେଉଛି। ସେତୁରେ ବାଲି ଜମା ହେବା ଫଳରେ ସମାନ୍ୟ ପବନ ହେଲେ ଯାନବାହାନ ଚଲାଚଳରେ ସମସ୍ୟା ଉପୁଜୁଛି। ଏପରିକି ଦୁଇ ଚକିଆଯାନରେ ଯିବା ସମୟରେ ବାଲି ଉଡି ଆଖି,ନାକ ଓ ଶରୀରରେ ମାଡ ହେଉଛି। ଯାହା ଫଳରେ ବାଇକ ଆରୋହୀ ଓ ସାଇକେଲ ଆରୋହୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ସେତୁଟି ପୂର୍ତ ବିଭାଗର ଜଗତସିଂହପୁର ବିଭାଜନ ଅଧିନରେ ରହିଛି। ସେତୁର ରକ୍ଷଣାବେକ୍ଷଣା ତଥା ସଫେଇ କାର୍ଯ୍ୟ ବିଭାଗ ଦ୍ୱାରା କରାଯିବାର ନିୟମ ରହିଛି। କିନ୍ତୁ ସେତୁରେ ଜମୁଥିବା ବାଲି ସଫେଇ ନହେବାରୁ ଅନେକ ସମୟରେ ଦୁର୍ଘଟଣା ଘଟିବାର ନଜିର ରହିଛି। ତେଣୁ ଯାତ୍ରୀ ଓ ଜନସାଧାରଣଙ୍କ ସୁବିଧା ଦୃଷ୍ଟିରୁ ଏହି ସେତୁକୁ ସଫେଇ କରିବାକୁ ବୁଦ୍ଧିଜୀବୀମାନେ ପ୍ରଶାସନ ନିକଟରେ ଦାବି କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ