ଆସିକା ଉପଖଣ୍ଡ ଚିକିତ୍ସାଳୟରେ ଅଗ୍ନି ନିରାପତ୍ତା ଯାଞ୍ଚ
ଆସିକା (ୱାଇଏନ୍ଏସ୍): କଟକ ଏସ୍ସିବି ମେଡିକାଲରେ ଅଗ୍ନିକାଣ୍ଡ ଅଘଟଣ ପରେ ପ୍ରଶାସନର ଚେତା ପଶିଥିବା ଲକ୍ଷ୍ୟ କରାଯାଇଛି । ଗଞ୍ଜାମ ଜିଲ୍ଲା ସହକାରୀ ଶ୍ରମ ଅଧିକାରୀ ଧନଞ୍ଜୟ ମଲିକଙ୍କ ନେତୃତ୍ୱରେ ଆସିକା ଅଗ୍ନିଶମ ବିଭାଗର କେନ୍ଦ୍ର ଅଧିକାରୀ କୈଳାଶ ଚନ୍ଦ୍ର ସାହୁ ଏବଂ ପୁରୁଷୋତ୍ତମପୁର ଅଗ୍ନିଶମ ବିଭାଗର କେନ୍ଦ୍ର ଅଧିକାରୀ କୈଳାଶ ଚନ୍ଦ୍ର ଦଳେଇଙ୍କ ସମେତ ବିଭାଗୀୟ ପଦାଧିକାରୀମାନେ ବୁଧବାର ଅପରାହ୍ନରେ ଆସିକା ଉପଖଣ୍ଡ ଚିକିତ୍ସାଳୟକୁ ଆସି ବର୍ହିିବିଭାଗ, ଅନ୍ତଃବିଭାଗ, ନିରାମୟ କେନ୍ଦ୍ର, ସ୍ତ୍ରୀ ଓ ପ୍ରସୂତି ବିଭାଗ, ଅସ୍ତ୍ରୋପଚାର କକ୍ଷ, ଟୀକାକରଣ କେନ୍ଦ୍ର, ପୁଷ୍ଟି ପୁନର୍ବାସ କେନ୍ଦ୍ର, ରଞ୍ଜନରଶ୍ମି କକ୍ଷ, ଡାଏଲେସିସ୍ କେନ୍ଦ୍ର, ପାଥୋଲୋଜି କକ୍ଷ ସମେତ ଅନ୍ୟାନ୍ୟ କୋଠରୀକୁ ପରିଦର୍ଶନ କରି ଅଗ୍ନି ନିରାପତ୍ତା ବ୍ୟବସ୍ଥାର ସ୍ଥିତି ପରଖିଥିବା ଜଣାପଡିଛି । ଜିଲ୍ଲା ଅଗ୍ନିଶମ ବିଭାଗ ପକ୍ଷରୁ ଆସିକା ଉପଖଣ୍ଡ ଚିକିତ୍ସାଳୟକୁ ଅଗ୍ନି ନିରାପତ୍ତା ଯାଞ୍ଚ ସମୟରେ ଟିପିଏସ୍ଓଡିଏଲ୍ ଆସିକା ସେକ୍ସନର ସହକାରୀ ଯନ୍ତ୍ରୀ ଇଂ ରାକେଶ୍ କୁମାର ପାତ୍ର, ଆସିକା ଉପଖଣ୍ଡ ଚିକିତ୍ସାଳୟର ଅଧୀକ୍ଷକ ଡାକ୍ତର ବାଲ୍ଗୋପାଳ ବେହେରା, ହସପିଟାଲ୍ ପରିଚାଳକ ବିଶ୍ୱଜିତ୍ ପ୍ରଧାନ, ଆସିକା ମେଡିକାଲର କର୍ମଚାରୀ ଦୀପକ କୁମାର ରାଉତ, ଦୀପକ କୁମାର ସାହୁ, ଇଲେକ୍ଟ୍ରିସିଆନ୍ ରଂଜନ କୁମାର ଜେନାଙ୍କ ସମେତ ବହୁ ଅଧିକାରୀ ଉପସ୍ଥିତ ଥିବା ଲକ୍ଷ୍ୟ କରାଯାଇଥିଲା । ଲୋକଙ୍କ ଜୀବନ ସୁରକ୍ଷା ପାଇଁ ଆସିକା ଉପଖଣ୍ଡ ଚିକିତ୍ସାଳୟ ପକ୍ଷରୁ ଅଗ୍ନି ନିରାପତ୍ତା ବ୍ୟବସ୍ଥାକୁ ବିଭାଗୀୟ ଅଗ୍ନିଶମ ବିଭାଗର ପଦାଧିକାରୀମାନେ ତନ୍ତନ୍ କରି ଯାଞ୍ଚ କରିଥିବା ଦେଖିବାକୁ ମିଳିଥିଲା ।


