ଭାରତୀୟ ଡାକବିଭାଗ ପକ୍ଷରୁ ନୂତନ ସେବାର ଶୁଭାରମ୍ଭ
ଆସିକା (ୱାଇଏନ୍ଏସ୍): ଭାରତୀୟ ଡାକବିଭାଗ ପକ୍ଷରୁ ୨୪ ସ୍ପିଡ୍ପୋଷ୍ଟ, ୪୮ ସ୍ପିଡ୍ପୋଷ୍ଟ ଏବଂ ୨୪ ସ୍ପିଡ୍ପୋଷ୍ଟ ପାର୍ସଲ୍ ନାମକ ନୂତନ ସେବାର ଶୁଭାରମ୍ଭ କରାଯାଇଛି । ପ୍ରଥମ ପର୍ଯ୍ୟାୟରେ ଏହି ସେବା ଦେଶର ପ୍ରମୁଖ ସହର ଯଥା ଦିଲ୍ପୀ, ମୁମ୍ବାଇ, ଚେନ୍ନାଇ, କୋଲକତା, ବେଙ୍ଗାଲୁର ଓ ହାଇଦ୍ରାବାଦ୍ରେ ଉପଲବ୍ଧ ହେବ ବୋଲି ଜଣାପଡିଛି । ଏହି ଅବସରରେ ଆସିକା ଡାକମଣ୍ଡଳ ଅଧୀକ୍ଷକଙ୍କ କାର୍ଯ୍ୟାଳୟ ଅଧୀନସ୍ଥ ଆସିକା ପ୍ରଧାନ ଡାକଘର ପରିସରରେ ଆୟୋଜିତ ଉଦ୍ଘାଟନୀ କାର୍ଯ୍ୟକ୍ରମରେ ଲାଇଭ୍ ଟେଲିକାଷ୍ଟରେ ଡାକମଣ୍ଡଳ ଅଧୀକ୍ଷକ ଲେଫ୍ଟନାଣ୍ଟ କର୍ଣ୍ଣେଲ୍ ଦିଲୀପ କୁମାର ବେହେରା, ବିଭାଗୀୟ ଅଧିକାରୀ ପରମାନନ୍ଦ କଣ୍ଠ, ସନ୍ଧ୍ୟା ପାତ୍ର, ଦୀପକ ରଂଜନ ପାଣିଗ୍ରାହୀ, ବିଷ୍ଣୁପ୍ରସାଦ ସେଠୀ, ମହାକାଳ ନାୟକ, ବୁଲୁ ସେଠୀ, ଅନୁପ ପାଣିଗ୍ରାହୀ, ରବିନାରାୟଣ ଚୌଧୁରୀ, ସନ୍ତୋଷ ଗୌଡ, ସଚ୍ଚିଦାନନ୍ଦ ସାହୁ, ଲକ୍ଷ୍ମୀ ପାତ୍ର, ସନ୍ତୋଷ ସାହୁ, ପ୍ରଭାତ ପ୍ରଧାନ, ସମରେଶ୍ ଗୌଡ, ରାମଚନ୍ଦ୍ର ପଣ୍ଡା, ଲବ କୁମାର ଶବର, ମହେଶ୍ୱର ଗୌଡ, ଏନ୍.ହରି ରେଡିଙ୍କ ସମେତ ଡାକବିଭାଗର ବହୁ କର୍ମଚାରୀ, ଗ୍ରାହକ ଓ ଏଜେଣ୍ଟ ଉପସ୍ଥିତ ଥିବା ଦେଖିବାକୁ ମିଳିଥିଲା । ଭାରତୀୟ ଡାକବିଭାଗ ପକ୍ଷରୁ ଏହି ନୂତନ ସେବା ପ୍ରଥମ ପର୍ଯ୍ୟାୟରେ ଦେଶର କେତେକ ମେଟ୍ରୋ ଅଞ୍ଚଳରେ ଆରମ୍ଭ ହୋଇସାରିଥିଲା ବେଳେ ଏହା ଡାକ ବିତରଣ ପ୍ରକ୍ରିୟାରେ ଦ୍ରୁତ ଗତି ଆସିବା ସହ ବ୍ୟବସାୟିକ ଓ ବ୍ୟକ୍ତିଗତ ଯୋଗାଯୋଗର ବଡ ପରିବର୍ତ୍ତନ ଆସିବ ବୋଲି ସଚେତନ ନାଗରିକ ମହଲରେ ଚର୍ଚ୍ଚା ହେଉଥିବା ଲକ୍ଷ୍ୟ କରାଯାଇଛି । ଡାକସେବାକୁ ଆହୁରି ସହଜଜନକ କରିବା ଲାଗି ଆରମ୍ଭ ହୋଇଥିବା ନୂତନ ପଦକ୍ଷେପକୁ ବିଭିନ୍ନ ମହଲରେ ସ୍ୱାଗତ କରାଯାଉଥିବା ଦେଖିବାକୁ ମିଳୁଛି । ପାର୍ସାଲ୍ ଡେଲିଭେରୀ କରିବା ପାଇଁ ଆଉ ଲାଗବନି ବେଶୀ ଦିନ । ଇଣ୍ଡିଆ ପୋଷ୍ଟରେ ଜରୁରୀ ଡକ୍ୟୁମେଣ୍ଟ କିମ୍ବା ପାର୍ସଲ ୨୪ ଘଣ୍ଟାରେ ପଠାଇହେବ । ଡାକବିଭାଗ ପକ୍ଷରୁ ଏହି ସେବାକୁ ବର୍ତ୍ତମାନ ଦେଶର ୬ଟି ମେଟ୍ରୋ ସହରରେ ଆରମ୍ଭ କରାଯାଇସାରିଛି । ଲୋକଙ୍କୁ ତ୍ୱରିତ୍ ସେବା ଯୋଗାଇବା ପାଇଁ ଡାକବିଭାଗ ପକ୍ଷରୁ ଏହି ମହତ୍ ପଦକ୍ଷେପ ନିଆଯାଇଛି । ନୁଆଁଦିଲ୍ଲୀର ଆକାଶବାଣୀ ଭବନର ରଙ୍ଗ ଭବନ ପ୍ରେକ୍ଷାଳୟରେ ଏହି ସେବାକୁ କେନ୍ଦ୍ର ଯୋଗାଯୋଗ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ଓ ଯୋଗାଯୋଗ ରାଷ୍ଟ୍ରମନ୍ତ୍ରୀ ଡଃ ଚନ୍ଦ୍ରଶେଖର ପ୍ରେମସାନିଙ୍କ ଉପସ୍ଥିତିରେ ଶୁଭାରମ୍ଭ କରାଯାଇଥିବା ଜଣାପଡିଛି ।


