ଦଣ୍ଡଯାତ୍ରା ପାଇଁ ଆସିକାରେ ଜୋର୍ ଧରୁଛି ମୟୂରପୁଚ୍ଛ ବେପାର
ଆସିକା (ୱାଇଏନ୍ଏସ୍): ଆଉ ମାତ୍ର ଏକ ସପ୍ତାହ ପରେ ଅର୍ଥାତ୍ ଆସନ୍ତା ୨୫ତାରିଖରୁ ଗଞ୍ଜାମ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ପ୍ରଥମେ୨୧ଦିନିଆ ଦଣ୍ଡଯାତ୍ରା ଆରମ୍ଭ ହେବାକୁ ଥିବା ତାପରେ ୧୮ଦିନିଆ ଓ ଏପ୍ରିଲ୍ ମାସ ପହିଲା ଏବଂ ୨ତାରିଖରୁ ପାରମ୍ପରିକ ସର୍ବାଧିକ ପ୍ରଚଳିତ ୧୩ଦିନିଆ ଦଣ୍ଡଯାତ୍ରା ଆରମ୍ଭ ହେବାର ପରମ୍ପରା ରହିଥିବା ଜଣାପଡିଛି । ସଂସ୍କୃତି ସଂପନ୍ନ ଗଞ୍ଜାମ ଜିଲ୍ଲାରେ ଆରମ୍ଭ ହେବାକୁ ଥିବା ଏହି ଦଣ୍ଡଯାତ୍ରାରେ ଗ୍ରାମାଞ୍ଚଳ ଠାରୁ ଆରମ୍ଭ କରି ସହରାଞ୍ଚଳ ପର୍ଯ୍ୟନ୍ତ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହେବା ସାଙ୍ଗକୁ ଦେବଦେବ ମହାଦେବ ଓ ମା’ ମହାମାୟୀ କାଳୀଙ୍କୁ ପୂଜାର୍ଚ୍ଚନା କରିବା ଲାଗି ଶ୍ରଦ୍ଧାଳୁ ଭକ୍ତଙ୍କ ସୁଅ ଛୁଟିବ । ଗ୍ରାମାଞ୍ଚଳ ଠାରୁ ଆରମ୍ଭ କରି ସହରାଞ୍ଚଳ ପର୍ଯ୍ୟନ୍ତ ଚାରିଆଡେ ଶୁଭିବ ଦଣ୍ଡନାଚର ଢୋଲ । ଯୁଆଡେ ଚାହିଁବ ଦେଖିବାକୁ ମିଳିବ ଦଣ୍ଡୁଆଦଳଙ୍କ ଗହଳଚହଳ ଓ ନଗର ପରିକ୍ରମା । ଗଞ୍ଜାମ ଜିଲ୍ଲାର ପାରମ୍ପରିକ ଦଣ୍ଡନାଚକୁ ନେଇ ବର୍ତ୍ତମାନ ଠାରୁ ବିଭିନ୍ନ ବ୍ୟବସାୟିକ ପ୍ରତିଷ୍ଠାନ ଗୁଡିକରେ ଆରମ୍ଭ ହୋଇସାରିଛି ମୟୂରପୁଚ୍ଛ, ବାନା ଓ ଅନ୍ୟାନ୍ୟ ପୂଜା ସମାଗ୍ରୀର ବିକ୍ରୀବଟା । ହିନ୍ଦୁ ସଂପ୍ରଦାୟର ବାରମାସରେ ତେର ପର୍ବ ଅନୁଷ୍ଠିତ ହେଉଥିଲା ବେଳେ ବର୍ଷତମାମ ବିଭିନ୍ନ ସମୟରେ ମୟୂରପୁଚ୍ଛ, ବାନା ଓ ଅନ୍ୟାନ୍ୟ ପୂଜା ସାମଗ୍ରୀର ବିକ୍ରୀବଟା ହେଉଥିଲେ ମଧ୍ୟ ଦଣ୍ଡଯାତ୍ରା ସମୟରେ ମୟୂରପୁଚ୍ଛ କାରବାର ଆଶାତୀତ ଭାବେ ବୃଦ୍ଧି ପାଇଥାଏ । ମୟୂରପୁଚ୍ଛ ମୁଖ୍ୟତଃ ରାଜସ୍ଥାନର ଯୋଧପୁର, ଉତ୍ତରପ୍ରଦେଶର ଆଗ୍ରା, ପଶ୍ଚିମବଙ୍ଗର କଲିକତା ସମେତ ବିଭିନ୍ନ ଅଞ୍ଚଳରୁ ଜିଲ୍ଲାକୁ ଆସିଥାଏ । ତେବେ ଶ୍ରଦ୍ଧାଳୁଭକ୍ତଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଆସିକା ଅଞ୍ଚଳର ଅଧିକାଂଶ ବ୍ୟବସାୟୀ ବ୍ରହ୍ମପୁରରୁ ମୟୂରପୁଚ୍ଛ ଆଣି ବିକ୍ରୀ କରିଥାନ୍ତି । ଦଣ୍ଡଯାତ୍ରା ସମୟରେ ଆସିକା ସହର ତଥା ଏହାର ଆଖପାଖ ଅଞ୍ଚଳରେ ପ୍ରାୟ ଲକ୍ଷାଧିକ ଟଙ୍କାର ମୟୂରପୁଚ୍ଛ କାରବାର ହୋଇଥାଏ ବୋଲି ଆକଳନ କରାଯାଉଛି । ଗଞ୍ଜାମ ଜିଲ୍ଲାର ପାରମ୍ପାରିକ ଦଣ୍ଡଯାତ୍ରା ସମୟରେ ମାନସିକଧାରୀ ଦଣ୍ଡୁଆ ମାନେ ଏହି ମୟୂରପୁଚ୍ଛକୁ ଧାରଣ କରିଥାନ୍ତି ।


