ଗୋପାଳପୁର ବନ୍ଦରରେ ୫୫ ତମ ରାଷ୍ଟ୍ରୀୟ ସୁରକ୍ଷା ସପ୍ତାହ ପାଳିତ
ଛତ୍ରପୁର, (ଓ୍ବାଇଏନଏସ) : ସୁରକ୍ଷା ଅଭିଯାନରେ ଲୋକମାନଙ୍କୁ ଯୋଡିବା ଏବଂ ସଚେତନ ସହ ସଶକ୍ତ କରିବା ’ ବିଷୟକୁ ନେଇ ୫୫ ତମ ରାଷ୍ଟ୍ରୀୟ ସୁରକ୍ଷା ସପ୍ତାହ ଗୋପାଳପୁର ବନ୍ଦର ପରିସରରେ ପାଳନ ହୋଇଯାଇଛି। ଏହି କାର୍ଯକ୍ରମ ଅନ୍ତର୍ଗତ ଗତ ୫ ମାର୍ଚ୍ଚ ତାରିଖରେ ଗୋପାଳପୁର ବନ୍ଦରର ବହୁ ଅଧିକାରୀ ଓ ଶତାଧିକ ଶ୍ରମିକଙ୍କୁ ନେଇ ସୁରକ୍ଷା ପତାକା ଉତ୍ତଳନ କରାଯାଇ ସପ୍ତାହବ୍ୟାପୀ ଆୟୋଜିତ ହେବାକୁ ଥିବା ବିଭିନ୍ନ ସୁରକ୍ଷା ସମ୍ବନ୍ଧୀୟ କାର୍ଯକ୍ରମକୁ ବିଦ୍ଧିବଦ୍ଧ ଭାବେ ଆରମ୍ଭ କରାଯାଇ ୧୧ ମାର୍ଚ୍ଚ ରେ ସମାପନ କରାଯାଇଥିଲା। ସୁରକ୍ଷା ମାସ ପାଳନ ଅବସରରେ, ବନ୍ଦରର କର୍ମଚାରୀମାନଙ୍କ ସହିତ ସେମାନଙ୍କ ପରିବାରର ସଦସ୍ୟମାନେ ବିଭିନ୍ନ ଆକର୍ଷଣୀୟ ଏବଂ ସୂଚନାପ୍ରଦ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମରେ ସକ୍ରିୟ ଭାବେ ଅଂଶଗ୍ରହଣ କରିଥିଲେ। ଏହି କାର୍ଯକ୍ରମ ମଧ୍ୟରୁ ସୁରକ୍ଷା ସମ୍ପର୍କିତ କୁଇଜ ପ୍ରତିଯୋଗିତା, ପୋଷ୍ଟର ତିଆରି ପ୍ରତିଯୋଗିତା ଏବଂ ପଥପ୍ରାନ୍ତ ନାଟକ ଅନ୍ତର୍ଭୁକ୍ତ ଥିଲା, ଯାହାର ଲକ୍ଷ୍ୟ ଥିଲା ନିରାପଦ କାର୍ଯ୍ୟ ଅଭ୍ୟାସକୁ ପ୍ରୋତ୍ସାହିତ କରିବା ସହ କର୍ମକ୍ଷେତ୍ରରେ ସୁରକ୍ଷା ପ୍ରତି ସାମୂହିକ ଦାୟିତ୍ୱକୁ ସର୍ବୋପରି ମଣିବା । ଏହି ଅବସରରେ ବିଭିନ୍ନ ପ୍ରତିଯୋଗିତାରେ କୃତୀ ପ୍ରତିଯୋଗୀମାନଙ୍କୁ ସମାପନ ଉତ୍ସବରେ ପୁରସ୍କାର ପ୍ରଦାନ କରାଯାଇଥିଲା। ସମାପନ ଉତ୍ସବରେ ଛତ୍ରପୁର ଉପ ଜିଲ୍ଲାପାଳ ଶିବାଶିଷ ବରାଳ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସମାବେଶକୁ ସମ୍ବୋଧିତ କରି କହିଥିଲେ ଯେ ଶିଳ୍ପ କ୍ଷେତ୍ରରେ ସୁରକ୍ଷା ଏକ ଗୁରୁତ୍ୱପୂର୍ଣ୍ଣ ବିଷୟ ଅଟେ। ମୁଁ ଆଶା କରୁଛି ଗୋପାଳପୁର ବନ୍ଦର ପରିସରରେ କାର୍ଯ୍ୟରତ ସମସ୍ତ କର୍ମଚାରୀ ସୁରକ୍ଷା ନିୟମାବଳୀ ଓ ସୁରକ୍ଷାମୂଳକ ପଦକ୍ଷେପ ଗୁଡିକୁ ଦାଇତ୍ଵର ସହ ପାଳନ କରିବା ସହ ସୁରକ୍ଷା ସମ୍ପର୍କିତ ପ୍ରଯୁକ୍ତି ବିଦ୍ୟାକୁ ବହୁଳ ଭାବେ ବ୍ୟବହାର କରିବା ଉଚିତ । ଗୋପାଳପୁର ବନ୍ଦର ସର୍ବଦା ସୁରକ୍ଷାକୁ ଏକ ପ୍ରମୁଖ ବିଷୟ ଭାବରେ ପ୍ରାଥମିକତା ଦେଇଆସୁଛି ଏବଂ ସମସ୍ତ କର୍ମଚାରୀମାନଙ୍କ ପାଇଁ ଏକ ନିରାପଦ କାର୍ଯ୍ୟ ପରିବେଶ ବଜାୟ ରଖିବା ଏହାର ମୂଳ ଲକ୍ଷ୍ୟ ଅଟେ ବୋଲି ଗୋପାଳପୁର ବନ୍ଦର ବିଜନେଶ ମୁଖ୍ୟ ପ୍ରଶାନ୍ତ ପାତ୍ର କହିଥିଲେ।


