ବାଘକୁ ନେଇ ଫୋଟ ଭାଇରାଲ ପରେ ଜଙ୍ଗଲ ବିଭାଗର ଅନୁଧ୍ୟାନ
ପାତ୍ରପୁର,(ୱାଇଏନଏସ):ସାମନ୍ତିଆପଲ୍ହି ରେଞ୍ଜ ଅନ୍ତର୍ଗତ ଲଙ୍କା ନିକଟ ଏକ ପଥର ଚାଞ୍ଚଡା ଉପରେ ବାଘ ବସିଥିବା ନେଇ ଗତକାଲି ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଜଙ୍ଗଲ ବିଭାଗ ପକ୍ଷରୁ ତୁରନ୍ତ ଅନୁଧ୍ୟାନ ଆରମ୍ଭ ହୋଇଛି। ସୁନାଖଳା–ଲଙ୍କା ରାସ୍ତା ନିକଟରେ ଥିବା ମୁଣ୍ଡିଆରେ ବାଘ ବସିଥିବା ବୋଲି ପ୍ରଚାର ହୋଇଥିଲା। କିଛି ଯୁବକ ଏହି ଭିଡିଓକୁ ଜଙ୍ଗଲ ବିଭାଗ କାର୍ଯ୍ୟାଳୟକୁ ମଧ୍ୟ ପଠାଇଥିଲେ। ସୂଚନା ପାଇ ଗତ ସନ୍ଧ୍ୟାରେ ଜଙ୍ଗଲ ବିଭାଗ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ। ବିଭାଗ ପକ୍ଷରୁ ସେହି ସ୍ଥାନରେ ପାଦ ଚିହ୍ନ, କୌଣସି ପଶୁ ଆକ୍ରମଣର ଚିହ୍ନ, ମଳତ୍ୟାଗ ଆଦି ବିଭିନ୍ନ ପ୍ରମାଣ ଖୋଜାଯାଇଥିଲେ ମଧ୍ୟ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ। ସୂଚନା ଦେଇଥିବା ବ୍ୟକ୍ତିମାନଙ୍କୁ ପଚାରାଉଥିଲେ ମଧ୍ୟ ବାଘ ଥିବା ବିଷୟରେ ନିର୍ଦ୍ଧିଷ୍ଟ ପ୍ରମାଣ ମିଳିନଥିବା ଜଣାପଡିଛି। ଦୂରରୁ କଏଦ ହୋଇଥିବା ଭିଡିଓରେ ପଶୁଟି ସ୍ପଷ୍ଟ ଭାବେ ଚିହ୍ନଟ ହୋଇନଥିବାରୁ, ଏହା ବାଘ ନୁହେଁ ବରଂ ଫିସିଂ କ୍ୟାଟ୍ ହୋଇପାରେ ବୋଲି ରେଞ୍ଜ ଅଧିକାରୀ ଆଶଙ୍କା ପ୍ରକାଶ କରିଛନ୍ତି। ତେବେ ଏହି ଘଟଣାକୁ ନେଇ ଅଞ୍ଚଳବାସୀଙ୍କୁ ସତର୍କ ରହିବାକୁ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି। ପରବର୍ତ୍ତୀ ସମୟରେ ବାଘ ସମ୍ପର୍କିତ କୌଣସି ସ୍ପଷ୍ଟ ସୂଚନା ମିଳିଲେ କ୍ୟାମେରା ଟ୍ରାପ୍ ଲଗାଯିବ ବୋଲି ବିଭାଗ କହି ଛନ୍ତି।


