ଜନଗଣନା ପ୍ରଶିକ୍ଷଣ ଶିବିର ଆରମ୍ଭ
ଆସିକା (ୱାଇଏନ୍ଏସ୍): କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଅଧୀନସ୍ଥ ଜନଗଣନା ନିର୍ଦ୍ଦେଶାଳୟ ଏବଂ ବିପର୍ଯ୍ୟୟ ପରିଚାଳନା ବିଭାଗର ମିଳିତ ସମନ୍ୱୟ ସାଙ୍ଗକୁ ଜିଲ୍ଲା ପ୍ରଶାସନର ପରାମର୍ଶକ୍ରମେ ସୋମବାର ଠାରୁ ସ୍ଥାନୀୟ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ଗଣନାକାରୀ ଓ ସୁପରଭାଇଜର୍ମାନଙ୍କ ପ୍ରଶିକ୍ଷଣ ଶିବିର ଆରମ୍ଭ ହୋଇଯାଇଛି । ଏହି ଜନଗଣନା ପ୍ରଶିକ୍ଷଣ ଶିବିରରେ ଉଦ୍ଘାଟନୀ କାର୍ଯ୍ୟକ୍ରମରେ ଚାର୍ଜ ଅଫିସର ତଥା ଆସିକା ତହସିଲଦାର ସଙ୍ଗୀତା ସେଣ, ଗୋଷ୍ଠୀ ଶିକ୍ଷାଧିକାରୀ ମୁନ୍ରାଣୀ ମହାନ୍ତି, ଅତିରିକ୍ତ ତହସିଲଦାର ଅମରେଶ ସାବତ, ଜନଗଣନା କାର୍ଯ୍ୟକ୍ରମର ମାଷ୍ଟର ଟ୍ରେନର୍ ରାମନାଥ ପଟ୍ଟନାୟକ ଓ ଶିବଶଙ୍କର ଜେନାଙ୍କ ସମେତ ବହୁ ଅଧିକାରୀ ଯୋଗଦେଇ ସେନ୍ସସ୍ କାର୍ଯ୍ୟରେ ନିୟୋଜିତ ଥିବା ଗଣନାକକାରୀ ଓ ସୁପରଭାଇଜରମାନଙ୍କ ଦାୟିତ୍ୱ ଓ କର୍ତ୍ତବ୍ୟ, ୨୦୧୧ ମସିହା ପରେ ଦୀର୍ଘ ୧୫ ବର୍ଷ ବ୍ୟବଧାନରେ ଜନଗଣନା ହେଉଥିବାରୁ ସମସ୍ତ ନାଗରିକମାନେ ସେନ୍ସସ୍ ପୋର୍ଟାଲ୍ରେ ଲଗିନ୍ କରି ନିଜର ସମସ୍ତ ବିବରଣୀ ଅନ୍ଲାଇନ୍ରେ କିପରି ସଠିକ୍ ଓ ସ୍ୱଚ୍ଛ ତଥ୍ୟ ଦାଖଲ କରିବେ, ଗୃହ ସଂଖ୍ୟାକରଣ, ହାଉସ୍ ଲିଫ୍ଟିଂ, ଅନ୍ଲାଇନ୍ ତଥ୍ୟ ସଂଗ୍ରହ, ନିର୍ଭୁଲ ଭାବେ ସମସ୍ତ ତଥ୍ୟ ଅପ୍ଲୋଡ୍ କରିବା, ଜନଗଣନା ସର୍ଭେରେ ସ୍ୱଚ୍ଛତା ଅବଲମ୍ବନ କରି ଲୋକଙ୍କୁ ନିଜ ନିଜର ସଠିକ୍ ତଥ୍ୟ ପ୍ରଦାନ ପାଇଁ ଉତ୍ସାହିତ କରିବା ସମେତ ବିଭିନ୍ନ ଜନଗଣନା ସମ୍ବନ୍ଧୀୟ ନିତୀନିୟମ ଉପରେ ମାର୍ଗଦର୍ଶନ କରିଥିଲେ । ଆସନ୍ତା ଏପ୍ରିଲ ମାସ ୧ ତାରିଖରୁ ୧୫ ତାରିଖ ପର୍ଯ୍ୟନ୍ତ ମୋବାଇଲ୍ ଆପ୍ ଜରିଆରେ ଜନସାଧାରଣ ୩୩ଟି ପ୍ରଶ୍ନର ସ୍ୱୟଂ ଜନଗଣନା ତଥ୍ୟ ପ୍ରଦାନ କରିବେ ଏବଂ ଏପ୍ରିଲ ମାସ ୧୬ ତାରିଖରୁ ମେ ମାସ ୧୫ ତାରିଖ ପର୍ଯ୍ୟନ୍ତ ଜନଗଣନାକାରୀମାନେ ଘରକୁ ଘର ଯାଇ ତଥ୍ୟ ସଂଗ୍ରହ କରିବେ । ଦେଶର ପ୍ରଥମ ଡିଜିଟାଲ୍ ଜନଗଣନା ୨୦୨୭ ପ୍ରଯୁକ୍ତିବିଦ୍ୟା ମାଧ୍ୟମରେ ହେବାକୁ ଥିବା ବେଳେ ଏହା କିପରି ନିର୍ଭୁଲ ଭାବେ ହୋଇପାରିବ ସେ ସଂପର୍କରେ ମାଷ୍ଟର ଟ୍ରେନର୍ ଶିବଶଙ୍କର ଜେନା ଓ ରାମନାଥ ପଟ୍ଟନାୟକଙ୍କ ସମେତ ଅନ୍ୟ କର୍ମଚାରୀମାନେ ପ୍ରଶିକ୍ଷଣ ପ୍ରଦାନ କରିଥିଲେ । ଦେଶର ପ୍ରଥମ ଜନଗଣନା ୧୮୭୨ ମସିହାରେ ହୋଇଥିଲା ବେଳେ ୨୦୧୧ ମସିହାରେ ଆଉ ଏକ ଜନଗଣନା ସଂପାଦିତ ହୋଇଥିଲା । ୧୯୩୧ ମସିହାରେ ଶେଷଥର ଜାତିଭିତ୍ତିକ ଜନଗଣନା ହୋଇଥିଲା । ଆସନ୍ତା ୨୦୨୭ ଜନଗଣନା ହେବ ଷୋଡଶ ଜନଗଣନା । ଜନଗଣନା ଦେଶର ଏକ ଦର୍ପଣ ସଦୃଶ ହୋଇଥିବାରୁ ପ୍ରତ୍ୟେକ ପରିବାରର ସାମାଜିକ ଓ ଆର୍ଥିକ ଚିତ୍ର ଏଥିରୁ ସ୍ପଷ୍ଟ ହେବାର ବିଧିବ୍ୟବସ୍ଥା ରହିଛି । ଜନଗଣନା ଭଳି ମହତ୍ କାର୍ଯ୍ୟକୁ ନିଷ୍ଠାପର ଭାବେ ସ୍ୱଚ୍ଛତାର ସହ ସଂପାଦନ କରିବାକୁ ଦାୟିତ୍ୱରେ ଥିବା ଅଧିକାରୀମାନେ ସମସ୍ତଙ୍କ ସହଯୋଗ କାମନା କରିଥିବା ଦେଖିବାକୁ ମିଳିଥିଲା ।


