ଆୟୁଷ୍ମାନ୍ ଆରୋଗ୍ୟ ମନ୍ଦିରରେ ବିଶ୍ୱ ଯକ୍ଷ୍ମା ଦିବସ
ଆସିକା (ୱାଇଏନ୍ଏସ୍) : ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଅଧୀନସ୍ଥ ଆସିକା ଉପଖଣ୍ଡ ଚିକିତ୍ସାଳୟର ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ପରିଚାଳିତ ହୋଇଆସୁଥିବା ସହରାଞ୍ଚଳ ଆୟୁଷ୍ମାନ୍ ଆରୋଗ୍ୟ ମନ୍ଦିର ପରିସରରେ ମଙ୍ଗଳବାର ବିଶ୍ୱ ଯକ୍ଷ୍ମା ଦିବସ ପାଳିତ ହୋଇଯାଇଛିା ଆସିକା ଉପଖଣ୍ଡ ଚିକିତ୍ସାଳୟର ଅଧୀକ୍ଷକ ଡାକ୍ତର ବାଲ୍ଗୋପାଳ ବେହେରାଙ୍କ ପରାମର୍ଶକ୍ରମେ ସହରାଞ୍ଚଳ ଆୟୁଷ୍ମାନ୍ ଆରୋଗ୍ୟ ମନ୍ଦିର ପରିସରରେ ଅନୁଷ୍ଠିତ ବିଶ୍ୱ ଯକ୍ଷ୍ମା ଦିବସ ପାଳନ କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟକେନ୍ଦ୍ରର ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ଭାଗବତ ପ୍ରସାଦ ବିଷୋୟୀ ଯୋଗଦେଇ ଏହି କାର୍ଯ୍ୟକ୍ରମ ଆୟୋଜନର ଲକ୍ଷ୍ୟ ଓ ଆଭିମୁଖ୍ୟ ଉପରେ ଆଲୋକପାତ କରିବା ସାଙ୍ଗକୁ ଯକ୍ଷ୍ମା ବି ଟିବି ଏକ ଘାତକ ସଂକ୍ରମଣ ରୋଗ ହୋଇଥିଲା ବେଳେ ଏହା ସୁପ୍ତ ଅବସ୍ଥାରେ ଶରୀରରେ ସଂକ୍ରମଣ ହୋଇଥାଏ । କିନ୍ତୁ ଏହାର ଜୀବାଣୁ ଶରୀରରେ ଦୀର୍ଘ ଦିନ ଧରି ନିଷ୍କ୍ରିୟ ହୋଇରହିଥାଏ ଓ ଏହାର କୌଣସି ଲକ୍ଷଣ ଦେଖାଦେଇନଥାଏ । ୩ ସପ୍ତାହରୁ ଅଧିକ ସମୟ ଧରି କଫ ଶରୀରରେ ଜମି ରହିଲେ ଅଧିକାଂଶ ବ୍ୟକ୍ତି ଏହା ଥଣ୍ଡାକାଶ ଭାବି ହେୟଜ୍ଞାନ କରିଥାନ୍ତି ଓ ଡାକ୍ତରଙ୍କ ପରାମର୍ଶ ନନେଇ ଔଷଧ ଖାଇଚାଲିଥାନ୍ତି । ତେଣୁ ସାଧାରଣ ଜନତା ଯକ୍ଷ୍ମାର ଭୟାବହତା, ଜୀବନନାଶ, ଜୀବିକା ଉପରେ କୁପ୍ରଭାବ, ମାନସିକ ଓ ଶାରୀରିକ ଦୁର୍ବଳତା ଉପରେ ସଚେତନ ହେବା ସହ ପ୍ରଦୂଷଣ ଅଞ୍ଚଳରେ ମାକ୍ସ ପରିଧାନ କରିବା, ପ୍ରଦୂଷିତ ପାଣିର ବ୍ୟବହାର ନକରିବା, ଗୋଟିଏ ଛୋଟ ଘରେ ଅନେକ ଲୋକ ବସବାସ ନକରିବା ଉପରେ ମାର୍ଗଦର୍ଶନ ଓ ସଚେତନ କରିଥିଲେ । ମାରାତ୍ମକ ଲୁକ୍କାୟିତ ଯକ୍ଷ୍ମା ରୋଗ ଠାରୁ ଦୂରେଇ ରହିବା ସହ କିପରି ସୁସ୍ଥ ଜୀବନଶୈଳୀ ଅତିବାହିତ କରିବା ସେ ସଂକ୍ରାନ୍ତରେ ବହୁ ଉପାଦେୟ ତଥା ଶିକ୍ଷଣୀୟ ମାର୍ଗଦର୍ଶନ କରିବା ସାଙ୍ଗକୁ ଯକ୍ଷ୍ମା ରୋଗର କାରଣ ଓ ନିରାକରଣ ଉପରେ ଆଲୋକପାତ କରିଥିବା ଲକ୍ଷ୍ୟ କରାଯାଇଥିଲା । ଆସିକା ସହରାଞ୍ଚଳ ଆୟୁଷ୍ମାନ୍ ଆରୋଗ୍ୟ ମନ୍ଦିର ପକ୍ଷରୁ ଅନୁଷ୍ଠିତ ହୋଇଥିବା ବିଶ୍ୱ କିଡନୀ ଦିବସ ପାଳନ କାର୍ଯ୍ୟକ୍ରମକୁ ସୁପରିଚାଳନା କରିବା ଦିଗରେ ସ୍ୱାସ୍ଥ୍ୟକେନ୍ଦ୍ରର ଫାର୍ମାସିଷ୍ଟ ରୀନା କୁମାରୀ ପ୍ରଧାନ, ଷ୍ଟାଫ୍ ନର୍ସ ଅର୍ଚ୍ଚନା ମହାନ୍ତି, ସହାୟକ ସମୀର କୁମାର ପଟ୍ଟନାୟକ, ଜଗନ୍ନାଥ ମିଶ୍ର, ନିରାପତ୍ତାରକ୍ଷୀ ବିପିନ୍ ନାହାକ ପ୍ରମୁଖ ସହଯୋଗ କରିଥିଲା ବେଳେ ବହୁ ସଚେତନ ନାଗରିକ ଯୋଗଦେଇଥିବା ଲକ୍ଷ୍ୟ କରାଯାଇଥିଲା ।


