ନୂତନ ରାଧାକୃଷ୍ଣ ମନ୍ଦିର ପ୍ରତିଷ୍ଠା ଉତ୍ସଵ
ସାରସକଣା , (ଭଗୀରଥ ମହାନ୍ତ) : ରାଜାଲୋକା ଗ୍ରାମପଞ୍ଚାୟତ ଅଧିନସ୍ଥ ରାଜାଲୋକା ଗ୍ରାମର ତାରକକ୍ଷେତ୍ରସ୍ଥିତ ଶ୍ରୀରାମ ମନ୍ଦିରର ଚତୁର୍ଦ୍ଦଶ ବାର୍ଷିକ ମହୋତ୍ସବ ପାଳନ ଅବସରରେ ଚଳିତ ବର୍ଷ ତାରକକ୍ଷେତ୍ରର ଶ୍ରୀରାମ ମନ୍ଦିରର ପ୍ରାଙ୍ଗଣରେ ନୂତନ ରାଧାକୃଷ୍ଣ ମନ୍ଦିର ପ୍ରତିଷ୍ଠା ହୋଇଯାଇଛି । ରାଜାଲୋକାସ୍ଥିତ ତାରକକ୍ଷେତ୍ରର ପ୍ରଭୁ ଶ୍ରୀରାମଙ୍କ ମନ୍ଦିର ବାର୍ଷିକ ଉତ୍ସବ ପାଳନ ଅବସରରେ ପର୍ଯ୍ୟାୟ କ୍ରମେ ପରିସର ମଧ୍ୟରେ ହନୁମାନ ମନ୍ଦିର , ବାବା ରାମେଶ୍ଵରଙ୍କ ନାମରେ ନାମିତ ଶିବ ମନ୍ଦିର ଓ ଚଳିତ ବର୍ଷ ରାଧାକୃଷ୍ଣ ମନ୍ଦିର ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି । ନୂତନ ରାଧାକୃଷ୍ଣ ମନ୍ଦିର ପ୍ରତିଷ୍ଠା ଗତ ସୋମବାର ଦିନ ଠାରୁ ଆରମ୍ଭ ହୋଇ ଆଜି ରବିବାର ପର୍ଯ୍ୟନ୍ତ ସାତ ଦିନିଆ ଯଥାବିଧି ଅନୁଯାଇ ଚାଲୁ ରହିଥିଲା ବୋଲି ଜଣାପଡିଛି । ସୋମବାର ଦିନ ମନ୍ଦିର ଓ ଗ୍ରାମ ଦେବା ଦେବୀଙ୍କର ବିଶେଷ ପୂଜା , କର୍ମାତ୍ରୀଙ୍କର ପଞ୍ଚଗବ୍ୟ ସଂସ୍କାର , କୁଣ୍ଡ , ମଣ୍ଡଳାଦି ନିର୍ମାଣ , ଅଙ୍କୁରା ରୋପଣ ଓ ସଂକୀର୍ତ୍ତନ ହୋଇଥିବା ବେଳେ ଗତ ମଙ୍ଗଳବାର ଦିନ ଶତାଧିକ ପୁରୁଷ ଓ ମହିଳା ଭକ୍ତ ମାନେ ରାଜାଲୋକା ଗ୍ରାମର ବଡ଼ ପୋଖରୀରୁ ଘଟ ଉତ୍ତୋଳନ କରି କଳସ ଯାତ୍ରାରେ ବାହାରି ମନ୍ଦିର ପ୍ରାଙ୍ଗଣରେ ପହଞ୍ଚିଥିଲେ । ତା ପରେ ପରେ ଶ୍ରୀ ରାଧାକୃଷ୍ଣ ମନ୍ଦିରରେ ବିଗ୍ରହ ମାନଙ୍କ ଧାନ୍ନାଧ୍ବବାସ , ସନ୍ଧ୍ୟା ଆଳତୀ ଏବଂ ବଳିପ୍ରଦାନ ସଂକୀର୍ତନ ହୋଇଥିଲା। ଗତ ବୁଧବାର ଦିନ ସୂର୍ଯ୍ୟପୂଜା , ବୈଦିକ ମଙ୍ଗଳା ଚରଣ , ଗୋମାତା ପୂଜନ , ଯଜ୍ଞ , ଶ୍ରୀ ଶ୍ରୀ ରାଧାକୃଷ୍ଣ ମନ୍ଦିରରେ ବିଗ୍ରହ ମାନଙ୍କର ସ୍ନାନ ନଗର ପରିକ୍ରମା ଓ ପୁଷ୍ପ , ଫଳ, ଧୂପ, ଦୀପାଧିବାସ , ନିଦ୍ରା ଦେବୀଙ୍କର ଆବାହନ ଓ ନୂତନ ବିଗ୍ରହ ମାନଙ୍କର ଶୟନ କାର୍ଯ୍ୟ ସମ୍ପାଦନ ଅନୁଷ୍ଠିତ ହୋଇ ଯାଇଛି । ଗତ ଗୁରୁବାର ଦିନ ନୂତନ ବିଗ୍ରହ ମାନଙ୍କର ନ୍ୟାସ , ଶ୍ରୀ ରାଧାକୃଷ୍ଣ ମନ୍ଦିରର ପ୍ରତିଷ୍ଠା , ଧ୍ୱଜା ଓ ଚକ୍ର ସ୍ଥାପନ , ପ୍ରାଣ ପ୍ରତିଷ୍ଠା , ମନ୍ଦିର ଲୋକାର୍ପଣ , ପୂର୍ଣ୍ଣାହୂତୀ ଓ ଷୋହଳ ପ୍ରହରର ନାମଯଜ୍ଞ ଅଧିବାସ , ଗତ ଶୁକ୍ରବାର ଦିନ ପବିତ୍ର ରାମ ନବମୀ ଅବସରରେ ଷୋହଳ ପ୍ରହରର ନାମଯଜ୍ଞ ଆରମ୍ଭ , ଶ୍ରୀରାମ ନବମୀ , ଭକ୍ତ ମାନଙ୍କ ଦ୍ଵାରା ଶ୍ରୀ ଜୀଉ ମାନଙ୍କର ପୂଜନ ଓ ଦର୍ଶନ , ପ୍ରସାଦ ସେବନର ବ୍ୟବସ୍ଥା ହୋଇଥିବା ବେଳେ ଗତକାଲି ଶନିବାର ଦିନ ମଧ୍ୟ ଷୋହଳ ପ୍ରହର ଅଖଣ୍ଡ ନାମଯଜ୍ଞ , ଭକ୍ତମାନଙ୍କ ଦ୍ବାରା ଶ୍ରୀ ଜୀଉ ମାନଙ୍କର ପୂଜନ ଓ ଦର୍ଶନ ଓ ପୂର୍ବ ବର୍ଷ ମାନଙ୍କ ଭଳି ପ୍ରତ୍ୟେକ ଦିନ ହଜାର ହଜାର ଶ୍ରଦ୍ଧାଳୁ ଭକ୍ତଙ୍କ ଉପସ୍ଥିତି ଦେଖୁବାକୁ ମିଳିଥିଲା। ଆଜି ରବିବାର ଦିନ ଷୋହଳ ପ୍ରହର ନାମର ବିଶ୍ରାମ ଓ ଦଧି ଉତ୍ସବ ଅନୁଷ୍ଠିତ ହେବ ବୋଲି କମିଟିର ପରିଚାଳନା ପରିଷଦ ପକ୍ଷରୁ ସୂଚନା ମିଳିଛି ।


