ରାଜରାଜେଶ୍ୱରୀ ବେଶରେ ମା “ମଙ୍ଗଳା
କାକଟପୁର /ଅସ୍ତରଙ୍ଗ(ଶୁଭାଶିଷ ଖଣ୍ଡୁଆଳ ) :-ଚୈତ୍ର ମାସର ମଙ୍ଗଳବାର ମା ‘ମଙ୍ଗଳାଙ୍କ ପୂଜାର ପ୍ରକୃଷ୍ଟ ବାର। କିନ୍ତୁ ଚୈତ୍ର ମାସର ମଙ୍ଗଳବାର ଗୁଡିକରେ ଗୃହିଣୀ ମାନେ ଘର ସାମ୍ନାରେ ବା ଗ୍ରାମର ଦୋ ‘ଛକି ଦାଣ୍ଡରେ ସ୍ୱତନ୍ତ୍ର ଧରଣର ଗାତ (ପନ୍ଥେଇ )ଖୋଳି, ପଣା ଆଦି ଭୋଗଦେଈ ମା ଙ୍କୁ ପୂଜା କରିଥାନ୍ତି। ଏଥିରେ ଦେବୀ ବାଟ ମଙ୍ଗଳା ରୂପେ ପୂଜିତ। ଚୈତ୍ର ମାସର ପ୍ରଥମ ଚାରି ମଙ୍ଗଳବାର ପୂଜା କରାଯିବା ପରେ, ସେହି ମାସର ପଞ୍ଚମ ମଙ୍ଗଳବାର ବା ବୈଶାଖ ମାସର ପ୍ରଥମ ମଙ୍ଗଳବାରରେ ମା ଙ୍କୁ ସ୍ୱତନ୍ତ୍ର ଭାବେ ପୂଜା କରିବାରେ ପ୍ରଥା ଏବେ ପ୍ରଚଳିତ ଅଛି। ପ୍ରଥମ ଚାରି ମଙ୍ଗଳବାରକୁ “ପାଳିଯାତ୍ରା “ଏବଂ ପଞ୍ଚମ ତଥା ଶେଷ ମଙ୍ଗଳବାରକୁ “ଝାମୁଯାତ୍ରା “କୁହାଯାଉଛି।ଚୈତ୍ର ମାସର ଚତୁର୍ଥ ମଙ୍ଗଳବାର ରେ ପୁରୀ ଜିଲ୍ଲା କାକଟପୁର ଅଧିତାଷ୍ଟି ଦେବୀ ମା ‘ମଙ୍ଗଳା ଙ୍କ ମନ୍ଦିରରେ ବିଳମ୍ବିତ ରାତ୍ର ରୁ ମା ‘ଦ୍ୱାରଫିଟା, ମଙ୍ଗଳଆଳତୀ, ସ୍ନାନ, ମାର୍ଜନା, ବେଶ, ଚନ୍ଦନ ଲାଗି, ସୂର୍ଯ୍ୟ ପୂଜା, ବଲ୍ଲଭ ଧୂପ, ସକାଳ ଧୂପ ପରେ ସକାଳ ୫ଘ ୩୦ମିନିଟ ସମୟରେ ସାହାଣ ମେଳା ଓ ସର୍ବସାଧାରଣ ଦର୍ଶନ ଆରମ୍ଭ ହୋଇଥିଲା। ମା ମଙ୍ଗଳା ରାଜରାଜେଶ୍ୱରୀ ବେଶରେ ଶ୍ରଦ୍ଧାଳୁ ଙ୍କୁ ଦର୍ଶନ ଦେଇଥିଲେ।ଭକ୍ତମାନଙ୍କ ଶୃଙ୍ଖଳିତ ଦର୍ଶନ ପାଈଁ ମନ୍ଦିର ଟ୍ରଷ୍ଟ ବୋର୍ଡ ତରଫରୁ ମନ୍ଦିର ପରିସରରେ ସ୍ୱତନ୍ତ୍ର ବ୍ୟାରିକେଟ ମଧ୍ୟରେ ଭକ୍ତମାନେ ଧାଡିରେ ଯାଇ ମା ଙ୍କୁ ଦର୍ଶନ କରିଥିଲେ। ଏହି ପବିତ୍ର ଚୈତ୍ର ମାସର ଚତୁର୍ଥ ମଙ୍ଗଳବାର ରେ ବ୍ରତଧାରୀ ମହିଳା ମାନେ ପରିବାର ମଙ୍ଗଳକାମନା ପାଈଁ ଗାଁ ଦାଣ୍ଡରେ ପନ୍ଥେଇ ନିର୍ମାଣ କରି ଗୁଆ, ନଡ଼ିଆ, କଦଳୀ ଖଇ ସହ ହଳଦୀ ପାଣି ଦେଈ ପୂଜା କରିଥାନ୍ତି। ଏହି ସମୟରେ ମା ମଙ୍ଗଳା ଙ୍କ ନିକଟରେ ମାନସିକ ରଖିଲେ ତାହା ପୂରଣ ହୋଇଥାଏ ବୋଲି ବିଶ୍ୱାସ ରହିଛି।ଶ୍ରଦ୍ଧାଳୁ ଙ୍କ ଭିଡକୁ ଦୃଷ୍ଟିରେ ରଖି ମନ୍ଦିର ପ୍ରଶାସନ ତରଫରୁ ମନ୍ଦିର ପରିସରରେ ସ୍ୱତନ୍ତ୍ର ବ୍ୟାରିକେଟ କରାଯାଇଥିଲା। ଶ୍ରଦ୍ଧାଳୁ ଶୃଙ୍ଖଳିତ ଭାବେ ଯାଇ ମା “ଙ୍କ ଦର୍ଶନ କରିଥିଲେ।


