ମାଆ ଉତ୍ତରାୟଣୀଙ୍କ ଦର୍ଶନ କଲେ ସୋରଡା ବିଧାୟକ

ଗାଙ୍ଗପୁର,(ସନ୍ତୋଷ କୁମାର ବିଷୋଇ): ଗତ ମାର୍ଚ୍ଚ ୨୪ ତାରିଖ ଠାରୁ ବେଲଗୁଣ୍ଠା ବ୍ଳକ୍ ଅନ୍ତର୍ଗତ କ୍ଷତ୍ରିୟବରପୁର ଠାରେ ମା ଉତ୍ତରାୟଣୀଙ୍କ ଚତୁର୍ଥତମ ଯାତ୍ରା ମହୋତ୍ସବ ମହାସମାରୋହରେ ଜାରି ରହିଛି, ଏହି ଅବସରରେ ସନ୍ଧ୍ୟାରେ ସୋରଡ଼ା ବିଧାୟକ ନୀଳମଣି ବିଷୋୟୀ ମାଆଙ୍କ ଅସ୍ଥାୟୀ ମଣ୍ଡପରେ ମାଆଙ୍କ ସନ୍ଧ୍ୟା ଆଳତିରେ ଉପସ୍ଥିତ ରହି ପୁଷ୍ପାଞ୍ଜଳି ପ୍ରଦାନ କରିବା ସହ ମାଆଙ୍କ ଆଶୀର୍ବାଦ ଭିକ୍ଷା କରିଥିଲେ I ଏହା ସହିତ ଆଗାମୀ ବର୍ଷ ଗୁଡିକରେ ମାଆଙ୍କ ଯାତ୍ରା ମହୋତ୍ସବକୁ ଅଧିକ ଆକର୍ଷଣୀୟ କରିବା ପାଇଁ ସ୍ଥାନୀୟ ଯାତ୍ରା କମିଟି ସହିତ ଆଲୋଚନା କରିଥିଲେ I ବିଧାୟକ ବିଷୋୟୀଙ୍କ ସହିତ ସ୍ଥାନୀୟ ସରପଞ୍ଚ କମଳ କୁମାରୀ ପ୍ରଧାନ, ପୂର୍ବତନ ସରପଞ୍ଚ ମହନ୍ତ ରାମକୃଷ୍ଣ ଦାଶ,ବେଲଗୁଣ୍ଠା ପ୍ରେସକ୍ଲବ ସଭାପତି ପ୍ରଦ୍ୟୁମ୍ନ ପାତ୍ର ଏବଂ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ମାଆ ଉତ୍ତରାୟଣୀଙ୍କ ଦର୍ଶନ ସହିତ ଆଶୀର୍ବାଦ ଭିକ୍ଷା କରିଥିଲେ I ପ୍ରକାଶ ଥାଉକି ଗତ ୨୪ ତାରିଖ ଠାରୁ ମାଆଙ୍କ ଯାତ୍ରା ମହୋତ୍ସବ ଚାଲିଥିବା ବେଳେ ପ୍ରତ୍ୟେକ ଦିନ ସନ୍ଧ୍ୟାରେ ମାଆଙ୍କ ଆଳତି ଏବଂ ବିରାଟ ପଟୁଆରରେ ମାଆଙ୍କ ନଗର ପରିକ୍ରମା ଅନୁଷ୍ଠିତ ହେଉଛି I ହରିବୋଲ, ହୁଳହୁଳି ସହିତ ପାରମ୍ପରିକ ଢୋଲ,ଝାଞ୍ଜ, ପଶୁମୁଖା ନୃତ୍ୟ ସହିତ ଆଧୂନିକ ଡିଜେରେ କ୍ଷତ୍ରିୟବରପୁର ଏବଂ ଏହାର ଆଖାପାଖ ଅଞ୍ଚଳ ଚଳଚଞ୍ଚଳ ହୋଇ ଉଠୁଛି, ସେହିପରି ଯାତ୍ରା ଉପଲକ୍ଷେ ଆୟୋଜିତ ମୀନା ବଜାର, ରାମ ଦୋଳି, ବ୍ରେକ୍ ଡ୍ୟାନ୍ସ୍, ଛୋଟ ଛୁଆଙ୍କ ପାଇଁ ଆସିଥିବା ହେଲିକ୍ୟାପ୍ଟର, କାର୍ ଇତ୍ୟାଦି ଯାତ୍ରାର ଶୋଭାକୁ ବହୁଗୁଣିତ କରୁଛି I ପ୍ରତ୍ୟେକ ଦିନ ସନ୍ଧ୍ୟା ସମୟରୁ ଯାତ୍ରା ଏବଂ ମୀନା ବଜାରର ମଜା ନେବା ପାଇଁ କ୍ଷତ୍ରିୟବରପୁରରେ ହଜାର ହଜାର ଲୋକଙ୍କ ଭିଡ଼ ଲାଗୁଛି I ଏହା ସହିତ ପ୍ରତ୍ୟେକ ଦିନ ସନ୍ଧ୍ୟାରେ ବିଭିନ୍ନ ପ୍ରକାର ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି I ପ୍ରତ୍ଯେକ ଦିନ ସନ୍ଧ୍ୟାରେ ଅଞ୍ଚଳର କୁନି କୁନି ଛୁଆ ମାନେ ନୃତ୍ୟ ଗୀତ ପରିବେଷଣ କରୁ୍ଥିବା ବେଳେ ଗୁରୁବାର ସନ୍ଧ୍ୟାରେ ଆଶିଷ୍ ଡ଼୍ୟାନ୍ସ୍ ଷ୍ଟୁଡିଓର ଛାତ୍ରଛାତ୍ରୀ ଆକର୍ଷଣୀୟ ନୃତ୍ୟ ପରିବେଷଣ କରିଛନ୍ତି I ସେହିପରି ମଙ୍ଗଳବାର ସନ୍ଧ୍ୟାରେ ନଳବଣ୍ଟା ଗ୍ରାମର କଳାକାରଙ୍କ ଦ୍ୱାରା ପ୍ରହଲ୍ଳାଦ ନାଟକ ପରିବେଷଣ ହୋଇଯାଇଛି I ଅଭୟ ରଥ ଏବଂ ବରିଷ୍ଠ ସାମ୍ବାଦିକ ଅକ୍ଷୟ ଶତପଥି ସାଂସ୍କୃତିକ କାର୍ଯ୍ୟକ୍ରମ ଗୁଡ଼ିକୁ ପରିଚାଳନା କରୁଛନ୍ତି I ଆସନ୍ତା ଶୁକ୍ରବାର ଦିନ ଏହି ଯାତ୍ରା ମହୋତ୍ସବ ଉଦଯାପିତ ହେବ ବୋଲି ସୂଚନା ମିଳିଛି, ଗାଙ୍ଗପୁର ଥାନା ଅଧିକାରୀ ବନବିହାରୀ ପ୍ରଧାନଙ୍କ ତତ୍ତ୍ୱାବଧାନରେ ପୋଲିସ୍ ବାହିନୀ କାର୍ଯ୍ୟକ୍ରମର ଶୃଙ୍ଖଳା ରକ୍ଷା ଦିଗରେ ସମ୍ପୂର୍ଣ୍ଣ ସଜାଗ ଅଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ