ଗିରି ଗୋବର୍ଦ୍ଧନ ପୂଜା ଓ ଗୋଧନ ବାହୁଡ଼ା ଯାତ୍ରା ଅନୁଷ୍ଠିତ

ନିମାପଡ଼ା,(ସନ୍ତୋଷ କୁମାର ଦାଶ): ନିମାପଡ଼ାର ଗଣପର୍ବ ଭାବେ ପରିଚିତ ଗିରି ଗୋବର୍ଦ୍ଧନ ପୂଜା ଓ ଗୋଧନ ବାହୁଡ଼ା ଯାତ୍ରା ମହା ଆଡମ୍ବରରେ ଅନୁଷ୍ଠିତ ହୋଇ ଯାଇଛି।କେଉଁ ଆବାହମାନ କାଳରୁ ଏହି ଯାତ୍ରା ଅନୁଷ୍ଠିତ ହୋଇଆସୁଛି। ନିମାପଡ଼ା ଗିରିଗୋବର୍ଦ୍ଧନ ପୂଜା କମିଟି ଓ ନିମାପଡ଼ା ଥାନା ପକ୍ଷରୁ ଥାନା ପଡ଼ିଆ ଠାରେ ଏହି ଯାତ୍ରା ଅନୁଷ୍ଠିତ ହୋଇଥିଲା। ଥାନପତି ଠାକୁର ଗୋପୀନାଥ ଦେବ ଏବଂ ମଦନମୋହନ ଦେବ ରାସବାଡ଼ି ମଠ ରାସକୁଞ୍ଜ ରୁ ଦୁଇଟି ସ୍ଵ ସ୍ୱ ସୁସଜ୍ଜିତ ବିମାନରେ ବାହାରି ନଗର ପରିକ୍ରମା କରିବା ସହ ଗୋପୀନାଥ ପାଟଣା, ନିମାପଡ଼ା ବଡ଼ବଜାର, ପତିତପାବନ ପାଟଣା, ଶ୍ୟାମସୁନ୍ଦରପୁର, ଜଇନାବାଦ ଗ୍ରାମରେ ଶ୍ରଦ୍ଧାଳୁଙ୍କ ଦାଣ୍ଡରେ ଭୋଗ ଓ ପଣା ଖାଇଥିଲେ। ଭୋଗ ଖାଇବା ପରେ ଠାକୁର ମାନେ ଜଇନାବାଦ ଗ୍ରାମ ପୂଜାମଣ୍ଡପରେ ଅଧିଷ୍ଠିତ ହୋଇଥିଲେ। ସେଠାରେ ଉଭୟ ଠାକୁରଙ୍କ ଯମୁନା ସ୍ନାନ ନିତୀ ଅନୁଷ୍ଠିତ ହୋଇଥିଲା । ସ୍ନାନ ପରେ ଠାକୁରଙ୍କ ଅନ୍ୟାନ୍ୟ ନୀତିକାନ୍ତି ଓ ପୂଜାର୍ଚ୍ଚନା କରା ଯାଇଥିଲା। ଏହା ଦେଖ‌ିବାକୁ ଜଇନାବାଦ ଗ୍ରାମ ପୂଜାମଣ୍ଡପ ଠାରେ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଥିଲା। ସନ୍ଧ୍ୟାରେ ଥାନାର ନିମନ୍ତ୍ରଣକ୍ରମେ ଦୁଇଟି ସୁସଜିତ ବିମାନରେ ଦୁଇ ଠାକୁରଙ୍କୁ ଏକ ବିଶାଳ ଶୋଭାଯାତ୍ରାରେ ଜଇନାବାଦ ଗ୍ରାମଠାରୁ ନିମାପଡ଼ା ଥାନା ପର୍ଯ୍ୟନ୍ତ ଅଣାଯାଇ ଥାନା ସମ୍ମୁଖସ୍ଥ ଗୋଧନ ବାହୁଡା ପୂଜାମଣ୍ଡପ ରେ ଉପବେସନ କରାଯାଇଥିଲା। ଠାକୁରଙ୍କ ପୂଜାର୍ଚ୍ଚନା ପରେ ଗିରିଗୋବର୍ଦ୍ଧନ ପୂଜା ଓ ଗୋଧନବାହୁଡା ଯାତ୍ରା ଅନୁଷ୍ଠିତ ହୋଇଥିଲା। ଏହି ପୂଜା ଓ ଯାତ୍ରାରେ ନିମାପଡ଼ା ଥାନା ଆଇଆଇସି ସମରେନ୍ଦ୍ର ପାଇକରାୟ କର୍ତ୍ତା ଭାବେ ଦାୟିତ୍ଵ ତୁଲାଇଥିଲେ। ଏସ୍‌ଡିପିଓ ଜନାର୍ଦ୍ଦନ ପାଢ଼ୀ, ଅତିରିକ୍ତ ଏସ୍‌ପି ସଚିନ ପଟେଲ ପ୍ରମୁଖ ଠାକୁର ଙ୍କୁ ଦର୍ଶନ ଓ ପୂଜାର୍ଚ୍ଚନା କରିଥିଲେ। ବାଜା, ବାଣ, ଘଣ୍ଟଘଣ୍ଟା, ଭେରି, ତୁରୀ ଧ୍ୱନିରେ ଓ ଆକର୍ଷଣୀୟ ଆତସବାଜି ପ୍ରଦର୍ଶନରେ ଯାତ୍ରାସ୍ଥଳ ପ୍ରକମ୍ପିତ ହୋଇଉଠିଥିଲା। ବିଳମ୍ବିତ ରାତି ରେ ମେଲୋଡି ଧମାକାରେ ଦର୍ଶକ ମତୁଆଲା ହୋଇପଡ଼ିଥିଲେ। ଏହି ଯାତ୍ରାରେ ପ୍ରାୟ ୨୦ହଜାର ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା। ନିମାପଡ଼ା ଥାନା ରଙ୍ଗିନ ଆଲୋକମାଳା ଓ ଆକର୍ଷଣୀୟ ତୋରଣରେ ନବବଧୂ ପରି ସଜେଇ ହୋଇଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ