ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରଏରିଅର ବିଲ୍ କରି ୨ କୋଟି ଟଙ୍କା ହଡ଼ପ: ୫ ଗିରଫ
କଟକ, (ଓ୍ବାଇଏନଏସ): କୋଦଳା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର କର୍ମଚାରୀ ମାନେ ମିଥ୍ୟା ଏରିୟର ବିଲ୍ କରି ସରକାରଙ୍କ ତହବିଲର ୨ କୋଟି ଟଙ୍କା ହଡ଼ପ କରିଦେଇଛନ୍ତି। ଏହି ଘଟଣା ଜଣାପଡ଼ିବା ପରେ ଦୁର୍ନୀତି ନିବାରଣ ବିଭାଗ (ଭିଜିଲାନ୍ସ) ପକ୍ଷରୁ ପଦକ୍ଷେପ ନିଆଯାଇ ୫ଜଣ କର୍ମଚାରୀଙ୍କୁ ଗିରଫ କରାଯାଇଛି। ବିଭାଗ ପକ୍ଷରୁ ଜାରି ସୂଚନାନୁସାରେ, ସିଏଚ୍ସିରେ ବ୍ୟାପକ ଜାଲିଆତି ହୋଇଥିବା ନେଇ ଅଭିଯୋଗ ହୋଇଥିଲା। ଏହାପରେ ଭିଜିଲାନ୍ସ ବିଭାଗ ୪/୮-୪-୨୦୨୬ରେ ଆଇପିସିର ଦଫା ୪୦୯, ୪୬୭, ୪୬୮, ୪୭୧, ୧୨୦-ଖ, ବିଏନ୍ଏସ୍ର ଧାରା ୩୧୬(୫), ୩୩୬ (୩), ୩୩୮, ୩୪୦ (୨), ୬୧(୨) ଏବଂ ପିସି ଆଇନର ଉପଯୁକ୍ତ ଧାରାରେ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ତଦନ୍ତରେ, ସିଏଚ୍ସିର କେତେକ କର୍ମଚାରୀ ମିଳିମିଲି କର୍ମଚାରୀଙ୍କ ଏରିଅର ବିଲ୍ରେ ବ୍ୟାପକ ହେରଫେର କରିଛନ୍ତି। ବର୍ତ୍ତମାନ ସୁଦ୍ଧା ହୋଇଥିବା ଆକଳନରେ ଏହା ୨ କୋଟି ଟଙ୍କା ବୋଲି ଜଣାପଡ଼ିଛି। ଏହି ଘଟଣାରେ ବରିଷ୍ଠ ସହାୟକ ଯତିନ କୁମାର ଭୁୟାଁ, ଏମ୍ପିଏଚ୍ଡବ୍ଲ ଭାରତୀ ପ୍ରଧାନ, ୪ର୍ଥଶ୍ରେଣୀ କର୍ମଚାରୀ ଗୋପାଳ ନାୟକ, ଝାଡ଼ୁଦାର ମନୁ ନାୟକ, ବେଗୁନିଆପଡ଼ା ପିଏଚ୍ସିର ୪ର୍ଥଶ୍ରେଣୀ କର୍ମଚାରୀ ରାମଚନ୍ଦ୍ର ମଲିକଙ୍କୁ ଗିରଫକରାଯାଇ ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟରେ ହାଜର କରାଯାଇଛି। ଏହି ଦୁର୍ନୀତିର ବ୍ୟାପକତା ଓ ଅନ୍ୟ କର୍ମଚାରୀ ଓ ଅଧିକାରୀଙ୍କ ସମ୍ପୃକ୍ତି ନେଇ ଖୋଳତାଡ଼ ଆରମ୍ଭ ହୋଇଛି ବୋଲି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।


