ସେଣ୍ଟ ଜାଭିୟର୍ସ ହାଇସ୍କୁଲର ୧୫ତମ ବାର୍ଷିକ ଉତ୍ସବ
କୋଣାର୍କ (ଓ୍ବାଇଏନଏସ): କୋଣାର୍କର ମଧୁପୁର ଛକ ନିକଟରେ ଥିବା ଅନ୍ୟତମ ଇଂରାଜୀ ମାଧ୍ୟମ ସ୍କୁଲ ଭାବେ ପରିଚିତ ସେଣ୍ଟ ଜାଭିୟର୍ସ ହାଇସ୍କୁଲର ବାର୍ଷିକ ଉତ୍ସବ ଶୁକ୍ରବାର ସନ୍ଧ୍ୟାରେ ମହା ଆଡ଼ମ୍ବରରେ ପାଳିତ ହୋଇଯାଇଛି। ସ୍କୁଲର ନିର୍ଦ୍ଦେଶକ ସମୀର କୁମାର ଭୂୟାଁଙ୍କ ସଭାପତିତ୍ବରେ ଆୟୋଜିତ ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ କୋଣାର୍କ ଏନଏସି ଅଧ୍ୟକ୍ଷା ସଂଯୁକ୍ତା ତ୍ରିପାଠୀ, ମୂଖ୍ୟବକ୍ତା ଭାବେ ଗୋପ ବ୍ଲକ ଉପାଧ୍ୟକ୍ଷ ବନ ରଞ୍ଜନ ପଟ୍ଟନାୟକ, ସମ୍ମାନିତ ଅତିଥି ଭାବେ ନିମାପଡ଼ା ଏସଡିପିଓ ଜନାର୍ଦ୍ଦନ ପାଢ଼ୀ, ଶିକ୍ଷାବିତ୍ ଶକ୍ତି ପ୍ରସାଦ ମହାନ୍ତି, ଗୋପ ବ୍ଲକ ଅତିରିକ୍ତ ଶିକ୍ଷା ଅଧିକାରୀ ସମ୍ରାଟ ଭଞ୍ଜ ଭୋଇ, କୋଣାର୍କ ସରକାରୀ ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ନିହାର ରଞ୍ଜନ ବେଉରା, ଆର୍ତ୍ତତ୍ରାଣ କାର୍ତିକେଶ୍ଵର ବିଦ୍ୟାପୀଠ ପ୍ରଧାନଶିକ୍ଷକ ରାମକୃଷ୍ଣ ମହାନ୍ତି, କୋଣାର୍କ ନଗର ବିଜେଡ଼ି ସଭାପତି ଗୋପାଳ ଚନ୍ଦ୍ର ବେହେରା ପ୍ରମୁଖ ଯୋଗ ଦେଇଥିଲେ। ବିଦ୍ୟାଳୟ ହେଉଛି ମଣିଷ ଓ ଚରିତ୍ର ତିଆରି କାରଖାନା, ଏଠାରେ ନିଜର ଶିକ୍ଷା ସହ ସମସ୍ତ ବିଭାଗରେ ଭାଗ ନେଇ ନିଜର ଦକ୍ଷତା ପ୍ରତିପାଦନ କରିବା ଉଚିତ୍ । ଏଥି ସହିତ ଅଭିଭାବକ ମାନେ ମଧ୍ୟ ନିଜର ପିଲାଙ୍କ ଦକ୍ଷତା ଉପରେ ଆତ୍ମବିଶ୍ବାସ ରଖିବା ଉଚିତ ବୋଲି ଅତିଥି ମାନେ ପିଲାମାନଙ୍କ ଉଦ୍ଦେଶ୍ୟରେ ଆଶୀର୍ବାଦ ବଚନ ପ୍ରଦାନ କରିଥିଲେ। ପ୍ରାରମ୍ଭରେ ପ୍ରଭୂ ଶ୍ରୀ ଜଗନ୍ନାଥଙ୍କ ନିକଟରେ ଅତିଥି ମାନଙ୍କ ଦ୍ଵାରା ପ୍ରଦୀପ ପ୍ରଜ୍ୱଳନ ସହ ଉତ୍ସବର ଶୁଭାରମ୍ଭ ହୋଇଥିଲା। ଅତିଥି ମାନଙ୍କ ପରିଚୟ ସହ ସମ୍ୱର୍ଦ୍ଧନା ଜ୍ଞାପନ କରାଯାଇଥିଲା। ସ୍କୁଲର ଅଧ୍ୟକ୍ଷା ଶୁଭଲକ୍ଷ୍ମି ଦାଶ ବାର୍ଷିକ ବିବରଣୀ ପଠନ କରିଥିଲେ। ଅତିଥି ମାନଙ୍କ ଅଭିଭାଷଣ ପରେ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ହାସଲ କରିଥିବା ସ୍କୁଲର ଛାତ୍ର ଛାତ୍ରୀ ମାନଙ୍କୁ ମାନପତ୍ର ଓ ଟ୍ରଫି ସହ ସମ୍ୱର୍ଦ୍ଧନା ପ୍ରଦାନ କରାଯାଇଥିଲା। ପରିଶେଷରେ ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନଙ୍କ ଦ୍ଵାରା ଆକର୍ଷଣୀୟ ତଥା ଚିତ୍ତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ ସଙ୍ଗୀତ ଓ ନୃତ୍ୟ ପରିବେଷଣ କରାଯାଇଥିଲା। ଏହି ଉତ୍ସବରେ ୫୦୦ ରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ , ଅଭିଭାବକ ଓ ଶୁଭେଚ୍ଛୁ ମାନେ ଯୋଗଦେଇ ପିଲାଙ୍କୁ ଉତ୍ସାହିତ କରିଥିଲେ । ଉତ୍ସବକୁ ଛାତ୍ର ସ୍ଵପ୍ନଜିତ , ଦୁଇ ଛାତ୍ରୀ ଭାଗ୍ୟଶ୍ରି ଓ ଶୀତଲ ମଞ୍ଚ ସଂଯୋଜନା କରିଥିବା ବେଳେ ଅତୁଲ୍ୟ କୁମାର ପତି ଓ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ମାନେ ଉତ୍ସବ ପରିଚାଳନାରେ ସହଯୋଗ କରିଥିଲେ ।


