ଜଳଯନ୍ତ୍ରଣାରେ ଛଟପଟ ପଶୁପକ୍ଷୀ !

ଆସିକା  (ୱାଇଏନ୍‍ଏସ୍‍) : ପ୍ରଚଣ୍ଡ ଖରାରେ ବୁଲା ପଶୁଜନ୍ତୁ ଓ ପକ୍ଷୀମାନେ ଶୋଷ ମେଣ୍ଟାଇବା ପାଇଁ ଆସିକା ସହରର ସାହିବସ୍ତି ଗୁଡିକରେ ଅଦ୍ୟାବଧି ଜଳକୁଣ୍ଡ ସ୍ଥାପନ ହୋଇପାରିନଥିବା ଯୋଗୁଁ ବୁଲା ପଶୁଯନ୍ତୁôମାନେ ଜଳଯନ୍ତ୍ରଣାରେ ଛଟପଟ ହେଉଥିବା ଦେଖିବାକୁ ମିଳୁଛି । ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ବୁଲା ଗାଈଗୋରୁ, କୁକୁର ଓ ପକ୍ଷୀମାନଙ୍କ ଶୋଷ ମେଣ୍ଟାଇବା ପାଇଁ ସହରର ବିଭିନ୍ନ ସ୍ଥାନରେ ଜଳପାତ୍ର ସ୍ଥାପନ କରିବା ଦିଗରେ ପ୍ରଶାସନ ଯୁଦ୍ଧକାଳୀନ ଭିତ୍ତିରେ ପଦକ୍ଷେପ ନେବାକୁ ସଚେତନ ନାଗରିକ ମହଲରେ ଦୃଢ ମତ ପ୍ରକାଶ ପାଉଛି । ଆସିକା ସହରର କେତେକ ସାହିବସ୍ତିରେ ପାଣିଟୋପାଏ ପିଇବା ପାଇଁ ବୁଲା ପଶୁଜନ୍ତୁ ଓ ପକ୍ଷୀମାନେ ପ୍ରଚଣ୍ଡ ରୌଦ୍ରତାପରେ ଡହଳବିକଳ ହେବା ସହ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେଉଥିବା ଅଭିଯୋଗ ହେଉଛି । ଟାଇଁ ଟାଇଁ ଖରାରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡୁଥିଲା ବେଳେ ଦିନ ୧୧ଟା ପରେ ଦାଉ ସାଧୁଛି ଖରା । ଯେଉଁଠି ମଣିଷ ପକ୍ଷେ ଘରୁ ବାହାରିବା ପ୍ରଚଣ୍ଡ ଖରାରେ ସମ୍ଭବପର ହେଉନାହିଁ ସେଠାରେ ବୁଲା ପଶୁପକ୍ଷୀଙ୍କ ପରିସ୍ଥିତି ଅଧିକ ଜଟିଳ ହୋଇପଡୁଥିବା ଦେଖିବାକୁ ମିଳୁଛି । ପ୍ରଚଣ୍ଡ ରୌଦ୍ରତାପରୁ ରକ୍ଷା ପାଇବା ପାଇଁ ସାଧାରଣ ଜନତାଙ୍କ ପାଖରେ ନାନା ସୁବିଧା ଥିଲା ବେଳେ ଏପରି କ୍ଷେତ୍ରରେ ପଶୁପକ୍ଷୀଙ୍କ କଥା ପଚାରେ ବା କିଏ । ପଶୁପକ୍ଷୀଙ୍କ ତୃଷା ନିବାରଣ ପାଇଁ ସହରର ସାହିବସ୍ତି ଗୁଡିକରେ କେବେ ଜଳକୁଣ୍ଡ ସ୍ଥାପନ ହେବ ତାହା ସାଧାରଣରେ ଏକ ବିରାଟ ପ୍ରଶ୍ନବାଚୀ ସୃଷ୍ଟି କରିଛି । କହିବାର ଶକ୍ତି ନାହିଁ ବୋଲି ବୁଲା ଗାଈଗୋରୁ ଓ ପଶୁପକ୍ଷୀ ମାନେ ପ୍ରତିବାଦ କରିପାରୁନାହାନ୍ତି । ଦାୟିତ୍ୱରେ ଥିବା ଅଧିକାରୀଙ୍କ ଆନ୍ତରିକତାର ଅଭାବ ଯୋଗୁଁ ପ୍ରଚଣ୍ଡ ଖରାରେ ପାଣି ଟୋପାଏ ପାଇଁ ବୁଲା ପଶୁପକ୍ଷୀମାନେ ସନ୍ତୁଳି ହେଉଛନ୍ତି ବୋଲି ସଚେତନ ନାଗରିକ ମହଲରେ ଚର୍ଚ୍ଚା ହେଉଛି । ଖରା ବଢୁଛି ଅଥଚ ବର୍ତ୍ତମାନ ସୁଦ୍ଧା ବୁଲା ପଶୁପକ୍ଷୀ ଏବଂ ବୁଲା ଗାଈଗୋରୁମାନେ ପିଇବା ପାଇଁ ଜଳକୁଣ୍ଡ ରଖିବା ସମ୍ଭବପର ହୋଇପାରି ନାହିଁ । ଖାଦ୍ୟ ତ ଦୂରେ ଥାଉ, ଖରାରେ ଡହଳ ବିକଳ ପରିସ୍ଥିତିରେ ପାଣି ମୁନ୍ଦେ ମିଳିବା ବୁଲା ପଶୁପକ୍ଷୀଙ୍କ ପାଇଁ ମୁସ୍କିଲ୍‍ ହୋଇପଡିଲାଣି । ଏପରି କ୍ଷେତ୍ରରେ ବୁଲା ପଶୁପକ୍ଷୀ ଏବଂ ବୁଲା ଗାଈଗୋରୁଙ୍କ କଥା ବୁଝିବ ବା କିଏ ? ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଯୋଗୁଁ ଆସିକା ଅଞ୍ଚଳରେ ଜନଜୀବନ ଅସ୍ତବ୍ୟସ୍ତ ହେବାରେ ଲାଗିଛି । ଜିଲ୍ଲା ପ୍ରଶାସନ ତଥା ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ତୁରନ୍ତ ଧ୍ୟାନଦେଇ ବୁଲା ପଶୁଜନ୍ତୁ ଓ ପକ୍ଷୀମାନଙ୍କ ବାସ୍ତବ ସମସ୍ୟାକୁ ହୃଦୟଙ୍ଗମ କରିବା ସହ ଗ୍ରୀଷ୍ମର ପ୍ରକୋପରୁ ରକ୍ଷା ପାଇବା ପାଇଁ ସହରର ସାହିବସ୍ତି ଗୁଡିକରେ ଜଳକୁଣ୍ଡ ସ୍ଥାପନ ଦିଗରେ ପଦକ୍ଷେପ ନେବାକୁ ସଚେତନ ନାଗରିକ ମହଲରେ ଦୃଢ ମତ ପ୍ରକାଶ ପାଉଥିବା ଲକ୍ଷ୍ୟ କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ