ଆଜି ବିଶ୍ୱ ଯକୃତ ଦିବସ
ଆସିକା (ୱାଇଏନ୍ଏସ୍) : ଆଜି ଅର୍ଥାତ୍ ଏପ୍ରିଲ ମାସ ୧୯ ତାରିଖରେ ପାଳିତ ହେବ ବିଶ୍ୱ ଯକୃତ ଦିବସ । ଲିଭର୍ ବା ଯକୃତ ରୋଗ ଏବଂ ଏହାର ଗମ୍ଭୀରତା ବିଷୟରେ ଜନସାଧାରଣଙ୍କୁ ସଚେତନ କରିବା ପାଇଁ ପ୍ରତିବର୍ଷ ଏପ୍ରିଲ ମାସ ୧୯ ତାରିଖକୁ ବିଶ୍ୱ ଯକୃତ ଦିବସ ରୂପେ ପାଳନ କରାଯାଇଆସୁଛି । ବିଶ୍ୱ ଯକୃତ ଦିବସ ଅବସରରେ ଆସିକା ସହରାଞ୍ଚଳ ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର (ସହରାଞ୍ଚଳ ଆୟୁଷ୍ମାନ୍ ଆରୋଗ୍ୟ ମନ୍ଦିର)ର ଚିକିତ୍ସାଧିକାରୀ ଡାକ୍ତର ଭାଗବତ ପ୍ରସାଦ ବିଷୋୟୀ ପରାମର୍ଶ ଦେଇ କହିଛନ୍ତି ଯେ ଯକୃତ ଆମ ଶରୀରର ଏକ ଗୁରୁତ୍ୱପୂର୍ଣ୍ଣ ଏବଂ ବୃହତ୍ତମ ଅଙ୍ଗ ହୋଇଥିଲା ବେଳେ ଏହା ଉପରେ ଆମ ସ୍ୱାସ୍ଥ୍ୟ ବିଶେଷ ଭାବେ ନିର୍ଭର କରିଥାଏ । ଲିଭର୍ର ଅବସ୍ଥା ଓ କାର୍ଯ୍ୟକ୍ଷମତା ଆମେ ଖାଉଥିବା ଖାଦ୍ୟ ଉପରେ ନିର୍ଭର କରିଥାଏ । ଏପରି କୌଣସି ଖାଦ୍ୟ, ପାନୀୟ ଏବଂ ଔଷଧ ନାହିଁ ଯାହା ଆମ ଲିଭର୍ ଉପରେ ପ୍ରଭାବ ପକାଇନଥାଏ । ନିଶାଦ୍ରବ୍ୟ ଠାରୁ ଆରମ୍ଭ ବହୁ ବିଷାକ୍ତ ପଦାର୍ଥ ଲିଭର୍ର ଅଶେଷ କ୍ଷତିସାଧନ କରିଥାନ୍ତି । ଲିଭର୍ ମନୁଷ୍ୟ ଶରୀରର ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ହୋଇଥିଲା ବେଳେ ପ୍ରଥମତଃ ଲିଭର୍ ରକ୍ତକୁ ପରିଷ୍କାର କରିଥାଏ ଓ ଛିଣିଥାଏ । ଏହା ରକ୍ତରେ ଥିବା ବିଷାକ୍ତ, ବର୍ଜ୍ୟ ଓ କ୍ଷତିକାରକ ପଦାର୍ଥକୁ ରକ୍ତରୁ ସଫା କରିଥାଏ ଏବଂ କୋଲେଷ୍ଟରଲ୍, ହରମନ୍ ଓ ଔଷଧୀୟ ତତ୍ୱ ଗୁଡିକୁ ବିଘଟନ କରିଥାଏ । ପାଚନ ଯନ୍ତ୍ରରୁ ପ୍ରଥମେ ଲିଭର୍ ମଧ୍ୟ ଦେଇ ପରିଷ୍କାର ହେଲା ପରେ ହୃଦଯନ୍ତ୍ର ରକ୍ତ ସଂଚାଳନ ପଥକୁ ଯାଇଥାଏ । ନିୟମିତ ଲିଭର୍ ପରୀକ୍ଷା ଠାରୁ ଆରମ୍ଭ କରି ସୁସ୍ଥ ଓ ପୁଷ୍ଟିକର ଏବଂ ସନ୍ତୁଳିତ ଖାଦ୍ୟ ଯକୃତକୁ ସୁସ୍ଥ ରଖିବାରେ ଯଥେଷ୍ଟ ସହାୟକ ହେଉଥିବା ବେଳେ ମଦ୍ୟପାନ ଓ ଧୁମ୍ରପାନ ଯୋଗୁଁ ଲିଭର୍ ଖରାପ ହେବାର ଯଥେଷ୍ଟ ସମ୍ଭାବନା ଥାଏ । ତେଣୁ ଲିଭର୍ ରୋଗରୁ ରକ୍ଷା ପାଇବା ପାଇଁ ସୁସ୍ଥ ଜୀନବଶୈଳୀ, ଉଚିତ୍ ଖାଦ୍ୟପେୟ ଓ ନିୟମିତ ବ୍ୟାୟାମର ଆବଶ୍ୟକତା ଅତ୍ୟନ୍ତ ଜରୁରୀ । ବିଶ୍ୱ ଯକୃତ ଦିବସ ଅବସରରେ ସ୍ୱାସ୍ଥ୍ୟର ସୁସ୍ଥତାକୁ ସର୍ବାଧିକ ଅଗ୍ରାଧିକାର ଦେଇ ନିଜର ଜୀବନ ଶୈଳୀକୁ ସ୍ୱାସ୍ଥ୍ୟ ଅନୁକୂଳ ରଖିବା ପାଇଁ ଡାକ୍ତର ଭାଗବତ ପ୍ରସାଦ ବିଷୋୟୀ ପରାମର୍ଶ ଦେଇଥିବା ଜଣାପଡିଛି ।


