ସମିତି ସଂପାଦକଙ୍କ ଦରମା ବୃଦ୍ଧି ସକାଶେ ଅର୍ଥ ଆଦାୟ ଚର୍ଚ୍ଚାର ସତ୍ୟାସତ୍ୟା ଉନ୍ମୋଚନ ଦାବୀ
ଆସିକା (ୱାଇଏନ୍ଏସ୍): କ୍ଷତିରେ ଚାଲୁଥିବା କେତେକ ସେବା ସମବାୟ ସମିତି ଗୁଡିକର ଆର୍ଥିକ ମାନଦଣ୍ଡକୁ ପରୀକ୍ଷା ନୀରିକ୍ଷା ନକରି ପ୍ରାୟ ୪୦ ଲକ୍ଷ୍ୟରୁ ଉର୍ଦ୍ଧ୍ୱ ଟଙ୍କା ଆଦାୟ କରି ସରକାରୀ ବିଧିବ୍ୟବସ୍ଥାକୁ ସଂପୁର୍ଣ୍ଣ ରୂପେ ଉଲଙ୍ଘନ ପୂର୍ବକ ବେନିୟମ ଭାବେ ବଜେଟକୁ ଅନୁମୋଦନ କରିବା ସହ ଅଧିକାଂଶ ସମିତି ସଂପାଦକଙ୍କ ଦରମା ଅହେତୁକ ବୃଦ୍ଧି କରାଯାଇଥିବା ଘଟଣାକୁ ନେଇ ଚାଲିଥିବା ଚର୍ଚ୍ଚାର ଏକ ସତ୍ୟାସତ୍ୟ ଉନ୍ମୋଚନ କରିବା ଦିଗରେ ସମବାୟ ବିଭାଗ ଉଚ୍ଚ କର୍ତ୍ତୃପକ୍ଷ ପଦକ୍ଷେପ ନେବାକୁ ବିଭିନ୍ନ ମହଲରେ ଦୃଢ ଦାବୀ ହେଉଥିବା ଲକ୍ଷ୍ୟ କରାଯାଇଛି । ଏ ସଂପର୍କରେ ମିଳିଥିବା ସୂଚନା ଅନୁଯାୟୀ ଆସିକା ସମବାୟ କେନ୍ଦ୍ର ବ୍ୟାଙ୍କ ଅଧୀନରେ ଥିବା ପ୍ରାୟ ୧୮୦ ରୁ ଉର୍ଦ୍ଧ୍ୱ ସେବା ସମବାୟ ସମିତିର ୨୦୨୬-୨୭ ଆର୍ଥିକ ବର୍ଷ ଗତ ଏପ୍ରିଲ ମାସ ୧ ତାରିଖରୁ ଆରମ୍ଭ ହୋଇଯାଇଛି । ସେବା ସମବାୟ ସମିତି ଗୁଡିକ ସେମାନଙ୍କ ସଂସ୍ଥାର ବାର୍ଷିକ ବଜେଟ୍ ପ୍ରସ୍ତୁତ କରି ଅନୁମୋଦନ ପାଇଁ କେନ୍ଦ୍ରବ୍ୟାଙ୍କକୁ ପଠାଇବାର ବିଧିବ୍ୟବସ୍ଥା ରହିଛି । ତେବେ ଚଳିତ ଆର୍ଥିକ ବର୍ଷରେ କେନ୍ଦ୍ରବ୍ୟାଙ୍କ କର୍ତ୍ତୃପକ୍ଷ କେତେକ ସମିତି ଗୁଡିକର ପରିଶୋଧ କରିବାର କ୍ଷମତା (କାପାସିଟି ଟୁ ପେ) କୁ ତର୍ଜମା ଓ ପରୀକ୍ଷା ନୀରିକ୍ଷା ନକରି ଅନୁମୋଦନ କରିଥିବା ସମବାୟପ୍ରେମୀ ମହଲରେ ଚର୍ଚ୍ଚା ହେଉଛି । ଏପରିକି ଯେଉଁ ସେବା ସମବାୟ ସମିତି ଗୁଡିକ ବର୍ଷ ବର୍ଷ ଧରି କ୍ଷତିରେ ଚାଲିଆସିଛି ସେପରି କେତେକ ସେବା ସମବାୟ ସମିତିରେ କାର୍ଯ୍ୟରତ ସଂପାଦକମାନଙ୍କ ଦରମା ଅହେତୁକ ଭାବେ ବୃଦ୍ଧି କରାଯାଇ ବଜେଟକୁ ଅନୁମୋଦନ କରାଯାଇଥିବା ଚର୍ଚ୍ଚା ହେଉଛି । ଲାଭରେ ଚାଲିଥିବା ସେବା ସମବାୟ ସମିତିର ସଂପାଦକମାନଙ୍କ ଦରମା ବୃଦ୍ଧି ସ୍ୱାଗତଯୋଗ୍ୟ ପଦକ୍ଷେପ ହୋଇଥିଲା ବେଳେ କେଉଁ ପରିସ୍ଥିତିରେ ଓ କେଉଁ ଅଦୃଶ୍ୟ ଶକ୍ତିର ଆଶୀର୍ବାଦରେ କେନ୍ଦ୍ରବ୍ୟାଙ୍କ କର୍ତ୍ତୃପକ୍ଷ ବର୍ଷ ବର୍ଷ ଧରି କ୍ଷତିରେ ଚାଲିଥିବା କେତେକ ସେବା ସମବାୟ ସମିତିର ସଂପାଦକଙ୍କ ଦରମାକୁ ଅହେତୁକ ବୃଦ୍ଧି କରି ବଜେଟକୁ ଅନୁମୋଦନ କରିଛନ୍ତି ତାହାର ଏକ ନିରପେକ୍ଷ ତଦନ୍ତ କଲେ ବହୁ ଗୁମର ତଥା ଗୋପନୀୟ ତଥ୍ୟ ଲୋକଲୋଚନକୁ ଆସିପାରିବ ବୋଲି ସଚେତନ ନାଗରିକ ମହଲରେ ଚର୍ଚ୍ଚା ଜୋର୍ ଧରିଥିବା ପରିଲକ୍ଷିତ ହେଉଛି । ଆସିକା ଅଞ୍ଚଳର ଜନୈକ କୁଜି ସଂଘ ନେତାଙ୍କ ଜରିଆରେ କେତେକ ସମିତି ସଂପାଦକଙ୍କ ଠାରୁ ବଜେଟକୁ ଅନୁମୋଦନ ପୂର୍ବକ ଦରମା ବୃଦ୍ଧି ପାଇଁ ମୁଣ୍ଡପିଚ୍ଛା ୩୦ ହଜାର ଟଙ୍କା ଲେଖାଏଁ ଏଭଳି ପ୍ରାୟ ୪୦ ଲକ୍ଷ୍ୟରୁ ଉର୍ଦ୍ଧ୍ୱ ଟଙ୍କା ଆଦାୟ କରାଯାଇଥିବା ଗଳିକନ୍ଦିରେ ଚର୍ଚ୍ଚା ହେଉଥିବା ଦେଖିବାକୁ ମିଳୁଛି । ସମିତି ସଂପାଦକଙ୍କ ଦରମା ବୃଦ୍ଧି ସକାଶେ ଅର୍ଥ ଆଦାୟ ଚର୍ଚ୍ଚା ସଂକ୍ରାନ୍ତରେ ସମବାୟ ସମିତି ସମୂହ ବ୍ରହ୍ମପୁର ମଣ୍ଡଳ ବ୍ରହ୍ମପୁର ଗଞ୍ଜାମର ଉପନିବନ୍ଧକ ଯୋଗମାୟା ସାବତଙ୍କ ଦୃଷ୍ଟି ଆକର୍ଷଣ କରିବାରୁ ସେ କହିଲେ ଯେ ଘଟଣାର ନିଶ୍ଚିତ ଭାବେ ତଦନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଅପର ପକ୍ଷରେ ଆସିକା ସମବାୟ କେନ୍ଦ୍ରବ୍ୟାଙ୍କ ପରିଚାଳନା ପରିଷଦର ସଭାପତି ମଙ୍ଗୁଳୁଧର ସାହୁଙ୍କ ଦୃଷ୍ଟି ଆକର୍ଷଣ କରିବାରୁ ସେ କହିଲେ ଯେ ସମିତି ସଂପାଦକଙ୍କ ଦରମା ବୃଦ୍ଧି ସଂକ୍ରାନ୍ତରେ ଅର୍ଥ ଆଦାୟ ସଂକ୍ରାନ୍ତରେ ମୋ ନିକଟରେ କୌଣସି ଖବର ନାହିଁ । କ୍ଷତିରେ ଚାଲୁଥିବା କେତେକ ସେବା ସମବାୟ ସମିତିର ସଂପାଦକମାନଙ୍କ ଅହେତୁକ ଦରମା ବୃଦ୍ଧି କରାଗଲେ ଉକ୍ତ ସୋସାଇଟି ଗୁଡିକ ଆଗାମୀ ଦିନରେ ବନ୍ଦ ହେବା ସମ୍ଭାବନାକୁ ମଧ୍ୟ ଏଡାଇ ହେବ ନାହିଁ ବୋଲି ଆଲୋଚିତ ହେଉଛି । ରାଜ୍ୟ ସରକାର ତଥା ସମବାୟ ବିଭାଗ ଉଚ୍ଚ କର୍ତ୍ତୃପକ୍ଷ ତୁରନ୍ତ ଧ୍ୟାନ ଦେଇ କ୍ଷତିରେ ଚାଲୁଥିବା ସେବା ସମବାୟ ସମିତି ଗୁଡିକର ଆର୍ଥିକ ମାନଦଣ୍ଡକୁ ପରୀକ୍ଷା ନୀରିକ୍ଷା ନକରି କେଉଁ ପରିସ୍ଥିତିରେ ବଜେଟକୁ ଅନୁମୋଦନ କରାଯାଇ କେତେକ ସଂପାଦକଙ୍କ ଦରମା ଅହେତୁକ ବୃଦ୍ଧି କରାଯାଇଛି ତାହାର ଏକ ନିରପେକ୍ଷ ତଦନ୍ତ କରି ସତ୍ୟତା ଉନ୍ମୋଚନ କରିବା ଦିଗରେ ପଦକ୍ଷେପ ନେବାକୁ ଆସିକା ସମବାୟ କେନ୍ଦ୍ର ବ୍ୟାଙ୍କ ପରିଚାଳନା ପରିଷଦର ପୂର୍ବତନ ନିର୍ଦ୍ଦେଶକ ତଥା ବରିଷ୍ଠ ସମବାୟବିତ୍ ପ୍ରମୋଦ କୁମାର ସ୍ୱାଇଁ ଦୃଢ ଦାବୀ କରିଛନ୍ତି । କୃଷିର ବିକାଶ ଓ କୃଷକର ଅର୍ଥନୈତିକ ମାନଦଣ୍ଡକୁ ସୁଦୃଢ କରିବା ପାଇଁ ସରକାର କାର୍ଯ୍ୟକାରୀ କରୁଥିବା ବହୁବିଧ ଚାଷୀ କଲ୍ୟାଣକାରୀ କାର୍ଯ୍ୟକ୍ରମ ଗୁଡିକର ସଫଳ ରୂପାୟନ ପାଇଁ ସେବା ସମବାୟ ସମିତି ସଂପାଦକମାନେ ସ୍ୱଳ୍ପ ଦରମାରେ ନିଜର ଦାୟିତ୍ୱ ଓ କର୍ତ୍ତବ୍ୟକୁ ସୁଚାରୂ ରୂପେ ସଂପାଦନ କରିଆସୁଥିଲା ବେଳେ ସେମାନଙ୍କ ଦରମା ବୃଦ୍ଧି କରିବାର ଆବଶ୍ୟକତା ଜରୁରୀ ଥିଲା ବେଳେ କେଉଁ ପରିସ୍ଥିତିରେ କ୍ଷତିରେ ଚାଲୁଥିବା କେତେକ ସୋସାଇଟିରି ସଂପାଦକଙ୍କ ଠାରୁ ଲକ୍ଷ ଲକ୍ଷ ଟଙ୍କା ଦରମା ବୃଦ୍ଧି କରିବା ଆଳରେ ଆଦାୟ କରାଯାଇଛି ତାହାର ଏକ ଉଚ୍ଚସ୍ତରୀୟ ତଦନ୍ତ ପାଇଁ ବହୁ ସଚେତନ ନାଗରିକ ଜିଲ୍ଲା ଓ ରାଜ୍ୟ ପ୍ରଶାସନର ଦୃଷ୍ଟି ଆକର୍ଷଣ କରିବା ଲାଗି ସଜବାଜ ହେଉଥିବା ଚର୍ଚ୍ଚା ହେଉଛି ।


