ଚୌଦ୍ୱାର ଜେଲ୍‌ରୁ ବିହାରୀ ଅପରାଧୀ ଫେରାର୍‌ ଘଟଣା: ପ୍ରାଥମିକ ଚାର୍ଜସିଟ୍‌ ଦାଖଲ କଲା ପୁଲିସ

କଟକ, (ଓ୍ବାଇଏନଏସ): ଚୌଦ୍ୱାର ସର୍କଲ ଜେଲ୍‌ରୁ ଫେରାର୍ ପରେ ପୁଣି ଗିରଫ ହୋଇଥିବା ବିହାରର ଦୁର୍ଦ୍ଦାନ୍ତ ଅପରାଧୀ ମଧୁକାନ୍ତ ରାଣା ବିରୋଧରେ ପ୍ରାଥମିକ ଚାର୍ଜସିଟ୍ ଦାଖଲ ହୋଇଛି । ଚୌଦ୍ୱାର ଥାନା ପୁଲିସ ଗତ ସପ୍ତାହରେ ଏହି ଚାର୍ଜସିଟ୍ ଦାଖଲ କରିଛି । ଅନ୍ୟପକ୍ଷରେ ଏହି ଘଟଣାର ଅନ୍ୟତମ ଅଭିଯୁକ୍ତ ତଥା ଗତ ୧ ତାରିଖରେ ଗିରଫ ହୋଇଥିବା ରାଜା ସାହାଣୀ ନେଇ ତଦନ୍ତ ଜାରି ରହିଛି । ଏହି ତଦନ୍ତ ଶେଷ ହେବା ପରେ ପୂର୍ଣ୍ଣାଙ୍ଗ ଚାର୍ଜସିଟ୍ ଦାଖଲ ହେବ । ସେଥିପାଇଁ ରାଜାକୁ ରିମାଣ୍ଡ୍‌ରେ ଆଣି ବାକି ତଦନ୍ତ ଶେଷ କରିବାକୁ ଚୌଦ୍ୱାର ଥାନା ପୁଲିସ ପ୍ରକ୍ରିୟା ଆରମ୍ଭ କରିଛି । ସମ୍ଭବତଃ ଏଇ ସପ୍ତାହରେ ହିଁ ରାଜାକୁ ରିମାଣ୍ଡରେ ଆଣିବା ପାଇଁ କୋର୍ଟରେ ଆବେଦନ କରାଯିବ ବୋଲି ସୂଚନା ମିଳିଛି । ୨୦୨୫ ଜାନୁଆରୀ ୪ରେ ଯାଜପୁର ଜିଲ୍ଲା ପାଣିକୋଇଲିରେ ଥିବା ଏକ ଅଳଙ୍କାର ଦୋକାନରେ ଲୁଟ୍ ସହ ୨ଜଣଙ୍କୁ ଦିବାଲୋକରେ ଗୁଳି କରି ହତ୍ୟା କରିବା ଘଟଣାରେ ବିହାରର ଦୁର୍ଦ୍ଦାନ୍ତ ଅପରାଧୀ ମଧୁକାନ୍ତ ରାଣା ଓ ରାଜା ସାହାଣୀ ଗିରଫ ହୋଇ ଚୌଦ୍ୱାର ଜେଲ୍ରେ ଥିଲେ । ତେବେ ଅକ୍ଟୋବର ୨ ତାରିଖ ରାତିରେ ସେଲ୍ ଭାଙ୍ଗି ଦୁଇଟି ପାଚେରି ଡେଇଁ ସେମାନେ ଚମ୍ପଟ ମାରିଲେ । ଏନେଇ ଅକ୍ଟୋବର ୩ ତାରିଖରେ ଚୌଦ୍ୱାର ଥାନାରେ ଏକ ମାମଲା ରୁଜୁ ହୋଇଥିଲା । ଫେବ୍ରୁଆରୀ ୧୪ରେ ମଧୁକାନ୍ତ ରାଣାକୁ ବୃନ୍ଦାବନରୁ ଗିରଫ କରାଯାଇଥିଲା । ତା ଗିରଫଦାରୀକୁ ୬୦ ଦିନ ପୂରିବା ପୂର୍ବରୁ ହିଁ ଚୌଦ୍ୱାର ଥାନା ପକ୍ଷରୁ ଚାର୍ଜସିଟ୍ ଦାଖଲ ହୋଇଛି । ଏଥିରେ ଚୌଦ୍ୱାର ଜେଲ୍ କର୍ମଚାରୀ, ଚୌଦ୍ୱାର ଥାନା କର୍ମଚାରୀ, ବୃନ୍ଦାବନରୁ ଗିରଫ ବେଳେ ଗେଷ୍ଟହାଉସ୍ ଓ ସ୍ଥାନୀୟ ପୁଲିସ କର୍ମଚାରୀଙ୍କ ବୟାନକୁ ରାର୍ଜସିଟ୍‌ରେ ସାକ୍ଷ୍ୟ ଭାବେ ରଖାଯାଇଛି । ସେହିପରି ଚୌଦ୍ୱାର ଜେଲ୍, କଟକର ବିଭିନ୍ନ ସ୍ଥାନର ସିସିଟିଭି ଫୁଟେଜ୍, ବୃନ୍ଦାବନର ସିସିଟିଭି ଫୁଟେଜ୍ ମଧ୍ୟ କୋର୍ଟକୁ ପ୍ରଦାନ କରାଯାଇଛି । ଏଥିସହିତ ସିନ୍ ରିକ୍ରିଏସନ୍ ବେଳର ଭିଡିଓ, ଫେରାର୍ ସମୟରେ ରାଜା ବ୍ୟବହାର କରିଥିବା କିଛି ବୈଷୟିକ ତଥ୍ୟକୁ ମଧ୍ୟ କୋର୍ଟଙ୍କୁ ଦିଆଯାଇଛି । ଅନ୍ୟପଟେ ଗତ ୧ ତାରିଖରେ ଗିରଫ ହୋଇଥିବା ରାଜା ସାହାଣୀ ନେଇ ତଦନ୍ତ ପ୍ରାୟ ଶେଷ ପର୍ଯ୍ୟାୟରେ ରହିଛି । ଫେରାର୍ ଘଟଣାରେ ଚୌଦ୍ୱାର ପୁଲିସ ରାଜାଠାରୁ ଆଉ କିଛି ତଥ୍ୟ ଆଦାୟ କରିବାକୁ ଚାହୁଁଛି । ତେଣୁ ରାଜାକୁ ରିମାଣ୍ଡରେ ଆଣିବା ପାଇଁ କଟକ ପୁଲିସ ପକ୍ଷରୁ ଚଳିତ ସପ୍ତାହରେ କୋର୍ଟରେ ଆବେଦନ କରାଯିବ ବୋଲି ସୂଚନା ମିଳିଛି। ରାଜାକୁ କଟକ ପୁଲିସ ରିମାଣ୍ଡରେ ନେଇ ଫେରାଇବା ପରେ ତାକୁ ବ୍ରହ୍ମପୁର ଜେଲ୍କୁ ସ୍ଥାନାନ୍ତର କରାଯିବ । ଯଦି କଟକ ପୁଲିସ ରିମାଣ୍ଡ ଆବେଦନ ଆବେଦନ ନକରେ ତାହେଲେ ଚଳିତ ସପ୍ତାହ ଶେଷ ବେଳକୁ ରାଜାକୁ ବ୍ରହ୍ମପୁର ପଠାଇ ଦିଆଯିବ ବୋଲି ଅନୁମାନ କରାଯାଉଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ