ମହେନ୍ଦ୍ରଗିରିରେ ସମର୍ପଣ ମହୋତ୍ସବ
ପାରଳାଖେମୁଣ୍ଡି(ତାରିଣୀ ପ୍ରସାଦ ପଣ୍ଡା ): ପୁରାଣ ପ୍ରସିଦ୍ଧ ମହେନ୍ଦ୍ରଗିରି ଗଜପତି ଜିଲ୍ଲାର ରାୟଗଡ ବ୍ଲକରେ ଅବସ୍ଥିତ. ମହେନ୍ଦ୍ରଗିରି ପାଦଦେଶରେ ଗତକାଲି ଏକ ଐତିହାସିକ ”ସମର୍ପଣ ମହୋତ୍ସବ’ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଭଗବାନଙ୍କ ପ୍ରତି ଅତୁଟ ବିଶ୍ବାସ ସହ ଜଗତ କଲ୍ୟାଣ ପାଇଁ ନିଜକୁ ସମର୍ପି ଦେବାକୁ ଶତାଧିକ ଶ୍ରଦ୍ଧାଳୁ ଶପଥ ଗ୍ରହଣ କରିଛନ୍ତି । ବିଶେଷ କରି ସାଧକ ପୂଜ୍ୟ ଦଣ୍ଡିସ୍ବାମୀ ଭାସ୍କର ତୀର୍ଥ (ଲକ୍ଷ୍ମୀ ବାବା) ଙ୍କ ମହତ ଉଦ୍ଦେଶ୍ୟ ଏହି ସମାରୋହକୁ ଏକ ନୂତନ ଦିଗ ଦର୍ଶାଇଛି I ମହେନ୍ଦ୍ରଗିରି ଶିଖରରେ ଅବସ୍ଥିତ ଭଗବାନ ପର୍ଶୁରାମଙ୍କ ତପୋଭୂମିରେ ସାଧନାରେ ମଗ୍ନ ପୂଜ୍ୟ ଦଣ୍ଡିସ୍ବାମୀ ଭାସ୍କର ତୀର୍ଥ ନିଜ ଶରୀରକୁ ମରଣୋତ୍ତର ଦାନ କରିବା ପାଇଁ ଘୋଷଣା କରିଛନ୍ତି। ସେ ବ୍ରହ୍ମପୁର ସ୍ଥିତ ମହାରାଜ କୃଷ୍ଣଚନ୍ଦ୍ର ଗଜପତି ମେଡିକାଲ କଲେଜରେ ଜଗତ କଲ୍ୟାଣ ପାଇଁ ନିଜ ଶରୀରଦାନ କରିବାକୁ ମାର୍ଚ୍ଚ ୨୬ ତାରିଖରେ ଇଚ୍ଛାପତ୍ର ନେଇ ଭକ୍ତଙ୍କୁ ଅବଗତ କରିଥିଲେ | ସେବା ଓ ତ୍ୟାଗର ଏହା ଚରମ ଉଦାହରଣ. ଶ୍ରଦ୍ଧାଳୁଙ୍କ ମଧ୍ୟରେ ଏହା ଏକ ନୂତନ ଜାଗରଣ ସୃଷ୍ଟି କରିଛି | ବାବାଙ୍କର ଏହି ମହତ ମାର୍ଗଦର୍ଶନରେ ଅନୁପ୍ରାଣିତ ହୋଇ ସେଠାରେ ଉପସ୍ଥିତ ଥିବା ଶତାଧିକ ଭକ୍ତ ଭଗବାନ ପର୍ଶୁରାମଙ୍କ ସମ୍ମୁଖରେ ପ୍ରତିଜ୍ଞା କରିଛନ୍ତିଯେ ସେମାନେ ମଧ୍ୟ ଶରୀରକୁ ଜଗତ କଲ୍ୟାଣ ପାଇଁ ଦାନ କରିବେ | ମଣିଷର ମୃତ୍ୟୁ ପରେ ମଧ୍ୟ ତା’ର ଅଙ୍ଗ ପ୍ରତ୍ୟଙ୍ଗ କିପରି ଅନ୍ୟ ଜଣଙ୍କ ଜୀବନ ବଞ୍ଚାଇ ପାରିବ କିମ୍ବା ଚିକିତ୍ସା ବିଜ୍ଞାନର ଗବେଷଣାରେ କାର୍ଯ୍ୟ କରିବ, ସେ ନେଇ ଏକ ବଳିଷ୍ଠ ସଂକଳ୍ପ ନିଆଯାଇଛି। ଏହି ସମର୍ପଣ ମହୋତ୍ସବ ମାଧ୍ୟମରେ କେବଳ ଭକ୍ତି ନୁହେଁ, ବରଂ ସମାଜ ପ୍ରତି ଥିବା ଦାୟିତ୍ବବୋଧକୁ ପ୍ରମାଣିତ କରାଯାଇଛି I


