ଭକ୍ତବତ୍ସଳ ରଘୁନାଥ ମନ୍ଦିରରେ ସୀତାନବମୀ ପୂଜା

ଆସିକା (ୱାଇଏନ୍‍ଏସ୍‍) : ପୂର୍ବବର୍ଷମାନଙ୍କ ଭଳି ଚଳିତବର୍ଷ ମଧ୍ୟ ଆସିକା ପୌର ପରିଷଦ ଅଧୀନସ୍ଥ ୧ ନମ୍ବର ୱାର୍ଡର ରଘୁନାଥ ନଗର ସ୍ଥିତ ଭକ୍ତବତ୍ସଳ ରଘୁନାଥ ମନ୍ଦିରରେ ବୈଶାଖ ଶୁକ୍ଳ ନବମୀ ତିଥିରେ ଏକ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ବିଧିବିଧାନ ତଥା ନୀତିକାନ୍ତି ଅନୁଯାୟୀ ସୀତାନବମୀ ପୂଜା ଶହ ଶହ ଶ୍ରଦ୍ଧାଳୁଙ୍କ ଉପସ୍ଥିତିରେ ପାଳିତ ହୋଇଯାଇଛି । ମାତା ସୀତାଙ୍କ ପବିତ୍ର ଜନ୍ମତିଥି ତଥା ଆବିର୍ଭାବ ଦିବସ ଅବସରରେ ରଘୁନାଥ ମନ୍ଦିର ପରିସରରେ ଅନୁଷ୍ଠିତ ସୀତା ନବମୀ ପାଳନ କାର୍ଯ୍ୟକ୍ରମରେ ଆଧ୍ୟାତ୍ମିକପ୍ରେମୀ ସୁନିଲ୍‍ କୁମାର ପାଣିଗ୍ରାହୀ ଓ ତାଙ୍କ ସହଧର୍ମଣୀ ସୁଚିତ୍ରା ପାଣିଗ୍ରାହୀ ନିଷ୍ଠାର ସହ ହୋମଯଜ୍ଞ କାର୍ଯ୍ୟରେ ଉପସ୍ଥିତ ରହି ଦାୟିତ୍ୱ ନିର୍ବାହ କରିଥିଲା ବେଳେ କାଳଷଣ୍ଢପୁର ଗ୍ରାମର ବିଦ୍ୱାନ ପଣ୍ଡିତ ସୁନିଲ୍‍ କୁମାର ଦାଶଙ୍କ ମନ୍ତ୍ରୋଚାରଣରେ ମନ୍ଦିର ପରିବେଶ ପ୍ରକମ୍ପିତ ହୋଇପଡିଥିଲା । ଏହି ଆଧ୍ୟାତ୍ମିକ କାର୍ଯ୍ୟକ୍ରମରେ ଆସିକା ସହର ତଥା ଏହାର ଆଖପାଖ ଅଞ୍ଚଳର ଶତାଧୀକ ଶ୍ରଦ୍ଧାଳୁ ଭକ୍ତ ଯୋଗଦେଇ ଦଶରଥ ନନ୍ଦନ ରାମ ଓ ମାତା ସୀତାଙ୍କୁ ପୂଜାର୍ଚ୍ଚନା କରିବା ସାଙ୍ଗକୁ ପରିବାରର ସୁଖ ଓ ସମୃଦ୍ଧି ଏବଂ ଶାନ୍ତି ପାଇଁ ଆଶିର୍ବାଦ ଭିକ୍ଷା କରିଥିବା ଦେଖିବାକୁ ମିଳିଥିଲା । କରୁଣାମୟୀ କୃପାମୟୀ, ଜଗତଜନନୀ ମାତା ସୀତାଙ୍କ ଆବିର୍ଭାବ ବା ପ୍ରକଟ ଦିବସ ଅବସରରେ ରଘୁନାଥ ନଗର ସ୍ଥିତ ଭକ୍ତବତ୍ସଳ ରଘୁନାଥ ମନ୍ଦିରରେ ଅନୁଷ୍ଠିତ ସୀତାନବମୀ ପାଳନ କାର୍ଯ୍ୟକ୍ରମରେ ମାତା ସୀତାଙ୍କ ପବିତ୍ରତା ଗୁଣ, ତ୍ୟାଗମୟୀ ଜୀବନୀ ଓ ଆଦର୍ଶ ଉପରେ ଆଲୋକପାତ କରାଯାଇଥିଲା ବେଳେ ସତ୍ୟ, ଧର୍ମ ଓ ସଂହିଷ୍ଣୁତା ପଥରେ ଅଗ୍ରସହ ହେବା ପାଇଁ ଏହା ଆଧ୍ୟାତ୍ମିକ କାର୍ଯ୍ୟ ଶ୍ରଦ୍ଧାଳୁ ଭକ୍ତଙ୍କୁ ପ୍ରେରଣା ଯୋଗାଇବାରେ ବେଶ୍‍ ସହାୟକ ହୋଇପାରିଛି ବୋଲି ସଚେତନ ନାଗରିକ ମହଲରେ ଆଲୋଚିତ ହେଉଥିବା ଲକ୍ଷ୍ୟ କରାଯାଇଛି । ଭକ୍ତବତ୍ସଳ ରଘୁନାଥ ମନ୍ଦିରରେ ଅନୁଷ୍ଠିତ ସୀତାନବମୀ ପୂଜା ତଥା ସୀତାନବମୀ ବ୍ରତ ପାଳନ କାର୍ଯ୍ୟକ୍ରମକୁ ସୁପରିଚାଳନା କରିବା ଦିଗରେ ଆଧ୍ୟାତ୍ମିକପ୍ରେମୀ ଗଣେଶ ମହାନ୍ତି, ନିଗମାନନ୍ଦ ମହାନ୍ତି, ଦେବେନ୍ଦ୍ର ମହାନ୍ତି, ଜଗା ମହାନ୍ତି, ଶିବଶଙ୍କର ମହାନ୍ତି, ମୁନା ପଣ୍ଡା, ସୁନିଲ୍‍ ପାଣିଗ୍ରାହୀ, ମୁନା ପ୍ରଧାନ, ଶୁକଦେବ ପ୍ରଧାନ, ଗୋପୀନାଥ ରାଉତ, କାଳୁଚରଣ ମହାନ୍ତି, ସନ୍ୟାସୀ ନାହାକ, ଦୁଃଖିଶ୍ୟାମ ନାହାକଙ୍କ ସମେତ ସ୍ଥାନୀତ ଅଞ୍ଚଳବାସୀ ସକ୍ରିୟ ସହଯୋଗ କରିଥିବା ଦେଖିବାକୁ ମିଳିଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ